41.1 C
Bhubaneswar
Sunday, April 28, 2024
Homeଓଡିଶାକବାଡ଼ି ଖାନାରେ ‘ମୋ ସାଇକଲ’

କବାଡ଼ି ଖାନାରେ ‘ମୋ ସାଇକଲ’

ଭୁବନେଶ୍ୱର: ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଲୋକଙ୍କ ମନରେ ସାଇକଲ ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବିଏମସି ‘ମୋ ସାଇକଲ୍‌’ ଯୋଜନା ଆରମ୍ଭ କରିଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ ନିର୍ମାଣ କରାଗଲା ଓ ଷ୍ଟାଣ୍ଡ ବସିଲା । ହେଲେ ଏବେ ଏହି ସାଇକଲ କବାଡ଼ି ଖାନାରେ ପଡ଼ିରହିଛି । ଏଥିରୁ ଲାଗୁଛି ଯେ ବିଏମସିର ଏହି ଯୋଜନା ବାଟବଣା ହୋଇ ଯାଇଛି ।
ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟରେ ଥିବା ଏକ କବାଡ଼ି ଦୋକାନରେ ବହୁ ସଂଖ୍ୟାରେ ସାଇକଲ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସେଥିରୁ କିଛି ସାଇକଲ୍ ଗଡ଼ିବା ସ୍ଥିତିରେ ଅଛି । କିନ୍ତୁ ଏମିତି ପରିତ୍ୟକ୍ତ ଅବସ୍ଥାରେ କାହିଁକି ପଡ଼ିଛି, ତାକୁ ନେଇ ଅନେକେଙ୍କ ମନରେ ପ୍ରଶ୍ନ । ଉକ୍ତ କବାଡ଼ି ଖାନାର ମାଲିକ କହିଛନ୍ତି ଯେ ସେ ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି । ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ଦେବା ପରେ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି । ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି । ତେଣୁ ସଚଳ ସାଇକଲ ସ୍କ୍ରାପିଂ ପାଇଁ ଦିଆଯିବା ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀ ବାସିନ୍ଦା । ଏ ନେଇ ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ ନିର୍ମାଣ ହେଲା । ହେଲେ ସାଇକଲ କିନ୍ତୁ କବାଡ଼ି ଖାନାରେ ପଡ଼ିଛି । ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍ ବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକଲ କିଣିଥିଲା । ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା । ହେଲେ ମାତ୍ର ୨ବର୍ଷ ଭିତରେ ନିଜ ସାଇକଲ ଗୁଡିକୁ ସ୍କ୍ରାପିଂ କରିବା ପାଇଁ କମ୍ପାନୀ ଏହାକୁ ବିକି ଦେଲା । ଏ ନେଇ ଓଡ଼ିଶା ଅପରେସନ ମ୍ୟାନେଜର ସୂର୍ଯ୍ୟକାନ୍ତ ଦଳବେହେରା କହିଛନ୍ତି, ରାଜଧାନୀରେ ପ୍ରଥମେ ୧ ହଜାର ସାଇକଲ ପାଇଁ ବିଏମସି ସହ ଚୁକ୍ତି ହୋଇଥିଲା । କିନ୍ତୁ ପରେ ଚାହିଦା ବଢ଼ିବାରୁ ଆଉ ଅଧିକ ୪ଶହ ସାଇକେଲ କମ୍ପାନୀ କାମରେ ଲଗାଇଥିଲେ । ତେଣୁ ସେ ଅତିରିକ୍ତ ୪ଶହ ସାଇକେଲ ଭିତରୁ ଖରାପ ହୋଇଥିବା ସାଇକେଲ ଗୁଡିକୁ ଭାଙ୍ଗି ଦରକାରୀ ଯନ୍ତ୍ରାଂଶ ଗୁଡିକୁ ଅନ୍ୟ ସାଇକେଲରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ଖରାପ ସାଇକେଲ କବାଡ଼ି ବ୍ୟବସାୟୀଙ୍କୁ ଦିଆଯାଇଛି । ଅନ୍ୟପଟେ ପୂରା ଘଟଣାର ତଦନ୍ତ ପରେ କୌଣସି ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଏମସି କମିଶନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking