30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶସାଂସଦ, ବିଧାୟକଙ୍କ ଉପରୁ ମାମଲା ପ୍ରତ୍ୟାହାର କରିପାରିବେନି ରାଜ୍ୟ : ସୁପ୍ରିମକୋର୍ଟ

ସାଂସଦ, ବିଧାୟକଙ୍କ ଉପରୁ ମାମଲା ପ୍ରତ୍ୟାହାର କରିପାରିବେନି ରାଜ୍ୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହାଇକୋର୍ଟଙ୍କ ବିନା ଅନୁମତିରେ ସଂପୃକ୍ତ ରାଜ୍ୟ ସରକାର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଆଗତ ଫୌଜଦାରୀ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶନାମାକୁ କଡାକଡିଭାବେ ପାଳନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । କେତେକ ରାଜ୍ୟ ସରକାର ସେମାନଙ୍କର ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରିନେଉଥିବାର ଦୃଷ୍ଟାନ୍ତ ରହିଛି । ଏହି ପ୍ରସଙ୍ଗରେ ଆମିକସ କ୍ୟୁରୀ (କୋର୍ଟ ମିତ୍ର) ଦେଇଥିବା ରିପୋର୍ଟକୁ ସୁପ୍ରିମକୋର୍ଟର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏପରିକି ଏଭଳି ଫୌଜଦାରୀ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତର ବିଚାରପତିଙ୍କୁ ହାଇକୋର୍ଟଙ୍କ ବିନା ଅନୁମତିରେ ଅନ୍ୟତ୍ର ବଦଳି କରାଯାଇପାରିବନି ବୋଲି ଖଣ୍ଡପୀଠ କହିଛନ୍ତି ।

ପୂର୍ବରୁ ଏଭଳି ସ୍ପର୍ଶକାତର ମାମଲାରେ ରାଜ୍ୟ ସରକାର ଭାରତୀୟ ଦଣ୍ଡବିଧି ଆଇନ (ସିଆରପିସି)ର ଧାରା ୩୨୧ର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜଣେ ଓକିଲଙ୍କ ଜରିଆରେ ଅପରାଧିକ ରେକର୍ଡ ଥିବା ସାଂସଦ ଏବଂ ବିଧାୟକଙ୍କ ଉପରୁ ଫୌଜଦାରୀ ମାମଲା ପ୍ରତ୍ୟାହାର କରାଯାଉଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ସାନି ନିର୍ଦ୍ଦେଶନାମା ବଳରେ ରାଜ୍ୟ ସରକାରଙ୍କ କ୍ଷମତା ସଙ୍କୁଚିତ ହେବ ବୋଲି କୁହାଯାଇଛି । କୋର୍ଟ ମିତ୍ର ତଥା ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆଙ୍କ ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରରେ ଏଭଳି ଅଧିକ ଘଟଣା ଦେଖିବାକୁ ମିଳୁଛି । କର୍ଣ୍ଣାଟକ ସରକାର ୨୦୨୦ ଅଗଷ୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଆଗତ ୬୧ଟି ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି । ଉତ୍ତରପ୍ରଦେଶ ସରକାର ଗତବର୍ଷ ସାଧ୍ୱୀ ପ୍ରାଚୀଙ୍କ ସମେତ ତିନିଜଣ କାର୍ଯ୍ୟକ୍ଷମ ବିଧାୟକ ସଙ୍ଗୀତ ସୋମ୍‌, ସୁରେଶ ରାଣା ଓ କପିଳ ଦେବଙ୍କ ଉପରୁ ଫୌଜଦାରୀ ମାମଲା ପ୍ରତ୍ୟାହାର ନିର୍ଦ୍ଦେଶ ଦେଇସାରିଛନ୍ତି ।

ମୁଜାଫରପୁର ଦଙ୍ଗାରେ ଏହି ସାଂସଦ ଓ ବିଧାୟକଙ୍କ ସଂପୃକ୍ତି ବିବାଦୀୟ ଥିବା କୁହାଯାଇଛି । ଦଙ୍ଗାରେ ସଂପୃକ୍ତ ଥିବା ୭୬ ଜଣ ସାଂସଦ ଓ ବିଧାୟକଙ୍କ ମାମଲାକୁ ସଂପୃକ୍ତ ରାଜ୍ୟ ସରକାର ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଥିବା ଶ୍ରୀ ହଂସାରିଆ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ଏକ ମାମଲାରୂ ଶୁଣାଣି ସମୟରେ କହିଥିଲେ ଯେ ସାଂସଦ କିମ୍ବା ବିଧାୟକମାନେ  ଆଇନର ଊର୍ଦ୍ଧ୍ୱରେ ନୁହନ୍ତି । ଫୌଜଦାରୀ ମାମଲାରେ ସଂପୃକ୍ତ ଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ । ମଙ୍ଗଳବାର ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଭୂମିକାକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ସାଂସଦ ଓ ବିଧାୟକଙ୍କ ବିରୋଧରେ ଆଗତ ଫୌଜଦାରୀ ମାମଲାର ତଦନ୍ତ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରାଯାଉନଥିବାରୁ ସୁପ୍ରିମକୋର୍ଟ ସିବିଆଇ ଉପରେ କ୍ଷୁବ୍ଧ ହୋଇଛନ୍ତି ।

୨୦୨୦ ସେପ୍ଟେମ୍ବରରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସିବିଆଇ ଏପର୍ଯ୍ୟନ୍ତ ରିପୋର୍ଟ ଦାଖଲ କରିନଥିବା ସୁପ୍ରିମକୋର୍ଟ କହିଛନ୍ତି। ସାଂସଦ, ବିଧାୟକଙ୍କ ମାମଲାର ତଦନ୍ତ ପ୍ରକ୍ରିୟାରେ ସିବିଆଇ କାହିଁକି କୋହଳ ମନୋଭାବ ପୋଷଣ କରୁଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗକୁ ସିବିଆଇ କେତେ ଗୁରୁତ୍ୱ ଦେଉଛି, ତାହା ସନ୍ଦେହଜନକ ବୋଲି ଖଣ୍ଡପୀଠ କହିଛନ୍ତି । ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ସାଂସଦ/ବିଧାୟକଙ୍କ ମାମଲାର ଆଶୁ ଶୁଣାଣି ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି । ଯଦି ଏଥିରେ ଖିଲାପ ହୁଏ, ତେବେ ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ୍ ଗଠନ କରାଯାଇ ଏଭଳି ମାମଲା ଉପରେ ନଜର ରଖାଯିବ ବୋଲି ଖଣ୍ଡପୀଠ ସତର୍କ କରାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking