25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଦ୍ୱିତୀୟ ଦଫାରେ ୧୭ ପଣବନ୍ଦୀଙ୍କୁ ମୁକ୍ତକଲା ହାମାସ୍‌

ଦ୍ୱିତୀୟ ଦଫାରେ ୧୭ ପଣବନ୍ଦୀଙ୍କୁ ମୁକ୍ତକଲା ହାମାସ୍‌

ଗାଜା/ଜେରଜେଲମ୍ : ଇସ୍ରାଏଲ୍‌-ହାମାସ୍ ଯୁଦ୍ଧ ମଧ୍ୟରେ ହାମାସ୍ ଦ୍ୱିତୀୟ ଦଫାରେ ୧୭ ପଣବନ୍ଦୀଙ୍କୁ ହାମାସ୍ ମୁକ୍ତ କରିଛି । ହାମାସ୍ କଏଦ୍‌ରୁ ମୁକ୍ତ ଏହି ୧୩ ଇସ୍ରାଏଲୀ ଏବଂ ୪ ଥାଇ ନାଗରିକ ରବିବାର ଇସ୍ରାଏଲ୍‌ରେ ପହଞ୍ଚିଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧକ ଚୁକ୍ତି ଅନୁସାରେ ସମସ୍ତ ପଣବନ୍ଦୀଙ୍କୁ ସେମାନଙ୍କ ପରିବାର ସହିତ ମିଳନ କରାଯାଇଛି । ତେବେ ସହାୟତା ଯୋଗାଣକୁ ନେଇ କିଛି ସମୟ ପାଇଁ ଚୁକ୍ତି ବିଫଳ ହେବାର ବିପଦ ଦେଖାଦେଇଥିଲା । ମାତ୍ର ତୁର୍କୀ ଓ କାତାର୍‌ର ମଧ୍ୟସ୍ଥତାରେ ଏହାକୁ ଦୂର କରାଯାଇଥିଲା ।

ଦ୍ୱିପାକ୍ଷିକି ଚୁକ୍ତି ଅନୁସାରେ ୧୫୦ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ସ୍ଥିର ହୋଇଥିଲା । ଏଥିରୁ ହିଁ ଚୁକ୍ତିର ଭଙ୍ଗୁରତା ଜଣାପଡ଼ୁଛି । ଏବେ ୧୭ ପଣବନ୍ଦୀ ହାମାସ୍ କଏଦ୍‌ରୁ ମୁକ୍ତ ହୋଇ ନିଜ ନିଜର ଦେଶକୁ ଫେରିଛନ୍ତି । ପଣବନ୍ଦୀ ଗାଜା ଛାଡ଼ିବା ପରେ ଇଜିପ୍ଟ ପକ୍ଷରୁ ସେମାନଙ୍କୁ ରାଫା ସୀମାନ୍ତ ପାର୍ କରାଯାଉଥିବାର ଏକ ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି । ହାମାସ୍ ସେମାନଙ୍କୁ ଶନିବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ରେଡ୍‌କ୍ରସ୍ କମିଟି ହାତରେ ଅର୍ପଣ କରିଥିଲା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଅନୁସାରେ, ମୁକ୍ତ ହୋଇଥିବା ୧୩ ଇସ୍ରାଏଲୀଙ୍କ ମଧ୍ୟରେ ୬ ଜଣ ମହିଳାଙ୍କ ସହିତ ସାତ ଶିଶୁ ଓ କିଶୋର ସାମିଲ । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଅନୁସାରେ ମୁକ୍ତ ପଣବନ୍ଦୀଙ୍କୁ ଇସ୍ରାଏଲ୍ ହସ୍ପିଟାଲ୍ ନିଆଯାଉଛି ଏବଂ ସେଠାରେ ସେମାନେ ନିଜର ପରିବାରକୁ ଭେଟିବେ ।

ଇସ୍ରାଏଲ୍ ପଣବନ୍ଦୀଙ୍କ ବଦଳରେ ୩୩ ନାବାଳକଙ୍କ ସମେତ ୩୯ ପାଲେଷ୍ଟାଇନ୍ ନାଗରିକଙ୍କୁ ଇସ୍ରାଏଲ୍ ଜେଲ୍‌ରୁ ମୁକ୍ତ କରାଯାଇଛି । ଅଲ୍ ଜଜିରା ଟିଭି ଏକ ରେଡ୍‌କ୍ରସ୍ ବସ୍‌ର ଲାଇଭ୍ ଫୁଟେଜ୍ ଜାରୀ କରିଛି, ଯେଉଁଥିରେ ବହୁ ସଂଖ୍ୟକ ପାଲେଷ୍ଟାଇନ୍ କଏଦୀଙ୍କୁ ଇସ୍ରାଏଲ୍ କବ୍‌ଜାରେ ଥିବା ୱେଷ୍ଟ୍ ବ୍ୟାଙ୍କର ବେତୁନିୟା ସହରକୁ ନିଆଯାଉଥିଲା । ଜଣେ ପାଲେଷ୍ଟାଇନ୍ ଅଧିକାରୀ କହିଛନ୍ତି, ଇସ୍ରାଏଲ୍ ସହିତ ହୋଇଥିବା ଚାରିଦିନିଆ ଯୁଦ୍ଧବିରତିକୁ ହାମାସ୍ ଜାରୀ ରଖିବ । ଅକ୍ଟୋବର ୭ ତାରିଖରେ ହାମାସ୍ ଆତଙ୍କୀମାନେ ସୀମା ଅତିକ୍ରମ କରି ଦକ୍ଷିଣ ଇସ୍ରାଏଲ୍‌ରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ହାମାସ୍ ୨୪୦ ଲୋକଙ୍କୁ ପଣବନ୍ଦୀ କରି ନିଜ ସହିତ ନେଇଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ୍ ରିଲିଫ୍ ଟ୍ରକ୍‌କୁ ଉତ୍ତର ଗାଜା ଛାଡ଼ିବା ପ୍ରତିଶ୍ରୁତି ସମେତ ସମସ୍ତ ଯୁଦ୍ଧବିରତି ସର୍ତ୍ତକୁ ପୂରା ନକରିବା ପର୍ଯ୍ୟନ୍ତ ଶନିବାର ନିର୍ଦ୍ଧାରିତ ଦ୍ୱିତୀୟ ଦଫା ପଣବନ୍ଦୀଙ୍କ ମୁକ୍ତି ବିଳମ୍ବିତ ହେବ ବୋଲି ହାମାସ୍‌ର ସଶସ୍ତ୍ର ଶାଖା କହିବା ପରେ ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ହୋଇଥିବା ବୁଝାମଣା ତୁଟିଯିବାର ବିପଦ ଦେଖାଦେଇଥିଲା । ହାମାସ୍ ମୁଖପାତ୍ର ଓସାମା ହମ୍‌ଦାନ୍ କହିଛନ୍ତି, ଶୁକ୍ରବାର ଠାରୁ ଗାଜାରେ ପ୍ରବେଶ କରିବାକୁ ଥିବା ୩୬୦ ରିଲିଫ୍ ଟ୍ରକ୍ ମଧ୍ୟରୁ କେବଳ ୬୫ଟି ଉତ୍ତର ଗାଜାରେ ପହଞ୍ଚିଛି, ଯାହା ଇସ୍ରାଏଲ୍‌ର ସହମତିର ଅଧାରୁ ମଧ୍ୟ କମ୍ । ଅନ୍ୟପକ୍ଷରେ ଆଇଡିଏଫ୍ କହିଛି, ଗାଜାରେ ରିଲିଫ୍ ସହାୟତା ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ଲାଗୁ କରାଯାଇଥିଲା । ସେହିପରି ଅଲ୍‌-କସମ୍ ବ୍ରିଗେଡ୍ ଅଭିଯୋଗ କରିଛି ଯେ ଇସ୍ରାଏଲ୍ ପାଲେଷ୍ଟାଇନ୍ କଏଦୀଙ୍କ ମୁକ୍ତିର ସର୍ତ୍ତ ପାଳନ କରିବାରେ ବିଫଳ ହୋଇଛି ଏବଂ ପାଲେଷ୍ଟାଇନ୍ ବନ୍ଦୀଙ୍କ ବରିଷ୍ଠତା ଆଧାରରେ ମୁକ୍ତ କରାଯାଇ ନାହିଁ । ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି, ହାମାସ୍ ଯଦି ପ୍ରତ୍ୟେକ ଦିନ ୧୦ ପଣବନ୍ଦୀଙ୍କୁ ମୁକ୍ତ କରିବ ତେବେ ଯୁଦ୍ଧବିରତି ବୃଦ୍ଧି କରାଯାଇପାରେ । ଏକ ପାଲେଷ୍ଟାଇନ୍ ସୂତ୍ର ଅନୁସାରେ ୧୦୦ ପଣବନ୍ଦୀଙ୍କୁ ମୁକ୍ତ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking