33.1 C
Bhubaneswar
Saturday, April 27, 2024
Homeଓଡିଶାପରିଣତ ବୟସରେ ବି ଥକି ନାହାନ୍ତି ବୀର ଅଜା: ୪୫ବର୍ଷ ହେଲା କାନ୍ଧରେ ବୋହୁଛନ୍ତି ପାଣି

ପରିଣତ ବୟସରେ ବି ଥକି ନାହାନ୍ତି ବୀର ଅଜା: ୪୫ବର୍ଷ ହେଲା କାନ୍ଧରେ ବୋହୁଛନ୍ତି ପାଣି

ବାଲିଅନ୍ତା: ନାଁ ତାଙ୍କର ବୀର ମୁଦୁଲି । କିଏ ତାଙ୍କୁ ବୀର ଅଜା ତ ବୀର ଜେଜେ ତ କିଏ ତାଙ୍କୁ ଡାକନ୍ତି ବୀର ମଉସା । ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ପ୍ରତାପଶାସନ ପଞ୍ଚାୟତ ବାଳକାଟି ମୁଦୁଲିସାହିରେ । ବୟସ ପ୍ରାୟ ୮୦ ଛୁଇଁଲାଣି । ପାଚିଲା ମୁଣ୍ଡିଆ, ଚମ ଧୁଡୁଧୁଡୁ ଚେହେରା ସାଙ୍ଗକୁ ଦାନ୍ତ ଝଡି ପାଟି ପାକୁଆ ପଡ଼ିଗଲାଣି । ଗୋଡ଼ହାତ ନଳୀ ପଡିଗଲାଣି ତ ପେଟର ପିଞ୍ଜରା ହାଡ଼ ଗୋଟିଗୋଟି କରି ଗଣି ହେଉଛି । କାନକୁ ଠିକ୍ ଶୁଭୁନାହିଁ କି ଆଖିକି ଭଲ ଦିଶୁନାହିଁ । ତଥାପି ମଧ୍ୟ ବୀର ଅଜା କେବେ ଥକିପଡ଼ି ନାହାନ୍ତି କି ନିଜକୁ କେବେ ଅସହାୟ ମନେକରନ୍ତି ନାହିଁ । ସବୁବେଳେ ହସ ହସ ମୁହଁ । ଏବେବି ତାଙ୍କ ଶରୀରରେ ଅମାପ ବଳ । ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୪୫ବର୍ଷ ହେଲା ସେ ବାଳକାଟି ବଜାରରେ ଥିବା ବିଭିନ୍ନ ଚା, ଜଳଖିଆ ଦୋକାନରେ ପାଣି ଯୋଗାଉଛନ୍ତି ।

ତାହାପୁଣି କୌଣସି ଯନ୍ତ୍ରଚାଳିତ ଉପାୟରେ ନୁହେଁ, ଭାରାକରି ନିଜ କାନ୍ଧରେ ବୋହି ବୋହି ପାଣି ଯୋଗାଛନ୍ତି । ଆଜିର ସମାଜ ପ୍ରତିଟି କାର୍ଯ୍ୟପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ତଥା ବିଭିନ୍ନ ଯନ୍ତ୍ରଚାଳିତ ବ୍ୟବହାର କରୁଥିବା ବେଳେ ବୀର ଅଜା କିନ୍ତୁ ସେଥିରୁ ଭିନ୍ନ। ଏ ବୟସରେ କାନ୍ଧରେ ବାଉଁଶ ଭାରା ସାହାଯ୍ୟରେ ଦୁଇଟି ଟିଣରେ ପ୍ରାୟ ୩୦ଲିଟର ପାଣି ବୋହୁଛନ୍ତି ବୀର । ଏମିତି ଯିବା ଆସିବା ମଧ୍ୟରେ ଦିନକୁ ପ୍ରାୟ ୫ରୁ ୬ କିମି ଚାଲିଥାନ୍ତି ସେ । ଯାହାକି ଏହି ପରିଣତ ବୟସରେ ଆଜିକାଲି ମଣିଷଙ୍କ ନିକଟରେ ସେତେଟା ସମ୍ଭବ ନୁହେଁ । ସକାଳେ ଓ ସଂଧ୍ୟାରେ ଦୁଇବେଳା ପାଣି ଦେଉଥିବା ବିର ଅଜା ଏ ପରିଣତ ବୟସରେ ଏତେ ପରିଶ୍ରମ କରି ମଧ୍ୟ କେବେ ଥକି ପଡିନାହାନ୍ତି । କୁମ୍ଭାର ପରିବାରରେ ଜନ୍ମିତ ବୀର ଅଜା ତାଙ୍କ ବୟସ ସମୟରେ ନିଜର କୌଳିକ ବୃତ୍ତି ମାଟିକାମକୁ ଆପଣାଇଥିଲେ । ମାଟିରେ ସୁନ୍ଦର ସୁନ୍ଦର ମୂର୍ତ୍ତିଠାରୁ ଆରମ୍ଭକରି ହାଣ୍ଡି, ମାଠିଆ, ଦୀପ ଆଦି ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ ।

ସେତେବେଳେ ଏହି ମାଟି କାମପାଇଁ ତାଙ୍କର ବେଶ୍ ନାଁ ଥିଲା । ଏହି କାମରେ ତାଙ୍କୁ ପତ୍ନୀ ସାହାଯ୍ୟ କରୁଥିଲେ । ମାତ୍ର ଏକାଠି ବଞ୍ଚିବା ଓ ଏକାଠି ମରିବା କଥାଦେଇ ପତ୍ନୀ କିନ୍ତୁ ଅଧାବାଟରେ ଛାଡି ଚାଲିଗଲେ । ଫଳରେ ପୁରାପୁରି ଭାଙ୍ଗିପଡିଲେ ବୀର । ବାହାର ପିଲାଙ୍କୁ ରଖି ମାଟିକାମ କରି ପରିବାର ପ୍ରତିପୋଷଣ ହୋଇପାରିଲା ନାହିଁ । ଫଳରେ ଧୀରେ ଧୀରେ ସେ ନିଜର କୌଳିକ ବୃତ୍ତିରୁ ନିବୃତ୍ତ ରହିଲେ । ଏପଟେ ପିଲାମାନେ ଛୋଟଛୋଟ ହୋଇଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଲା । ଫଳରେ ତାଙ୍କୁ ଯେତେବେଳେ ୩୮/୪୦ ବର୍ଷ ହୋଇଥିଲା ସେତେବେଳୁ ସେ ବାଳକାଟି ବଜାରରେ ଥିବା ଚା, ପାନ ଓ ଜଳଖିଆ ଦୋକନରେ ପାଣିଦେବା ଆରମ୍ଭ କରିଥିଲେ । ସେତେବେଳେ ୨୦ରୁ ୩୦ ଦୋକାନରେ ପାଣିଦେଉଥିଲେ । ମାତ୍ର ଏବେ ୮/୧୦ଟି ଦୋକାନରେ ପାଣିଦେଉଛନ୍ତି ।

ଆଉ ଏହି ପାଣିଦେବା ପାଇଁ ସେ ଦୋକନୀଙ୍କ ଠାରୁ ଗୋଟିଏ ଟିଣ ପାଣିକୁ ୫ଟଙ୍କା ନେଉଛନ୍ତି । ଏପରି ଦିନକୁ ତାଙ୍କର ୧୦୦ଟଙ୍କା ଓ ମାସକୁ ୩ହଜାର ଟଙ୍କା ହୋଇଥାଏ । ଏହି ୩ହଜାର ଟଙ୍କା ଓ ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩ଶହ ଟଙ୍କା ସମୁଦାୟ ୩ହଜାର ୩ଶହ ଟଙ୍କାରେ ତାଙ୍କର ପରିବାର ଚଳୁଛି ବୋଲି କୁହନ୍ତି ବୀର ଅଜା । ଆଜିର ମହରଗ ଦୁନିଆରେ ଏହି ପଇସା ଯେନତେନ ପ୍ରକାରେ ବୀର ଅଜାଙ୍କ ସଂସାର ଡଙ୍ଗା ଚଳିଯାଉଛି । ବୀରଙ୍କ ପରିବାର କହିଲେ ପତ୍ନୀ, ଦୁଇପୁଅ ଓ ଦୁଇଝିଅ । ପତ୍ନୀ ଗତ ୧୯ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ଦୁଇପୁଅ, ଦୁଇଝିଅ ବିବାହିତ ।

ଦୁଇପୁଅଙ୍କ ମଧ୍ୟରୁ ସାନପୁଅ ପୋଲିଓ ଆକ୍ରାନ୍ତରେ ଭିନ୍ନକ୍ଷମ । ବର୍ତ୍ତମାନ ପରିବାର କହିଲେ ବିର ଅଜା, ଦୁଇପୁଅ ବୋହୁ ଓ ସେମାନଙ୍କ ପିଲାପିଲିଙ୍କୁ ମିଶାଇ ମୋଟ ୯ଜଣ । ବଡ଼ପୁଅ ଶ୍ରମିକ ଭାବେ କାମ କରୁଥିବା ବେଳେ ସାନପୁଅ ସ୍ଥାନୀୟ ହାଟରେ ଅଦା, ରସୁଣ ବ୍ୟବସାୟ କରି ପରିବାର ଚଳାଉଛନ୍ତି । ଖୁବ୍ କମ୍ ବୟସରେ ପତ୍ନୀଙ୍କ ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା । ଦାରିଦ୍ର‌୍ୟର କଷାଘାତରେ ରହି ପିଲାମାନଙ୍କୁ ବଡ଼ ମଣିଷ କରିବା ତାଙ୍କ ପାଇଁ ଆକାଶରୁ ଜହ୍ନ ତୋଳିବା ସଦୃଶ ହୋଇଥିଲା । ତଥାପି ମା’ ଛେଉଣ୍ଡ ପିଲାମାନଙ୍କୁ କେବେ ମା’ର ଅଭାବ ଅନୁଭବ କରିବାକୁ ଦେଇନାହାନ୍ତି ସେ । ତେବେ ବଳ, ବୟସ ଥିବା ପର୍ଯ୍ୟନ୍ତ ଏହି କାମ କରିଚାଲିଥିବି ବୋଲି କୁହନ୍ତି ବୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking