ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ ସୂଚନା ମୁତାବିକ, ଏଯାବତ୍ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଇ ଦିଆଯାଇଛି। ସେହିପରି ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇସାରିଛି। ବର୍ତ୍ତମାନ ବିଭାଗ ନିକଟରେ ଆହୁରି ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି।ଆଗାମୀ ଦିନରେ କୃଷି ବିଭାଗ ପକ୍ଷରୁ ଆହୁରି ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦିଆଯିବ। ପୂର୍ବରୁ ସମବାୟ ବିଭାଗକୁ କୃଷି ବିଭାଗ ପକ୍ଷରୁ ୩୫ ପ୍ରତିଶତ ସାର ଦିଆଯାଉଥିବା ବେଳେ ଏବେ ଏହାକୁ ବଢ଼ାଇ ୬୦ ପ୍ରତିଶତ କରାଯାଇଛି।
ସାର କଳାବଜାରୀ ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ସାରର ଯୋଗାଣ ଓ ବିକ୍ରି ଉପରେ ନଜର ରଖିଛନ୍ତି। ଯଦି କେହି ସାର କଳାବଜାରୀ କରୁଥିବା ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ସେହିପରି ଅନ୍ୟପଟେ ଚାଷୀ ପଞ୍ଜିକରଣ ସମୟରେ ସର୍ଭର ସମସ୍ୟା ଦେଖାଯାଉଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ବର୍ଷା କାରଣରୁ ସର୍ଭର ଟିକିଏ ଡାଉନ୍ ରହୁଥିବାରୁ ଚାଷୀଙ୍କୁ ସମସ୍ୟା ହେଉଛି। ଚାଷୀଙ୍କ ସୁବିଧା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ଚାଷୀ ପଞ୍ଜିକରଣର ଶେଷ ତାରିଖ ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି।










