30.1 C
Bhubaneswar
Monday, May 6, 2024
Homeକରୋନା ଓଡିଶାକୋଭିଡ୍ ଆକ୍ରାନ୍ତଙ୍କୁ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

କୋଭିଡ୍ ଆକ୍ରାନ୍ତଙ୍କୁ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

କେନ୍ଦୁଝର: ସୁସ୍ଥ ହୋଇଥିବା ଜଣେ କୋଭିଡ୍ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଏଭଳି ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଗତକାଲି ତାଙ୍କୁ ଡିସ୍‌ଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠା ଯାଇଥିଲା । ହେଲେ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ । ଡ୍ରାଇଭର ଜଣକ ରୋଗୀଙ୍କୁ ଘରେ ପହଞ୍ଚାଇବା ବାଟରେ ଆମ୍ବୁଲାନ୍ସ ଅଟକାଇ ମଦ୍ୟପାନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ଡ୍ରାଇଭର, ଭାସ୍କରଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ୨୦ନଂ ଜାତୀୟ ରାଜପଥର ଅଟେଇ ଜଙ୍ଗଲ ଅଧିନ କୁମୁଡ ଛକ ନିକଟରେ ଛାଡ଼ି ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ଭାସ୍କରଙ୍କୁ ଘରେ ପହଞ୍ଚାଇ ଥିଲା । ଘଟଣାକୁ ନେଇ ଭାସ୍କର କହିଛନ୍ତି, ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ ଶୋଇ ପଡ଼ିଲା । ବାରମ୍ବାର ତାକୁ ଡାକିବା ପରେ ମଧ୍ୟ ସେ ଶୁଣି ନଥିଲା । କିଛି ସମୟ ପରେ ଉଠିଲା । ମୁଁ ଅପେକ୍ଷା କରିଛି, ହେଲେ ସେ ଗାଡ଼ି ଧରି ପଳାଇଥିଲା’ । ଭାସ୍କରଙ୍କୁ ଘରେ ପହଞ୍ଚାଇଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାକୁ ନେଇ କହିଛନ୍ତି, ‘ମେଡିକାଲ୍‌ରୁ ଖବର ପାଇବା ପରେ ମୁଁ ରୋଗୀଙ୍କୁ ନେବାକୁ କୁମୁଡ ଛକ ନିକଟକୁ ଆସିଥିଲି । ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ି ଦେବ ବୋଲି କୁହାଯାଇଥିଲା’ । ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ କିଭଳି ମଦ୍ୟପାନ କଲେ ? ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ କିଭଳି ଭାବରେ ଅଧା ବାଟରେ ଛାଡ଼ି ଚାଲିଗଲେ ? ଏନେଇ ଅନେକ ପ୍ରଶ୍ନ ଉଠୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking