35.1 C
Bhubaneswar
Friday, May 10, 2024
Homeଓଡିଶାକେନ୍ଦୁଝରରେ ମୁଖ୍ୟ ସଚିବଙ୍କ ସହ ୫-ଟି ସଚିବ : କାନପୁର ଡ୍ୟାମ ସହ ଉନ୍ନୟନ କାର୍ଯ୍ୟର...

କେନ୍ଦୁଝରରେ ମୁଖ୍ୟ ସଚିବଙ୍କ ସହ ୫-ଟି ସଚିବ : କାନପୁର ଡ୍ୟାମ ସହ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଛାତ୍ରୀଙ୍କ ସହ ଖାଇଲେ ମଧ୍ୟାହ୍ନ ଭୋଜନ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ଶାସନ ସଚିବ ଭି.କେ ପାଣ୍ଡିଆନ୍ ଓ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମସ୍ତେ କାନ୍‌ପୁର ବୃହତ୍ ଜଳେସଚନ ଡ୍ୟାମ୍ ନିର୍ମାଣ, ବିଦ୍ୟାଳୟ ରୂପାନ୍ତରଣ ଓ ପାଇପ୍ ଯୋଗ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ବୁଲି ଦେଖିଛନ୍ତି । ପ୍ରଶାସନିକ ଟିମ୍ ଆଜି ସକାଳେ ଚମ୍ପୁଆ, ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ନିର୍ମାଣାଧୀନ କାନୁପୁର ଡ୍ୟାମ୍ ଅଞ୍ଚଳକୁ ଯାଇ ପରିଦର୍ଶନ କରିଥିଲେ । ଯୋଡ଼ା ବ୍ଲକ ଅନ୍ତର୍ଗତ କାନୁପୁର ଠାରେ ୨୪୩୮ କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଉଥିବା କାନୁପୁର ବୃହତ ଜଳସେଚନ ପ୍ରକଳ୍ପ ସ୍ଥାନକୁ ଯାଇ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଥିଲେ ।

ଏହି ସମୟରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ହିଲ୍‌ଟପ୍ ଗେଷ୍ଟ୍ ହାଉସ୍ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଡ୍ୟାମ୍ ନିର୍ମାଣରେ ନିୟୋଜିତ ଯନ୍ତ୍ରୀଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ନିକଟରେ ନିର୍ମାଣାଧୀନ ଜାତୀୟ ରାଜପଥ ପୋଲ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବା ପାଇଁ ମଧ୍ୟ ଜାତୀୟ ରାଜପଥ ଯନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ସମ୍ପୃକ୍ତ ଟିମ୍ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ । ଏହି ସମୟରେ ଟିମ୍ ମଧ୍ୟ ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ଓ କ୍ରୀଡ଼ା ଭିତ୍ତିଭୂମି ଯାଞ୍ଚ କରିଥିଲେ । ଏପରିକି ସେଠାରେ ଛାତ୍ରୀଙ୍କ ସହ ଖେଳିବା ସହ ମଧ୍ୟାହ୍ନଭୋଜନ କରିଥିଲେ । ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କାନ୍‌ପୁର ଜଳସେଚନ ଡ୍ୟାମ୍ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆବଶ୍ୟକତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମେନ୍ତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପ ଦ୍ୱାରା କେନାଲ ମାଧ୍ୟମରେ ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠାଜଳସେଚନ ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ସମୁଦାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଯୋଡ଼ା ବ୍ଲକ୍‌ର ବାସୁଦେବପୁରଠାର ବୈତରଣୀ ନଦୀ ଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଏବଂ ଯୋଡ଼ା ବ୍ଲକ୍ ଅନ୍ତର୍ଗତ ୨୪୪ଟି ଗ୍ରାମର ଅଧିବାସୀ ଉପକୃତ ହେବେ । ଏଥିସହ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ଜଳଯୋଗାଣ କରିବା ନିମେନ୍ତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଏଥିସହ ବାସୁଦେବପୁର ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଶିଷ ଠାକରେ, ପୁଲିସ୍ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର, ଓଡ଼ିଶା ନିର୍ମାଣ ନିଗମ ପରିଚାଳନା ନିଦ୍ଦେର୍ଶକ ବିଭୁତିଭୂଷଣ ଦାଶ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି, କାନ୍‌ପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ସେମତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking