26.1 C
Bhubaneswar
Tuesday, May 7, 2024
Homeଓଡିଶାଉଚ୍ଚଶିକ୍ଷାରୁ ଆଦିବାସୀ ଛାତ୍ର ବଞ୍ଚିତ

ଉଚ୍ଚଶିକ୍ଷାରୁ ଆଦିବାସୀ ଛାତ୍ର ବଞ୍ଚିତ

ଭଦ୍ରକ : ଓଡ଼ିଶା ବସ୍ତିବାସିନ୍ଦାଙ୍କ ଭୂମି ଅଧିକାର ଅଧିନିୟମ ୨୦୧୭ ଧାରା ୩ ଅନୁସାରେ ଭୂମିହୀନ ବ୍ୟକ୍ତିମାନଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ନିୟମ ଥିବାବେଳେ ସେ ନିୟମ ଅନୁଯାୟୀ ଧାମନଗର ବିଜ୍ଞାପିତ ଅଞ୍ଚଳ ୩ ନମ୍ବର ୱାର୍ଡ଼ର ଜୟନଗର ଗ୍ରାମର ଉପେନ୍ଦ୍ର ମୁଣ୍ଡାଙ୍କୁ ଭୂମିହୀନ ଭାବେ ଭଦ୍ରକ ଜିଲ୍ଲାପାଳ ପ୍ଲଟ ନଂ ୧୫୬୮ କିସମ ପତିତ, ୨୪୦/୧୧୨ ବର୍ଗଫୁଟ ଏକ ଜାଗା ଯୋଗାଇ ଦେଇଥିଲେ । ସେହି ବଳରେ ଉପେନ୍ଦ୍ରଙ୍କ ପୁଅ ଭୋଳାଶଙ୍କର ମୁଣ୍ଡା ଚଳିତବର୍ଷ ମାଟ୍ରିକ୍ ପାସ କରିବା ପରେ ଉଚ୍ଚଶିକ୍ଷା ପାଇଁ ବାରିକପୁରସ୍ଥିତ ପଞ୍ଚାୟତ କଲେଜରେ ଯୁକ୍ତଦୁଇ କଳାରେ ନାମଲେଖାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ଜାତିଗତ ପ୍ରମାଣପତ୍ର ଦେଇ ନ ପାରିବାରୁ ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ନାମଲେଖାରୁ ବଞ୍ଚିତ କରିଥିଲେ ।

ଘଟଣାରୁ ପ୍ରକାଶ ଯେ ନିଜର ଜମି ପଟ୍ଟାଦେଖାଇ ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ପାଇବାର ବ୍ୟବସ୍ଥା ରହିଛି । ଏ ନେଇ ସମ୍ପୃକ୍ତ ଛାତ୍ର ଭୋଳାଶଙ୍କର ମୁଣ୍ଡା ଧାମନଗର ତହସିଲରେ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିବାବେଳେ ଜିଲ୍ଲାପାଳଙ୍କ ଦ୍ୱାରା ପାଇଥିବା ପଟ୍ଟାରେ ଜାତିଗତ ଲେଖାଯାଇ ନଥିବାରୁ  ସମ୍ପୃକ୍ତ ଆର୍‌ଆଇ ଓ ତହସିଲଦାର ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେଇପାରି ନଥିଲେ । ତେବେ ଜିଲ୍ଳାପାଳଙ୍କ ଦ୍ୱାରା ପାଇଥିବା ଘରବାଡ଼ି ପଟ୍ଟାର ଭୂମି ଅଧିକାର ପ୍ରମାଣପତ୍ର ବାସସ୍ଥାନ ଓ ଜାତିଗତ ପ୍ରମାଣ ନିମନ୍ତେ ଗ୍ରହଣଯୋଗ୍ୟ ହୋଇପାରିବ ବୋଲି ଲିଖିତ ଥିବାବେଳେ ଏହା କାଏମ୍ ନୁହେଁ ବୋଲି ରାଜସ୍ୱ ଅଧିକାରୀ ମନା କରିଦେଇଥିଲେ ।

ଏ ସମ୍ପର୍କରେ ଧାମନଗର ତହସିଲର ଅତିରିକ୍ତ ତହସିଲଦାର ଅନୁପ ବେହେରା ପ୍ରକାଶ କରିଥିଲେ ଯେ ଜିଲ୍ଳାପାଳଙ୍କ ଦ୍ୱାରା ପାଇଥିବା ପଟ୍ଟାରେ ଜାତି ଲେଖାଯାଇ ନଥିବାରୁ ଆମ୍ଭେ ତହସିଲ ପକ୍ଷରୁ ଜାତିଗତ ପ୍ରମାଣପତ୍ର ଦେଇପାରୁ ନାହୁଁ । ତେବେ ଏ ସମ୍ପର୍କରେ ଆମ୍ଭେ ଜିଲ୍ଳାପାଳଙ୍କୁ ଅବଗତ କରିବୁ, ତାଙ୍କଠାରୁ ନିର୍ଦ୍ଦେଶ ପାଇଲା ପରେ ଆମ୍ଭେ ଯାହା ବ୍ୟବସ୍ଥା କରିବୁ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ଅପରପକ୍ଷେ ସରକାରୀ ନୀତିନିୟମ କାର୍ଯ୍ୟ କରିବା ପାଇଁ ସମୟ ନେଉଥିବା ବେଳେ ଏପଟେ ମହାବିଦ୍ୟାଳୟ ନାମଲେଖାର ଶେଷ ତାରିଖ ମଧ୍ୟ ସରିଯାଇଛି । ତେବେ ଜିଲ୍ଳାପାଳ ଜଣେ ଗରିବ ଆଦିବାସୀ ଛାତ୍ର ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେବାରେ ବ୍ୟବସ୍ଥା କରାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ସମ୍ପୃକ୍ତ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେବାକୁ ଛାତ୍ର ଭୋଳାଶଙ୍କର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking