31.1 C
Bhubaneswar
Wednesday, May 8, 2024
Homeଓଡିଶାଗୁଣି ଅଭିଯୋଗରେ ବୃଦ୍ଧଙ୍କୁ ହତ୍ୟା 

ଗୁଣି ଅଭିଯୋଗରେ ବୃଦ୍ଧଙ୍କୁ ହତ୍ୟା 

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚାୟତ ବି. ନୂଆଁପଲ୍ଲୀ ଗ୍ରାମରେ ଘଟିଛି ଅଘଟଣ । ଗାଁରେ ଗୁଣି କରୁଥିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ବି. ନୂଆଁପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦) ରବିବାର ସକାଳେ କୌଣସି ଜରୁରୀ କାଗଜପତ୍ରର ଜେରକ୍ସ କରିବାକୁ ଘରୁ ବାହାରିଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବା ପରେ ସନ୍ଧ୍ୟାରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । ନିକଟରେ ଥିବା ଝିଅ ଘରକୁ ଫୋନ କରି ଯୋଗାଯୋଗ କରିଥିଲେ ମଧ୍ୟ ଯୁଧିଷ୍ଠିରଙ୍କ କୌଣସି ପତ୍ତା ମିଳିନଥିଲା । ଆଜି ଦିନ ତମାମ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ଥିବା ପାହାଡ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ ଜେରକ୍ସ କରିବାକୁ ନେଇଥିବା କାଗଜପତ୍ର ପଡିଥିବା ଦେଖିବାକୁ ପାଇଥିଲେ ।

କିଛି ଦୂରରେ ତାଙ୍କର ସାଇକେଲ ମଧ୍ୟ ପଡିଥିଲା । ପରେ ପାହାଡ ଉପରେ ଗୋଟିଏ ସ୍ଥାନରେ ମାଟି ଖୋଳି ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି କରୁଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଲୋକେ ହତ୍ୟା କରିବାକୁ ଧମକ ଦେଉଥିଲେ । ଏହି କାରଣରୁ ଯୁଧିଷ୍ଠିରଙ୍କ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସଆଇ ଅମ୍ବିକା ବେଣିଆ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସନ୍ଧ୍ୟା ହୋଇ ଯାଇଥିବାରୁ ମଙ୍ଗଳବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପାହାଡ ଉପରେ ଶବ ଜବତ ସ୍ଥାନରେ ତଦନ୍ତ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ମୃତକଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ୍ ତାଙ୍କ ସମ୍ପର୍କୀୟ ଭାଇଙ୍କ ପରିବାରର ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking