31.1 C
Bhubaneswar
Monday, May 27, 2024
Homeଦେଶ ବିଦେଶବିବିସି ଇଣ୍ଡିଆ ଅଫିସ ଉପରେ ଆୟକର ଚଢ଼ଉ

ବିବିସି ଇଣ୍ଡିଆ ଅଫିସ ଉପରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ବିବିସି ଇଣ୍ଡିଆର ଦିଲ୍ଲୀ ଓ ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । ଏହି ଅବସରରେ ଆୟକର ଅଧିକାରୀମାନେ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରିଛନ୍ତି । ଏଥିସହିତ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେକ ବିବିସି ସାମ୍ବାଦିକଙ୍କ ମୋବାଇଲ ଫୋନ୍ ଓ ଲାପ୍‌ଟପ୍ ଜବତ କରାଯାଇଥିବା ଜଣାପଡିଛି । ତେବେ ମୋବାଇଲ ଓ ଲାପ୍‌ଟପ୍ ଫେରାଇ ଦିଆଯିବ ବୋଲି ଆୟକର ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଚଢଉ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଆପତ୍ତିଜନକ କାଗଜପତ୍ର ଜବତ କରିବା ଲକ୍ଷ୍ୟରେ ବିବିସିର ଏହି ଦୁଇଟି କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ୨୦୧୨ରୁ ବିବିସି ଇଣ୍ଡିଆର ଆର୍ôଥକ କାର୍ଯ୍ୟକଳାପକୁ ଆୟକର ଅଧିକାରୀମାନେ ଯାଞ୍ଚ୍ କରୁଛନ୍ତି ।

ମଙ୍ଗଳବାର ଚଢଉ ଆରମ୍ଭ ହେବାମାତ୍ରେ ସଂପୃକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ଛଡାଯାଇନଥିଲା । ଏହାକୁ ନେଇ କେତେକ କର୍ମଚାରୀ ଆୟକର ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଲକ୍ଷ୍ୟ କରାଯାଇଥିଲା । ଆୟକର ଅଧିକାରୀମାନେ ବିବିସି କର୍ମଚାରୀଙ୍କୁ କମ୍ପ୍ୟୁଟର ଲଗ୍ ଇନ୍ କରିବାକୁ ନିର୍ଦ୍ଦେଶ ଦେବାପରେ ଡେସ୍କ୍‌ଟପ୍‌ରେ ‘ଟ୍ୟାକ୍ସ’ ଶବ୍ଦକୁ ସର୍ଚ୍ଚ କରିଥିବା କୁହାଯାଇଛି । ୨୦୧୨ରୁ ପ୍ରତିବର୍ଷର ବାଲାନ୍ସସିଟ୍ ଓ ଅନ୍ୟ କାଗଜପତ୍ର ଦାଖଲ କରିବାକୁ ବିବିସି ଆକାଉଣ୍ଟ୍‌ସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ଯାଞ୍ଚ୍ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବିବିସି ଇଣ୍ଡିଆ କର୍ତ୍ତୃପକ୍ଷ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ରହିଛନ୍ତି, ସେମାନଙ୍କୁ ଯାଞ୍ଚ୍ ଶେଷ ହେବାପର୍ଯ୍ୟନ୍ତ ଅଫିସ ନଆସିବାକୁ କୁହାଯାଇଛି ।

ଏଥିସହିତ ଯାଞ୍ଚ୍ ସମ୍ପର୍କିତ କୌଣସି ଭିଡିଓ କିମ୍ବା ନ୍ୟୁଜ୍‌କୁ ସୋସିଆଲ ମିଡିଆରେ ଅପ୍‌ଲୋଡ ନ କରିବାକୁ ମଧ୍ୟ କର୍ମଚାରୀଙ୍କୁ ତାଗିଦ କରାଯାଇଛି । ସୂଚନାଯୋଗ୍ୟ କିଛିମାସ ପୂର୍ବେ ବିବିସି ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆ: ଦି ମୋଦୀ କ୍ୱେଶ୍ଚେନ୍‌’କୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୨ରେ ସେଠାରେ ସାଂପ୍ରଦାୟିକ ଦଙ୍ଗା ଘଟିଥିଲା । ଏଥିରେ ମୋଦୀଙ୍କ ଭୂମିକାକୁ ନେଇ ଏହି ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଭାରତ ସରକାର ଏହାର ପ୍ରସାରଣକୁ ବାତିଲ କରିଥିବାବେଳେ ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ପିଟିସନ ଦାଏର କରାଯାଇଛି । ଅପରପକ୍ଷରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କିମ୍ବା ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥାକୁ ଭୟଭୀତ କରିବାକୁ ଏଭଳି ଚଢଉ କରାଯାଉଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking