29.1 C
Bhubaneswar
Wednesday, May 1, 2024
Homeଅପରାଧଚୋରଣୀ ଚାକରାଣୀ: ଦିଲ୍ଲୀରୁ ଲୁଟିଥିଲା, ଭୁବନେଶ୍ୱରରୁ ଧରାହେଲା

ଚୋରଣୀ ଚାକରାଣୀ: ଦିଲ୍ଲୀରୁ ଲୁଟିଥିଲା, ଭୁବନେଶ୍ୱରରୁ ଧରାହେଲା

ଭୁବନେଶ୍ୱର : ଦିଲ୍ଲୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ସହାୟିକା ଭାବେ କାମ କରୁଥିବା ସାଲିଆସାହିର ଯୁବତୀ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନାଗହଣା ଲୁଟି ପଳାଇ ଆସିଥିବାବେଳେ ଦିଲ୍ଲୀ ପୋଲିସର ଏକ ଟିମ୍ ଭୁବନେଶ୍ୱରରେ ଆସି କ୍ୟାପିଟାଲ ଥାନା ପୋଲିସ ସହାୟତାରେ ରାଜମହଲ ସ୍ଥିତ ଏକ ହୋଟେଲରୁ ଗିରଫ କରିଛି । ଏହି ଲୁଟପାଟରେ ସଂପୃକ୍ତ ତା’ର ଜଣେ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବାରୁ ତା’କୁ ଧରିବା ପାଇଁ ତନାଘନା ଜାରି ରହିଛି । ଏହି ଚୋରଣୀ ଚାକରାଣୀ ହେଉଛି ସାଲିଆସାହିର ସୁଜାତା ମହାପାତ୍ର । ଦିଲ୍ଲୀ ପୋଲିସ ସୁଜାତା ପାଖରୁ ସୁନା ଓ ହୀରା ଅଳଙ୍କାର ଜବତ କରିବା ସହିତ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇ ଯାଇଛି । ସୂଚନା ଅନୁଯାୟୀ, ସୁଜାତା କିଛି ମାସ ତଳେ ଦିଲ୍ଲୀ ଯାଇଥିଲା ଏବଂ ଦ୍ୱାରିକା ଅଞ୍ଚଳର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଶ୍ୟାମଲାଲଙ୍କ ଘରେ ସହାୟିକା ଭାବେ କାମ କରୁଥିଲା । ଦିଲ୍ଲୀର ଅନ୍ୟ ସହାୟିକାଙ୍କ ତୁଳନାରେ ଖୁବ୍ କମ୍ ଟଙ୍କାରେ କାମ କରିବାକୁ ରାଜି ହେବା ସହିତ ଭଲ କାମ କରି ଖୁବ୍ କମ୍ ଦିନରେ ପରିବାର ଲୋକଙ୍କ ବିଶ୍ୱାସ ଜିଣି ନେଇଥିଲା । ଫଳରେ ଶ୍ୟାମଲାଲଙ୍କ ପରିବାର ଭିତରେ ସୁଜାତାର ଗୁରୁତ୍ୱ ବଢ଼ିଯାଇଥିଲା । କିଛିଦିନ ତଳେ ଶ୍ୟାମଲାଲଙ୍କ ପରିବାର ଲୋକେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ସପରିବାର ବାହାରକୁ ଯାଇଥିବା ବେଳେ ସୁଜାତା ଘର ଜଗିଥିଲା । ତେବେ ପୂର୍ବ ଯୋଜନା ମୁତାବକ ସୁଜାତା ଦିଲ୍ଲୀର ଜଣେ ପୁରୁଷ ବନ୍ଧୁଙ୍କ ସହିତ ମିଶି ଘରର ଆଲ୍‌ମିରା ଭାଙ୍ଗି ସମସ୍ତ ହୀରା ଓ ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଇଥିଲା । ଏ ନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ସୁଜାତାକୁ ଧରିବା ପାଇଁ ଭୁବନେଶ୍ୱର ଆସି ଡେରା ପକାଇଥିଲା । ଶେଷରେ ସେ ଏକ ହୋଟେଲରେ ଲୁଚିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ସୁଜାତାକୁ କାବୁ କରିନେବା ସହ ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking