27.1 C
Bhubaneswar
Tuesday, May 7, 2024
Homeଓଡିଶାସକାଳୁ ରାତି ଯାଏଁ ଝାଳବୁହା ଜେରା : ଇଡି ପଞ୍ଝାରେ ଅଭୟକାନ୍ତ ପାଠକ

ସକାଳୁ ରାତି ଯାଏଁ ଝାଳବୁହା ଜେରା : ଇଡି ପଞ୍ଝାରେ ଅଭୟକାନ୍ତ ପାଠକ

ଭୁବନେଶ୍ୱର: ପୂର୍ବତନ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ମଙ୍ଗଳବାର ଇଡିର ଭୁବନେଶ୍ୱର କାର୍ଯ୍ୟାଳୟରେ ଶ୍ରୀ ପାଠକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝାଳବୁହା ଜେରା କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ମାମଲା ଏବଂ ଟାଟା କମ୍ପାନୀର ଚାକିରୀ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ଏହି ମାମଲାରେ ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମନ୍ କରାଯାଇଥିଲେ ବି ସେ ଆସିନଥିଲେ । ଏହାସହ ଆଗାମୀ ଦିନରେ ଆକାଶ ପାଠକଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଅଭୟକାନ୍ତଙ୍କ ଏତେ ପରିମାଣର ବେଆଇନ ସମ୍ପତ୍ତି ବାହାରିବାରୁ ଇଡି ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା । ପରେ ଏହି ମାମଲାର ତଦନ୍ତ କରିବା ପାଇଁ ଅଭୟକାନ୍ତଙ୍କୁ ସମନ୍ ପଠାଇଥିଲା ।

ସମନ୍ ପାଇବା ପରେ ମଙ୍ଗଳବାର ପୂର୍ବାହ୍ଣରେ ଇଡି କାର୍ଯ୍ୟାଳୟରେ ଅଭୟକାନ୍ତ ପହଞ୍ଚିଥିଲେ । ତାଙ୍କୁ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ପଚରା ଯାଇଛି । । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକଙ୍କୁ ଗତ ନଭେମ୍ବର ମାସରେ ଭିଜିଲାନ୍ସ ଗିରଫ କରିଥିଲା । ଅଭୟକାନ୍ତଙ୍କ ସମୁଦାୟ ୯କୋଟି ୩୫ଲକ୍ଷର ଆୟ ବହିର୍ଭୂତ ସମ୍ପତ୍ତି ବାହାରିଥିଲା । ଯାହା ତାଙ୍କ ଆୟର ୪୩୫ପ୍ରତିଶତ ଅଧିକ । ଖାଲି ଏତିକି ନୁହେଁ, ତାଙ୍କ ଘରୁ ନଗଦ ୬୦ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା । ତେଣୁ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ, କେଉଁଠି ନିବେଶ କରିଥିଲେ, ଟଙ୍କା ରୋଜଗାରର ଉତ୍ସ କ’ଣ, ଏଥିରେ ଆଉ କାହାର ହାତ ଅଛି, କେଉଁ ସରକାରୀ ଯୋଜନା ଟଙ୍କା ହଡ଼ପ କରିଥିଲେ, ରାଜ୍ୟର କେଉଁଠି ଜଙ୍ଗଲ ଦୁର୍ନୀତି କରିଥିଲେ କି, ଏଭଳି ଅନେକ ଦିଗକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।

ସେହିପରି ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏନେଇ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏହି ଠକେଇ ଟଙ୍କାରେ ଆକାଶ ପଞ୍ଚତାରକା ହୋଟେଲରେ ରହିବା ସହ ବିଦେଶ ବୁଲିଥିଲେ । ପୁଅ ସହିତ ମିଶି ଅଭୟକାନ୍ତ ମାଲେସିଆ, ହଂକଂ, ବ୍ରିଟେନ୍‌, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଓ ମାଳଦ୍ୱୀପ ଯାଇଥିଲେ । ସେହିଭଳି ଚାର୍ଟର ବିମାନରେ ଭୁବନେଶ୍ୱରରୁ ପୁନେ, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ବୁଲିଥିଲେ । ଯେଉଁଥିରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ମୁମ୍ବାଇ ତାଜ୍ ପ୍ୟାଲେସ୍‌ରେ ଆକାଶ ଅଏସ୍ କରି ୯୦ଲକ୍ଷ ଟଙ୍କା ଉଡ଼ାଇ ଦେଇଥିଲେ । ଏମିତିକି ନିଜର ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ କରିଥିଲେ ।

ଯାହାର ଖର୍ଚ୍ଚ ପାଖାପାଖି ୫କୋଟି ହୋଇଥିବାବେଳେ ୨୦ଲକ୍ଷ ଟଙ୍କା ଅଗ୍ରୀମ ରାଶି ଦେଇଥିଲେ । ତେବେ ଏହି ଚାକିରୀ ଠକେଇରେ ଆକାଶଙ୍କୁ ପିତା ଅଭୟକାନ୍ତ ଓ ଭାବୀ ଶ୍ୱଶୂର ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରିଥିଲେ । ତେଣୁ ଏହି ମାମଲାରେ ଛନ୍ଦିହୋଇ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍ ଯାଇଥିଲେ । ଅଭୟକାନ୍ତଙ୍କୁ ଏହି ଠକେଇ ଦିଗକୁ ନେଇ ମଧ୍ୟ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚରାଉଚରା କରାଯାଇଛି । ଚାକିରୀ ଠକେଇରେ ପୁଅକୁ ସହଯୋଗ କରିଥିଲେ କି? ପ୍ରଦୀପ ପାଣିଗ୍ରାହୀଙ୍କ ଚାକିରୀ ଠକେଇରେ ଭୂମିକା କ’ଣ? ସବୁ ଠକେଇ ଟଙ୍କା କେଉଁଠି ଖର୍ଚ୍ଚ ହୋଇଥିଲା? ଏଭଳି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ଏହି ସମୟରେ ଇଡି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି । ତେଣୁ ଏହି ମାମଲାରେ ଆହୁରି ଅଧିକ ତଥ୍ୟ ହାସଲ ପାଇଁ ଅଭୟକାନ୍ତଙ୍କୁ ପୁଣି ସମନ୍ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking