39.1 C
Bhubaneswar
Friday, April 26, 2024
HomeUncategorized୨୨ମାସ ପରେ କବର ଭିତରୁ ଉଦ୍ଧାର କରି ଡି ଏନ ଏ ପରୀକ୍ଷା ପାଇଁ...

୨୨ମାସ ପରେ କବର ଭିତରୁ ଉଦ୍ଧାର କରି ଡି ଏନ ଏ ପରୀକ୍ଷା ପାଇଁ ବାହାରିଲା ଶବ, ଶାଳୀକୁ ହତ୍ୟା କରି ଫେରାର ହୋଇଯାଇଛି ଜ୍ୱାଇଁ।

କନ୍ଧମାଳ (ଶକ୍ତିଧର ରାଜଗୁରୁ)-: ହତ୍ୟା ନା ଆତ୍ମହତ୍ୟା। ଶାଳୀ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ୨୨ ମାସ ପରେ ମାଟି ତଳୁ ମୃତଦେହ ବାହାର କରିଛି ପୋଲିସ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଫୋରେନସିକ୍ ଯାଞ୍ଚ ପାଇଁ ପଠାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।
କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କର ଦୁଇ ଝିଅ। ବଡ଼ଝିଅ ସେହି ଗାଁର ସ୍ମରଜିତ ନାଏକଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ମରଜିତ ଶ୍ୱଶୁର ଘରର ସବୁ କଥା ବୁଝୁଥିଲେ। ଏପରିକି ଯୁକ୍ତ ଦୁଇରେ ପଢ଼ୁଥିବା ଶାଳୀ ଜେ.ଏସ.ସେଲିବ୍ରେଟଙ୍କ ପାଠ ପଢ଼ା କଥା ମଧ୍ୟ ବୁଝୁଥିଲେ। ଏହା ଭିତରେ ଜେ.ଏସ.ସେଲିବ୍ରେଟ କାହା ପ୍ରେମରେ ପଡ଼ି ଯାଇଥିବା ସ୍ମରଜିତ ସନ୍ଦେହ କରୁଥିଲେ। ଏପରିକି ପ୍ରେମିକଙ୍କ ଠାରୁ ସମ୍ପର୍କ ଛିନ୍ନ କରିବାକୁ ଜେ.ଏସ. ସେଲିବ୍ରେଟଙ୍କ ଉପରେ ସ୍ମରଜିତ ଚାପ ପକାଉ ଥିଲେ। ଯେଉଁଥିପାଇଁ ଜେ.ଏସ.ସେଲିବ୍ରେଟ୍ ମାନସିକ ଚାପରେ ରହୁଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ଫେବୃଆରୀ ୧ ତାରିଖର ଘଟଣା। ୟୁହୋସିଓ ନାୟକ ଓ ତାଙ୍କ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଏକାକୀ ଥିଲେ ଜେ.ଏସ. ସେଲିବ୍ରେଟ। ଏହି ସମୟରେ ବଡ଼ ଜ୍ୱାଇଁ ସ୍ମରଜିତ ଘରକୁ ଆସି ଜେ.ଏସ.ସେଲିବ୍ରେଟଙ୍କ ମୁହଁରେ ତକିଆ ପକାଇ ମାରିଦେଇଥିବା ଅଭିଯୋଗ ହୋଇଛି। ସାନ ଝିଅ ଆତ୍ମହତ୍ୟା କରିଥିବା ଜାଣିପାରି ୟୁହୋସିଓ ନାୟକ ଓ ତାଙ୍କ ପତ୍ନୀ ଘରକୁ ଆସି ଖ୍ରୀଷ୍ଟିଆନ୍ ରୀତିନୀତିରେ ଶବକୁ କବର ଦେଇଥିଲେ। ତେବେ ପରେ ୟୁହୋସିଓ ନାୟକ ଜାଣିବାକୁ ପାଇଲେ ତାଙ୍କ ଝିଅ ଜେ.ଏସ. ସେଲିବ୍ରେଟଙ୍କୁ ଜ୍ୱାଇଁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସେ ଜି. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଘଟଣାର ତଦନ୍ତ କରୁନଥିଲା। ଏପରି ଅଭିଯୁକ୍ତ ଜ୍ୱାଇଁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା ପୋଲିସ।
ପୋଲିସ ଠାରୁ ନିରାଶ ହୋଇ ୟୁହୋସିଓ ନାୟକ ଜାତୀୟ ମାନବାଧିକାର, ରାଜ୍ୟ ମହିଳା କମିଶନର, ଜିଲ୍ଲାପାଳ ଓ ଏସ୍ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଶେଷରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ କନ୍ଧମାଳ ଅତିରିକ୍ତ ଏସ୍ପି ବିଷ୍ଣୁପଦ ମହନ୍ତ, ଡିଏସ୍ପି ସୂର୍ଯ୍ୟକାନ୍ତ ରାୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୨ ମାସ ପରେ କବର ତଳୁ ବାହାର କରାଯାଇଛି ମୃତଦେହ। ଉଦ୍ଧାର ହୋଇଥିବା କଙ୍କାଳକୁ ବ୍ୟବେଛେଦ ଓ ଡି ଏନ ଏ ପରୀକ୍ଷା ପାଇଁ ବ୍ରହ୍ମପୁର ଏମ କେ ସି ଜି ମେଡ଼ିକାଲକୁ ଅଣାଯାଇଛି। ଶାଳୀକୁ ହତ୍ୟା କରିଥିବା ଫେରାର ଜ୍ବାଇଁକୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ମୃତ ଜେ ଏସ ସେଲିବ୍ରେଟଙ୍କ ବାପା। ସେପଟେ ଅଧିକ ତଥ୍ୟ ହାସଲ ପାଇଁ ଆସିଥିବା ଏହି ନର କଙ୍କାଳରୁ ଯେ କିଛି ପ୍ରକୃତ ତଥ୍ୟ ହାସଲ କରାଯାଇ ପାରିବ ତାକୁ ନେଇ ଚିନ୍ତାରେ ବିଶେଷଜ୍ଞ। ତଥାପି ଉଦ୍ଧାର ହୋଇଥିବା ହାଡ଼ ଓ ଅନ୍ୟାନ୍ୟ ଅଂଶରୁ ଡି ଏନ ଏ ପରୀକ୍ଷା ଓ ତାହାର ରିପୋର୍ଟ ଉପରେ ସବୁକିଛି ନିର୍ଭର କରୁଥିବା କହିଛନ୍ତି ବିଶେଷଜ୍ଞ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking