30.1 C
Bhubaneswar
Sunday, May 5, 2024
Homeଓଡିଶାଚଳିତ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ; ୪୦%ରୁ କମ୍ ମାର୍କ ଥିବା ସ୍କୁଲ୍ ବିରୋଧରେ...

ଚଳିତ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ; ୪୦%ରୁ କମ୍ ମାର୍କ ଥିବା ସ୍କୁଲ୍ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କମ୍ ମାର୍କ ରଖିଥିବା ସ୍କୁଲର ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଚଳିତ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଯେଉଁ ସବୁ ସ୍କୁଲରେ ସର୍ବାଧିକ ପରୀକ୍ଷାର୍ଥୀ ୪୦ପ୍ରତିଶତରୁ ମଧ୍ୟ କମ୍ ମାର୍କ ରଖିଥିବେ ସମ୍ପୃକ୍ତ ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାମାନେ କ’ଣ ପାଇଁ କମ୍ ମାର୍କ ରଖିଲେ କିମ୍ବା ରେଜଲ୍ଟ ଶୂନ ହେଲା ସେନେଇ ସମ୍ପୃକ୍ତ ଶିକ୍ଷକଙ୍କୁ କୈଫତ ମଗାଯିବ । ଯଦି ଉତ୍ତର ସନ୍ତୋଷଜନକ ନହେଲା ତେବେ କାର୍ଯ୍ୟାନୁଷ୍ଠାନ ହେବ ।

ଏଭଳି ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଉଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି । ରାଜ୍ୟରେ ପାସ୍‌-ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହେବା ପରେ ପିଲାଙ୍କର ପରୀକ୍ଷାର ରେଜଲ୍ଟ ଠିକ୍ ଭାବେ ସ୍ପଷ୍ଟ ହୋଇପାରୁନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିବର୍ଷ ବାର୍ଷିକ ପରୀକ୍ଷା ହେଉଥିବା ବେଳେ ସବୁ ପିଲାଙ୍କୁ ପାସ୍ କରିଦିଆଯାଉଛି । ଯାହାଫଳରେ ପିଲାମାନେ କେତେ ଦକ୍ଷ ଏବଂ ସେମାନଙ୍କ ରେଜଲ୍ଟ କ’ଣ ହେଉଛି ତାହା ଅଭିଭାବକମାନେ ଜାଣିପାରୁ ନାହାନ୍ତି । ଏପରି ସ୍ଥିତିରେ ଗତ ୬ବର୍ଷ ହେବ ରାଜ୍ୟରେ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷାରେ ପିଲାଙ୍କର ରେଜଲ୍ଟ ଅତ୍ୟନ୍ତ ନୈରାଶ୍ୟଜନକ ରହୁଛି । ପ୍ରାଥମିକ ଶିକ୍ଷାରେ ପଞ୍ଚମ ପାସ୍ କରୁଥିବା ପ୍ରାୟ ୫୬ ପ୍ରତିଶତ ପିଲା ଓଡ଼ିଆ ଭାଷାରେ ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ୬୫ପ୍ରତିଶତ ପିଲା ଗଣିତ ଏବଂ ୬୦ପ୍ରତିଶତ ପିଲା ଇଂରାଜୀରେ ଦୁର୍ବଳ ଥିବା ଜଣାପଡ଼ିଛି ।

ସଠିକ୍ ଭାବେ ଶିକ୍ଷାଦାନ ପଦ୍ଧତି ନଥିବାରୁ ଏପରି ସମସ୍ୟା ହେଉଥିବା ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି । ଶିକ୍ଷକଙ୍କୁ ବିଭିନ୍ନ ଆଡଭାନ୍ସ ପ୍ରଶିକ୍ଷଣ ସାଙ୍ଗକୁ ଶିକ୍ଷକ ନିଯୁକ୍ତି ସମୟରେ ମଧ୍ୟ କଡ଼ା ନଜର ଦିଆଯାଉଛି । ଗତକିଛି ବର୍ଷ ହେବ ରାଜ୍ୟରେ ମାଟ୍ରିକ ରେଜଲ୍ଟ ହାର ହ୍ରାସ ପାଉଛି । ଅନେକ ସମୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ସ ଶେଷ ହେଉନଥିବା ବେଳେ ଅନେକ ସମୟରେ ନୂତନ ପରୀକ୍ଷା ପଦ୍ଧତିକୁ ନେଇ ପିଲାମାନେ ବିଚଳିତ ହୋଇପଡ଼ୁଛନ୍ତି ।

ଉଭୟ ସିବିଏସ୍‌ଇ ଓ ଆଇସିଏସ୍‌ଇ ପାସହାର ତୁଳନାରେ ବୋର୍ଡ ରେଜଲ୍ଟ ଅତ୍ୟନ୍ତ ନୈରାଷ୍ୟଜନକ ହେଉଛି । ତେଣୁ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ସହ କେଉଁ ସ୍କୁଲର ରେଜଲ୍ଟ ଖରାପ ପ୍ରଦର୍ଶନ ହେବ ତାହାର ତାଲିକା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଜଲ୍ଟ ପ୍ରକାଶ ପାଇବାର ୧୫ଦିନ ମଧ୍ୟରେ ଏହି ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବ୍ଲକଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ସେମାନେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କ ରିପୋର୍ଟକୁ ନିଜ ରିପୋର୍ଟରେ ସଂଲଗ୍ନ କରି ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ।

ଏହାର ତର୍ଜମା କରାଯିବା ପରେ ପ୍ରଧାନ ଶିକ୍ଷକ ଏବଂ ବିଷୟଭିତ୍ତିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ତେବେ ଚଳିତବର୍ଷ ରେଜଲ୍ଟକୁ ସରକାର ଗୁରତର ସହ ନେବା ସହ ଏପରି ପ୍ରଦର୍ଶନକୁ କୌଣସି କରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଖରାପ ରେଜଲ୍ଟ ପ୍ରଦର୍ଶନ କରିଥିବା ସ୍କୁଲ ଶିକ୍ଷକଙ୍କ ସମେତ ପ୍ରଧାନଶିକ୍ଷକଙ୍କ ବଦଳି ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking