31.1 C
Bhubaneswar
Monday, May 20, 2024
Homeଓଡିଶାଆଜି ପଶ୍ଚିମ ଓଡ଼ିଶାରେ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ପଶ୍ଚିମ ଓଡ଼ିଶାରେ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହିତ ୩୮୧୯ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୬୫ଟି ଘର ଭାଙ୍ଗିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆଭ୍ୟନ୍ତରୀଣ ହେଉ କି ଉପକୂଳ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଭାରୀ ବର୍ଷା ରେକର୍ଡ ଭାଙ୍ଗିଛି । ବର୍ଷା ଗତ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ସୂଚନା ମିଳିଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ସୋମବାର ୫ଟି ସ୍ଥାନରେ ୩୦୦ମିମି.ରୁ ଅଧିକ ବର୍ଷା ହୋଇଥିବାବେଳେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି ।

ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ ମିମି ବର୍ଷା ହୋଇଥିବା ବେଳେ ଜଗତସିଂହପୁର ବାଲିକୁଦାରେ ୪୪୦ ମିମି, କଟକ କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ସହରରେ ୩୪୨.୫ ମିମି ବର୍ଷା ହୋଇଥିବା ବେଳେ ରାଜ୍ୟର ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୋଟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ନିଅଣ୍ଟିଆ ବର୍ଷା ପରିମାଣ ପୂରଣ ହେବ, ହେଲେ ଏହା ନୂଆ ବିପଦ ଆଣିପାରେ । କମ୍ ସମୟରେ ଅଧିକ ବର୍ଷା ହେଲେ ବନ୍ୟା ହୋଇଥାଏ । ତେଣୁ ଭୟଭୀତ ନ ହୋଇ ପାରିପାଶ୍ୱିର୍କ ସ୍ଥିତିର ମୁକାବିଲା କରିବା ଜରୁରୀ ।

ଏବେ ତଳମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଏକାଧିକ ନଦୀର ଜଳସ୍ତର ଫୁଲୁଛି, ଯଦି ଉପରମୁଣ୍ଡରେ ବର୍ଷା ଜାରି ରହେ ତେବେ ବନ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । ସେହିପରି ମଙ୍ଗଳବାର ସକାଳ ଯାଏଁ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଏନେଇ ପଶ୍ଚିମ ଓଡ଼ିଶାର ୫ ସୀମାନ୍ତ ତଥା ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ । ସେହିପରି ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବ ଏବଂ ନୂଆପଡ଼ା, କଳାହାଣ୍ଡୀ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ୨ଟି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ, ଫଳରେ ୧୪ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯିବା ସହ ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି । ସେପଟେ ୱେଲ୍‌ମାର୍କ ଲୋ-ପ୍ରେସରରେ ପରିଣତ ହେବା ପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଭାରୀ ବର୍ଷା ରେକର୍ଡ ହୋଇଥିବାରୁ ଏବେ ମହାନଦୀ ଓ ତା’ର ଶାଖା ନଦୀରେ ଜଳ ସ୍ତର ବୃଦ୍ଧିପାଇଛି । ମହାନଦୀ ସହ ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ରୁଷିକୂଲ୍ୟାର ଜଳସ୍ତର ବୃଦ୍ଧିପାଉଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଏ ସମସ୍ତ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମଥାନୀରେ ଜଳକା ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ନିକଟରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଏଠାରେ ୫.୭ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସଦୃଶ ଲଘୁଚାପର ରୂପ ନେଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶାର ଚାନ୍ଦବାଲି ଅଞ୍ଚଳରେ ଦେଇ ଏହା ଗତି କରିବ ।

ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ହେବ । ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପଡ଼ିବ । ଏଥିସହିତ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସେ କହିଛନ୍ତି । ଏହାସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ମଧ୍ୟ ଉପୁଜିପାରେ। ଏଥିପ୍ରତି ନଜର ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ବିଡିଓ, ତହସିଲଦାର ଏବଂ ଗ୍ରାମ ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଅଯାଇଛି । ଏଥି ସହିତ ବର୍ଷାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ମରାମତି ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking