32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶକୋର୍ଟରେ ଇଡି ପକ୍ଷରୁ ରୋଚକ ଅଭିଯୋଗ; ଜାଣିଶୁଣି ମିଠା, ଆମ୍ବ, ପୁରି ଖାଉଛନ୍ତି କେଜ୍ରିୱାଲ

କୋର୍ଟରେ ଇଡି ପକ୍ଷରୁ ରୋଚକ ଅଭିଯୋଗ; ଜାଣିଶୁଣି ମିଠା, ଆମ୍ବ, ପୁରି ଖାଉଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ଅଭିଯୋଗ କରାଯାଇଆସୁଛି ଯେ, କେଜ୍ରିୱାଲ୍‌ଙ୍କୁ ଜେଲ୍ ମଧ୍ୟରେ ହିଁ ହତ୍ୟା କରାଯିବାର ଷଡଯନ୍ତ୍ର କରାଯାଉଛି । ଆପ୍ ପକ୍ଷରୁ ଏପ୍ରକାର ଅଭିଯୋଗ ଆସୁଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲ୍‌ଙ୍କ ଖାଦ୍ୟାଭ୍ୟାସ ସମ୍ପର୍କରେ ଏକ ବଡ଼ ତଥା ରୋଚକ ସୂଚନା ଦିଆଯାଇଛି ।
ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ଯୁକ୍ତି ଅନୁସାରେ କେଜ୍ରିୱାଲ୍ ଜାଣିଶୁଣି ଜେଲ୍ ମଧ୍ୟରେ ମାତ୍ରାଧିକ ଶର୍କରାଯୁକ୍ତ ଆମ୍ବ ଏବଂ ମିଠା ଖାଉଛନ୍ତି । ଏପରି କରି କେଜ୍ରିୱାଲ୍ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖରାପ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ତାଙ୍କୁ କୋର୍ଟରୁ ସହଜରେ ଜାମିନ୍ ମିଳିପାରିବ । ଇଡି ନିଜ ଯୁକ୍ତିରେ ଦର୍ଶାଇଛି ଯେ, ମହୁମେହ ରୋଗ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା କେଜ୍ରିୱାଲ୍ ଏବେ ନିଜ ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପ୍ରକାର ଖାଦ୍ୟ ଜାଣିଶୁଣି ଗ୍ରହଣ କରୁଛନ୍ତି । ଏପରିକି ଜେଲ୍ ପରିସରରେ ତାଙ୍କୁ ଏସବୁ ଦିଆଯାଉନଥିବା ବେଳେ ସେ ନିଜ ଘରୁ ଏସବୁ ଶର୍କରାଯୁକ୍ତ ଖାଦ୍ୟ ମଗାଉଛନ୍ତି ଓ ଖାଉଛନ୍ତି । କେବଳ ଆମ୍ବ କିମ୍ବା ମିଠା ନୁହେଁ ବରଂ ସେ ଜାଣିଶୁଣି ଆଳୁ, ପୁରୀ ଭଳି ଶର୍କରା ତଥା ତୈଳଯୁକ୍ତ ଖାଦ୍ୟ ଖାଉଛନ୍ତି ଏବଂ ଏସବୁ ଖାଦ୍ୟସାମଗ୍ରୀ ତାଙ୍କ ଘର ପକ୍ଷରୁ ଆସୁଛି ।
ପ୍ରକାଶ, କେଜ୍ରିୱାଲଙ୍କ ଓକିଲ ଜେଲ୍‌ରେ କେଜ୍ରିୱାଲ୍‌ଙ୍କ ଶର୍କରା ସ୍ତର କ୍ରମାଗତ ଭାବେ ବଦଳୁଥିବା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳସ୍ତର ଆଡକୁ ଗତି କରୁଥିବା ଦର୍ଶାଇ ତାଙ୍କ ପାଇଁ ଜାମିନ ଆବେଦନ କରୁଛନ୍ତି । କିନ୍ତୁ ଇଡି ପକ୍ଷରୁ କେଜ୍ରିୱାଲ୍‌ଙ୍କ ଜାମିନ୍ ଆବେଦନକୁ ବିରୋଧ କରାଯାଉଛି । ତେବେ କୋର୍ଟ ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କେଜ୍ରିୱାଲ୍‌ଙ୍କ ଡାଏଟ୍ ଚାର୍ଟ (ଡାକ୍ତରୀ ପରାମର୍ଶ ତଥା ଅନୁମୋଦିତ ଦୈନିକ ଖାଦ୍ୟ ତାଲିକା) ମଗାଇଥିବା ଜଣାପଡିଛି । ଆସନ୍ତାକାଲି ମଧ୍ୟ ଏହି ମାମଲାରେ ଶୁଣାଣି ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ ଆସନ୍ତାକାଲି କେଜରିୱାଲଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଉପସ୍ଥାପନ କରିବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟ କିଙ୍ଗପିନ୍ ଭାବେ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲ୍ ଏବେ ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଛନ୍ତି । ଗୋଟିଏ ପଟେ ତାଙ୍କ ଜାମିନ୍ ଆବେଦନ ବାରମ୍ବାର ଖାରଜ ହେଉଥିବା ବେଳେ ସମ୍ପ୍ରତି ସେ ଜେଲ୍‌ରେ ରହି ସରକାର ଚଳାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking