25.1 C
Bhubaneswar
Thursday, May 9, 2024
Homeଆଇପିଏଲ୍ -2022ସାମ୍‌ସନ୍‌ଙ୍କ ଦମ୍‌ଦାର ଇନିଂସ ବେକାର : ଦଶମ ମ୍ୟାଚ୍‌ରେ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ସାମ୍‌ସନ୍‌ଙ୍କ ଦମ୍‌ଦାର ଇନିଂସ ବେକାର : ଦଶମ ମ୍ୟାଚ୍‌ରେ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ଦୁବାଇ: ଶେଷରେ ୫ଟି ପରାଜୟ ପରେ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଦଶମ ମ୍ୟାଚ୍‌ରେ ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିବା ସତ୍ତ୍ୱେ ଦଳର ପ୍ଲେଅଫ୍ ଯୋଗ୍ୟତା ହାସଲ କରିବା ସମ୍ଭାବନା କ୍ଷୀଣ ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟଙ୍କ ଅର୍ଦ୍ଧଶତକ ଓ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିବା ଫଳରେ ସନ୍‌ରାଇଜର୍ସ ଏହି ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଦଳର ଅଧିନାୟକ ସଞ୍ଜୁ ସାମ୍‌ସନ୍ କ୍ରମାଗତ ଭାବେ ଦ୍ୱିତୀୟ ଅର୍ଦ୍ଧଶତକ କରିବା ସହ ୮୨ ରନ୍‌ର ଦମ୍‌ଦାର ଇନିଂସ ଖେଳି ସନ୍‌ରାଇଜର୍ସକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲେ । ତେବେ କ୍ରମାଗତ ୫ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିôବା ସନରାଇଜର୍ସ ୧୮.୩ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟୀ ହେବା ଫଳରେ ତାଙ୍କର ଏହି ଇନିଂସ ବେକାର ସାବ୍ୟସ୍ତ ହୋଇଥିଲା ।

ରାଜସ୍ଥାନ ପକ୍ଷରୁ ଓପନର ଲୁଇସ୍ ମାତ୍ର ୬ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ସାମ୍‌ସନ୍‌ଙ୍କ ସହ ଅନ୍ୟତମ ଓପନର ଯଶସ୍ୱୀ ଜୈସ୍ୱାଲ୍ ୫୬ ରନ୍ ଯୋଡ଼ିଥିଲେ । ୨୩ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ୩୬ ରନ୍ କରିଥିବା ବେଳେ ଜୈସ୍ୱାଲ୍ ଆଉଟ୍ ହୋଇଥିଲେ । ପରେ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ମାତ୍ର ୪ ରନ୍ କରି ବିଦାୟ ନେଇଥିଲେ । ସାମ୍‌ସନ୍‌ଙ୍କୁ ମହିପାଲ୍ ଲୋମରୋର୍ ଭଲ ସହଯୋଗ ଦେଇଥିଲେ । ଉଭୟ ଚତର୍ଥ ୱିକେଟ୍‌ରେ ୮୪ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲେ । ଲୋମରୋର୍ ୨୮ ବଲ୍ ଖେଳି ଗୋଟିଏ ଚୌକା ଓ ଛକା ଜରିଆରେ ୨୯ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । କିନ୍ତୁ ସାମ୍‌ସନ୍ ୮୨ ରନ୍ କରି ଆଉଟ୍ ହେବା ପୂର୍ବରୁ ୫୭ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ଲଗାଇସାରିଥିଲେ । ସନ୍‌ରାଇଜର୍ସ ପକ୍ଷରୁ ସିଦ୍ଧାର୍ଥ କୌଲ୍ ୨ଟି ଏବଂ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସିଜନ୍‌ରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଓପନର ରୟ ସାଥୀ ଓପନର ଋଦ୍ଧିମାନ୍ ସାହାଙ୍କ ସହ ୫୭ ରନ୍ ଯୋଡ଼ିଥିଲେ । ସାହା ୨ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ୍ କରି ଆଉଟ୍ ହେବା ପରେ ରୟ ଅଧିନାୟକ ୱିଲିୟମ୍‌ସନ୍‌ଙ୍କ ସହ ଆଉ ୫୭ ରନ୍‌ର ଭାଗୀଦାରୀ କରିଥିଲେ । ୪୨ଟି ବଲ୍ ଖେଳି ୮ଟି ଚୌକା ଓ ଗୋଟିଏ ଛକା ସହ ୬୦ ରନ୍ କରି ରୟ ଆଉଟ୍ ହେବା ପରେ ବିଜୟ ଦାୟିତ୍ୱ ଅଧିନାୟକ ନିଜ କାନ୍ଧକୁ ନେଇଥିଲେ । ପ୍ରିୟମ୍ ଗର୍ଗ ଶୂନରେ ଆଉଟ୍ ହେବା ପରେ ୱିଲିୟମ୍‌ସନ୍ ଓ ଅଭିଷେକ ଶର୍ମା ଚତୁର୍ଥ ୱିକେଟ୍‌ରେ ଅବିଭାଜିତ ୪୮ ରନ୍ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ୱିଲିୟମ୍‌ସନ୍ ୪୧ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ରନ୍ କରି ଚଳିତ ସଂସ୍କରଣରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ସେହିପରି ଅଭିଷେକ ୧୬ଟି ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୧ ରନ୍ କରିଥିଲେ । ଦଳକୁ ଅତିରିକ୍ତ ଭାବେ ମଧ୍ୟ ୧୭ ରନ୍ ମିଳିଥିଲା । ଦଶମ ମ୍ୟାଚ୍‌ରେ ରାଜସ୍ଥାନ ତା\’ର ଷଷ୍ଠ ପରାଜୟ ବରଣ କରି ପଏଣ୍ଟ୍ ଟେବଲ୍‌ରେ ଷଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking