31.1 C
Bhubaneswar
Tuesday, May 7, 2024
Homeଅପରାଧତ୍ରିକୋଣୀୟ ପ୍ରେମରୁ ଅଘଟଣ!: ରହସ୍ୟଘେରରେ ଟେଲିଅଭିନେତ୍ରୀଙ୍କ ମୃତ୍ୟୁ

ତ୍ରିକୋଣୀୟ ପ୍ରେମରୁ ଅଘଟଣ!: ରହସ୍ୟଘେରରେ ଟେଲିଅଭିନେତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଡ଼ସାହିରେ ଭଡ଼ାଘରେ ରହୁଥିବା ଜଣେ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚାହେଉଛି । ମୃତକ ଅଭିନେତ୍ରୀ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସଂକେତପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ଓଝା(୨୩) । ଶନିବାର ବିଳମ୍ବିତ ରାତିରେ ପୁଲିସ ରଶ୍ମିରେଖାଙ୍କ ଝୁଲନ୍ତା ଶବ ଉକ୍ତ ବନ୍ଦଘରୁ ଉଦ୍ଧାର କରିଥିଲା। ଝିଅକୁ ହତ୍ୟା କରାଯାଇଥିବା ପରିବାରଲୋକେ ଗଣମାଧ୍ୟମରେ ଅଭିଯୋଗ ଆଣିଥିବାବେଳେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ କହିଛି । ତେବେ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଲାଗିରହିଛି । କାହିଁକି ସେ ଆତ୍ମହତ୍ୟା କଲେ, କିଏ ତାଙ୍କୁ ପ୍ରବର୍ତ୍ତାଇଥିଲେ, କେଉଁଥିପାଇଁ ସେ ମାନସିକ ଚାପରେ ଥିଲେ, ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଥିବାବେଳେ ତ୍ରିକୋଣୀୟ ପ୍ରେମରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ରଶ୍ମିରେଖା ୫ବର୍ଷ ହେବ ଭୁବନେଶ୍ୱର ଆସି ବିଭିନ୍ନ ଆଲବମ ଏବଂ ସିରିଏଲରେ ଅଭିନେତ୍ରୀ ଭାବେ କାମ କରୁଥିଲେ । ୨୦୨୧ ମାର୍ଚ୍ଚ ମାସରେ ବିରିଡି ଅଞ୍ଚଳର ରାଜା ନାମକ ଜଣେ ଅଭିନେତାଙ୍କୁ ରଶ୍ମିରେଖା ଅଭିନୟ ସମୟରେ ପ୍ରେମ କରିବସିଥିଲେ । ପରେ ତାଙ୍କ ସହ ବିବାହ ମଧ୍ୟ ସ୍ଥିର ହୋଇଥିଲା । ଏମିତିକି ରାଜାଙ୍କ ନାମରେ ରଶ୍ମିରେଖା ନିଜ ହାତରେ ଟାଟୁ ମଧ୍ୟ କରିଥିଲେ । ହେଲେ ଜୁଲାଇ ମାସ ପରଠୁ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଦୂରତା ହୋଇଥିଲା । ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଏହାପରେ ରଶ୍ମିରେଖା ଅଭିନୟ ଛାଡି଼ ଏକ ଫାଇନାନ୍ସ କମ୍ପାନୀରେ ଚାକିରୀ କରୁଥିଲେ । ସେଠାରେ ରାଉରକେଲାର ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ସହିତ ରଶ୍ମିରେଖାଙ୍କ ପରିଚିତ ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ସୃଷ୍ଟି ହୋଇଥିଲା । ଏହାପରେ ସେମାନେ ନୟାପଲ୍ଲୀରେ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ଭଡ଼ାଘର ନେଇ ଏକାଠି ରହିଲେ । ଏହାପରେ ବି ରଶ୍ମିରେଖା ମଝିରେ ମଝିରେ ରାଜାଙ୍କ ସହ କଥା ହେଉଥିଲେ । ଏସମ୍ପର୍କରେ ସନ୍ତୋଷ ଜାଣିପାରିବାରୁ ପ୍ରେମସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଏହାକୁ ନେଇ ରଶ୍ମିରେଶା ଚିନ୍ତିତ ରହୁଥିଲେ । ସେଥିପାଇଁ ଏହି କଠୋର ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ମୃତଦେହ ପାଖରୁ ଜବତ ହୋଇଥିବା ଡାଏରୀକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି । ଉକ୍ତ ଡାଏରୀରେ ଉଲ୍ଲେଖ ହୋଇଛି ଯେ, ଆଇ ଲଭ୍ ୟୁ ସାନ୍ ବେବି । ତତେ ଛାଡ଼ିକି ଯିବାକୁ ଚାହୁଁନି । ହେଲେ ମୁଁ ଆଉ ପାରୁନି । ମୋତେ ଭୁଲି ଯିବୁ । ତୁ ଭଲରେ ତୋ ଲାଇଫ୍ ତିଆରି କରିବୁ । ୟାର୍ ମୁଁ ବହୁତ ଖରାପ ଝିଅ ୟାର୍ । ସରି ବାବା, ମମି, ଜଗନ, କାହ୍ନା । ଏଥିସହ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ ବୋଲି ସେଥିରେ ଉଲ୍ଲେଖ ରହିଛି । ଏହି ସୁଇସାଇଡ୍ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋ ପଠାଯିବ ବୋଲି ଜଣାପଡ଼ିଛି ।
ଘର ମାଲିକଙ୍କ କହିବା ଅନୁସାରେ, ଦୁଇମାସ ହେବ ରଶ୍ମୀରେଖା ତାଙ୍କ ପୁରୁଷବନ୍ଧୁ ସନ୍ତୋଷଙ୍କ ସହ ରହୁଥିଲେ ।

ସେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧିବା ସହ ସନ୍ତୋଷଙ୍କୁ ତାଙ୍କ ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ହେଲେ ସେପଟେ ପରିବାର ଲୋକ ଭିନ୍ନ କଥା କହୁଛନ୍ତି । ଥାନାରେ କୌଣସି ବ୍ୟକ୍ତିଙ୍କ ନାମରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇନଥିଲେ ମଧ୍ୟ ଗଣମାଧ୍ୟମରେ ରଶ୍ମୀରେଖାଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁଙ୍କୁ ଦାୟୀ କରିଛନ୍ତି । ରଶ୍ମିରେଖାଙ୍କ ବାପା ରଞ୍ଜନ ଓଝା କହିଛନ୍ତି, ଗତ ସୋମବାର ଅର୍ଥାତ୍ ରଜରେ ରଶ୍ମିରେଖା ଝିଅ ଭଳି ଘରକୁ ଯାଇ ଭୁବନେଶ୍ୱର ଫେରିଆସିଥିଲେ । ସେ ଶଙ୍ଖା, ସିନ୍ଧୁର କିଛି ପିନ୍ଧିନଥିଲେ। ତାଙ୍କୁ ଜବରଦସ୍ତି ଶଙ୍ଖା, ସିନ୍ଦୁର ପିନ୍ଧାଯାଇଛି । ଏମିତିକି ଝିଅକୁ ହତ୍ୟା କରାଯାଇଛି । ସନ୍ତୋଷ ପାତ୍ରଙ୍କୁ ଦଣ୍ଡ ଦେବା ସହ ଉଚିତ୍ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି ।

ଏସମ୍ପର୍କରେ ଡିସିପି ପ୍ରତୀକ ଗୀତା ସିଂଙ୍କ କହିଛନ୍ତି, ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ଜଣାପଡୁଛି । ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏକ ଡାକ୍ତରୀଦଳ ଅଭିନେତ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାସ୍ଥଳରୁ ମୋବାଇଲ, ଲାପଟପ୍‌, ହାତଲେଖା ନୋଟ୍ ଜବତ ହୋଇଛି । ଉକ୍ତ ଲେଖାର ସେ ମାନସିକ ଚାପରେ ଥିଲେ ବୋଲି ଜଣାପଡ଼ିଛି । ସେ କାହାକୁ ମଧ୍ୟ ଦାୟୀ କରିନାହାନ୍ତି । ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ତାଙ୍କର ସାଙ୍ଗ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରାଯିବ । ପୁରୁଷ ବନ୍ଧୁଙ୍କୁ ମଧ୍ୟ ଡକାଯାଇଛି । ସେ ଦିନେ କିମ୍ବା ଦିନ ମଧ୍ୟରେ ପହଞ୍ଚିଯିବେ । ଏଥିସହ ମୋବାଇଲ ଏବଂ ଲାପଟପ୍‌କୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ । ଉକ୍ତ ତଥ୍ୟ ଆଧାରରେ ତଦନ୍ତ ଆଗେଇବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୪ଦିନ ହେବ ସନ୍ତୋଷ ବାହାରକୁ ଚାଲିଯାଇଥିଲେ । ରଶ୍ମୀରେଖା ଶନିବାର ଫୋନ୍ ଉଠାଇନଥିଲେ । ତେଣୁ ସନ୍ତୋଷ ଘରମାଲିକଙ୍କୁ ଖବର ଦେଇଥିଲେ । ଘରମାଲିକ ରଶ୍ମିରେଖାଙ୍କୁ ଡାକିବାରୁ ସେ କବାଟ ଖୋଲିନଥିଲେ । ତେଣୁ ସେ ସନ୍ତୋଷଙ୍କ ଜଣାଇଥିଲେ । ଏହାପରେ ସନ୍ତୋଷ ଗାଁରେ ରହୁଥିବା ରଶ୍ମିରେଖାଙ୍କ ପରିବାରଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ପରିବାରଲୋକ ବିଳମ୍ବିତ ରାତିରେ ପହଞ୍ଚି ପୁଲିସକୁ ଜଣାଇଥିଲେ । ପୁଲିସ ପରିବାରଲୋକଙ୍କ ଉପସ୍ଥିତିରେ ଉକ୍ତ ଘର ତାଲା ଭାଙ୍ଗି ଫ୍ୟାନରେ ଝୁଲୁଥିବା ରଶ୍ମୀରେଖାଙ୍କ ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘର କବାଟ ଖୋଲିବା ବେଳେ ରଶ୍ମିରେଖାଙ୍କ ମୋବାଇଲରେ ଦୁଃଖଭରା ଗୀତ ବାଜୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking