38.1 C
Bhubaneswar
Friday, April 26, 2024
Homeଓଡିଶାକଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା  । ଏହି ସେବାକୁ କଟକର ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ ସମ୍ପ୍ରସାରଣ କରାଯିବ। ଏଥିପାଇଁ ଗତକାଲି ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ କଟକକୁ ଯିବାଆସିବା ପାଇଁ ପର୍ଯ୍ୟାପ୍ତ ବସ୍‌ ସେବାରେ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ କଟକରୁ ଆଗ୍ରାହାଟ ଯାଉଥିବା ମୋ ବସ୍‌ ଭାୟା ଶଙ୍କରପୁର ହୋଇ ମଙ୍ଗରାଜପୁର ରାଜବାଟି ଏବଂ କୋଚିଲା-ନୂଆଗାଁ ପର୍ଯ୍ୟନ୍ତ ଚଳାଚଳ ପାଇଁ ବୈଠକରେ ଆଲୋଚନା ହୋଇଛି ।

ସେହିପରି କଟକରୁ ମଞ୍ଚେଶ୍ୱର-ଧବଳେଶ୍ୱର ପର୍ଯ୍ୟନ୍ତ ଯାଉଥିବା ମୋ ବସ୍‌ ମଞ୍ଚେଶ୍ୱରରୁ ଭାୟା ନାରଙ୍ଗବସ୍ତ-କଖଡ଼ି ହୋଇ ଘଣ୍ଟିଖାଲ ରେଳଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇ ପୁନଃ ସେହି ରାସ୍ତାରେ କଟକ ଫେରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦେଖି କଟକର କ୍ରୁଟ୍‌  ବସ୍‌ ସେବା ଭାୟା ଗୁରୁଡ଼ିଝାଟିଆ ହୋଇ ଗୋବରା ଗ୍ରାମପଞ୍ଚାୟତ ମହକୁମା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ମୋ ବସ୍‌ ସେବାର ରୁଟ୍‌ ଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏକ ଅଧିକାରୀ ଟିମକୁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ ପାଇଁ ପଠାଇବେ ବୋଲି ବୈଠକରେ ସ୍ଥିର ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ସମସ୍ତ ରୁଟ୍‌ କଟକ ଅର୍ବାନ ଟ୍ରାନ୍ସପୋର୍ଟ ଅଞ୍ଚଳ ଅଧୀନରେ ଆସୁଛି । ଏହିସବୁ ସ୍ଥାନରେ ଜନସାଧାରଣଙ୍କ ପାଇଁ କୌଣସି ସରକାରୀ ପରିବହନ ବ୍ୟବସ୍ଥା ଉପଲବ୍ଧ ହେଉନଥିବାରୁ ମୋ ବସ୍‌ ସେବା ସମ୍ପ୍ରସାରିତ ହେଲେ ସେହିସବୁ ଅଞ୍ଚଳର ଜନସାଧାରଣ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ବୈଠକରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି, କଟକର ସେକ୍ରେଟାରୀଙ୍କ ସମେତ କଟକର ଉପ ଜିଲ୍ଲାପାଳ ଏବଂ କଟକ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking