37.1 C
Bhubaneswar
Sunday, May 5, 2024
Homeଆଇପିଏଲ୍ -2022ବୁମ୍‌ରାଙ୍କ ୫ ୱିକେଟ୍ ବୃଥା : ମୁମ୍ବାଇକୁ ୫୨ ରନ୍‌ରେ ହରାଇଲା କୋଲ୍‌କାତା

ବୁମ୍‌ରାଙ୍କ ୫ ୱିକେଟ୍ ବୃଥା : ମୁମ୍ବାଇକୁ ୫୨ ରନ୍‌ରେ ହରାଇଲା କୋଲ୍‌କାତା

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ସୋମବାର ଖେଳାଯାଇଥିବା ସଂସ୍କରଣର ୫୬ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ ୫୨ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇ କୋଲ୍‌କାତା ୯ ୱିକେଟ୍ ବିନିମୟରେ ୧୬୫ ରନ୍ କରିଥିଲା । ଏକଦା ବଡ଼ ସ୍କୋର୍ ଆଡ଼କୁ ଦଳ ଅଗ୍ରସର ହେଉଥିଲେ ହେଁ ମୁମ୍ବାଇର ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରା ୫ଟି ୱିକେଟ୍ ନେବା ଫଳରେ ଦଳ ଏଥିରୁ ବଞ୍ଚିତ ହୋଇଥିଲା । କିନ୍ତୁ ମୁମ୍ବାଇ ୧୭.୩ ଓଭର୍‌ରେ ମାତ୍ର ୧୧୩ ରନ୍ କରି ଅଲ୍‌ଆଉଟ୍ ହେବା ଫଳରେ ଆଇପିଏଲ୍‌ରେ ବୁମ୍‌ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବେକାର ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ଏହି ବିଜୟ ସହ କୋଲ୍‌କାତା ପ୍ଲେଅଫ୍ ଆଶା ବଜାୟ ରଖିଛି ।

କୋଲ୍‌କାତାର ଦୁଇ ଓପନର ଭେଙ୍କଟେଶ ଆୟର୍ ଓ ଆଜିଙ୍କ୍ୟ ରାହାଣେ ୬୦ ରନ୍ ଯୋଡ଼ି ଦଳକୁ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିଥିଲେ । ତେବେ ଭେଙ୍କଟେଶ ମାତ୍ର ୨୪ଟି ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୪୩ ରନ୍ କରିଥିବା ସମୟରେ ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ପରେ ରାହାଣେ ସାଥୀ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ସହ ୨୭ ରନ୍ ଯୋଡ଼ିବା ପରେ ପ୍ୟାଭିଲିୟନ୍ ଫେରିଥିଲେ । ସେତେବେଳେ ରାହାଣେ ୨୪ଟି ବଲ୍‌ରେ ୩ଟି ଚୌକା ମାଧ୍ୟମରେ ୨୫ ରନ୍ କରିଥିଲେ । ରାହାଣେଙ୍କ ବିଦାୟ ପରେ ନୀତିଶ ଓ ଅଧିନାୟକ ଶ୍ରେୟସ୍ ଆୟର୍ ଦଳୀୟ ସ୍କୋର୍‌କୁ ୧୩ ଓଭର୍‌ରେ ୧୨୩ରେ ପହଞ୍ଚାଇଥିଲେ । ତେବେ ଉଭୟ ତୃତୀୟ ୱିକେଟ୍‌ରେ ୩୬ ରନ୍ ଯୋଡ଼ିବା ପରେ ଅଧିନାୟକ ଶ୍ରେୟସ୍ ମାତ୍ର ୬ ରନ୍ କରି ଆଉଟ୍ ହେବା ପରେ କୋଲ୍‌କାତା ଆଉ କୌଣସି ବଡ଼ ଭାଗୀଦାରୀ ପାଇପାରି ନ ଥିଲା । ବୁମ୍‌ରାଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍ ବେଶ୍ ସଅଳ ପ୍ୟାଭିଲିୟନ୍ ଫେରିଚାଲିଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ ଦଳର ଶେଷ ଭାଗରେ ୪ ଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିବାରେ ବି ସଫଳ ହୋଇ ନ ଥିଲେ । ନୀତିଶ ମାତ୍ର ୨୬ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୪୩ ରନ୍ କରି ଦଳୀୟ ସ୍କୋର୍ ୧୩୯ ଥିବା ବେଳେ ଆଉଟ୍ ହୋଇଥିଲେ । ଏହାପରେ ୫.୧ ଓଭର୍‌ରେ କୋଲ୍‌କାତା ମାତ୍ର ୨୬ ରନ୍ ଯୋଡ଼ିପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଆନ୍ଦ୍ରେ ରସେଲ୍ ଗୋଟିଏ ଛକା ସହ ୯ ଓ ଶେଲଡନ୍ ଜ୍ୟାକ୍‌ସନ୍ ୫ ରନ୍ କରିଥିଲେ । ସେମାନଙ୍କ ବ୍ୟତୀତ ରିଙ୍କୁ ସିଂହ ୧୯ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ବୁମ୍‌ରା ତାଙ୍କ ୪ ଓଭର୍‌ରେ ଗୋଟିଏ ମେଡେନ୍ ସହ ମାତ୍ର ୧୦ ରନ୍ ଦେଇ ୫ଟି ୱିକେଟ୍ ଦଖଲ କରିଥିବା ବେଳେ କୁମାର କାର୍ତ୍ତିକେୟ ୨ଟି ଏବଂ ଡାନିଏଲ୍ ସାମ୍ସ ଓ ମୁରୁଗାନ୍ ଅଶ୍ୱିନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏଥିସହ ବୁମ୍‌ରା ଆଇପିଏଲ୍ ଇତିହାସରେ ପଞ୍ଚମ ସର୍ବଶ୍ରେଷ୍ଠ ବୋଲିଂ ଫିଗର୍ ହାସଲ କରିପାରିଥିଲେ ।

ଜବାବରେ ମୁମ୍ବାଇର କେବଳ ୪ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ । ଓପନର ଈଶାନ୍ କିଶନ୍ ୪୩ଟି ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୫୧ ରନ୍ କରିଥିବା ବେଳେ କାଇରନ୍ ପୋଲାର୍ଡ ଗୋଟିଏ ଛକା ସହ ୧୫, ଟିମ୍ ଡେଭିଡ୍ ୩ଟି ଚୌକା ସହ ୧୩ ଓ ରମନ୍‌ଦୀପ ସିଂହ ୧୨ ରନ୍ କରିଥିଲେ । ଓପନର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ କରି ପୁଣି ଥରେ ଫେଲ୍ ମାରିଥିଲେ । କୋଲ୍‌କାତା ପାଇଁ ପ୍ୟାଟ୍ କମିନ୍ସ ୩ଟି, ରସେଲ୍ ୨ଟି ଏବଂ ଟିମ୍ ସାଉଦି ଓ ବରୁନ୍ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: କୋଲ୍‌କାତା ନାଇଟ୍ ରାଇଡର୍ସ-୧୬୪/୯, ୨୦ ଓଭର୍ (ଭେଙ୍କଟେଶ ଆୟର୍‌-୪୩, ନୀତିଶ ରାଣା-୪୩, ଜସପ୍ରୀତ୍ ବୁମରା-୧୦/୫); ମୁମ୍ବାଇ ଇଣ୍ଡିଆନ୍ସ- ୧୧୩, ୧୭.୩ ଓଭର୍ (ଈଶାନ୍ କିଶନ୍‌-୫୧, କାଇରନ୍ ପୋଲାର୍ଡ-୧୫ , ପ୍ୟାଟ୍ କମିନ୍ସ-୨୨/୩, ଆନ୍ଦ୍ରେ ରସେଲ୍‌-୨୨/୨) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking