30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଜିଏସ୍‌ଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ ଓ ଡିଜେଲ : କମିବନି ତେଲ ଦର

ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ ଓ ଡିଜେଲ : କମିବନି ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲିୟମ୍ ପଦାର୍ଥକୁ ଜିଏସ୍‌ଟିରେ ସାମିଲ୍ କରିବା ସହଜ ନୁହେଁ, ଏବେ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯିବାର ସମୟ ଆସିନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ରାଜ୍ୟମାନଙ୍କର ରାଜସ୍ୱ ସଂଗ୍ରହରେ କ୍ଷତି ନହେଉ ଏହାକୁ ନଜରରେ ରଖି ଏ ନେଇ ଅଧିକ ବୈଠକର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ପେଟ୍ରୋଲିୟମ୍ ପଦାର୍ଥକୁ ଜିଏସ୍‌ଟିରେ ସାମିଲ୍ କରାଗଲେ ଜିଏସ୍‌ଟି ଦର ସ୍ଥିରୀକୃତ କରିବାକୁ ଅଧିକ ବୈଠକର ଆବଶ୍ୟକତା ରହିଛି । ପରିଷଦର ଏହି ନିର୍ଣ୍ଣୟକୁ କେରଳ ହାଇକୋର୍ଟକୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି । ଜିଏସ୍‌ଟି ପରିଷଦର ୪୫ତମ ବୈଠକ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ପରେ ପ୍ରଥମଥର ପାଇଁ ଲକ୍ଷ୍ନୌଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଜିଏସ୍‌ଟି ପରିଷଦର ଏହି ବୈଠକ ଉପରେ ସାରା ଦେଶର ନଜର ରହିଥିଲା । ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ୍ କରାଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଥିଲା। କୋଭିଡ୍ ଔଷଧ ଉପରେ ଜିଏସ୍‌ଟି ରିହାତିକୁ ଆଗାମୀ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି ବୋଲି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକ ପରେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ରିହାତି ସେପ୍ଟେମ୍ବର ୩୦ ଯାଏ ଥିଲା । ଅପରପକ୍ଷରେ ମେଡିକାଲ୍ ଉପକରଣ କ୍ଷେତ୍ରରେ ରିହାତି ସମୟ ବୃଦ୍ଧି କରାଯାଇନାହିଁ । ଆଜିର ଏହି ବୈଠକରେ ଗୁଜରାଟକୁ ଛାଡ଼ି ବାକି ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନେ ଭାଗ ନେଇଥିଲେ । ଫୁଡ୍ ଡେଲିଭରୀ ଆପ୍ସକୁ ୫% ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱିଗୀ ଓ ଜମାଟୋ ଉପରେ ୫% ଜିଏସ୍‌ଟି ଲାଗୁ କରାଯିବ ।

ଫଳରେ ଅନ୍‌ଲାଇନ୍ ଖାଦ୍ୟ ମହଙ୍ଗା ହେବ । ଅପରପକ୍ଷରେ ବାୟୋଡିଜେଲ୍ ଉପରେ ଲାଗୁଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରିଛନ୍ତି । ଆମ୍ଫୋଟେରିସିନ୍ ବି ଓ ଟସିଲ୍‌ଜମାବୋ ଔଷଧକୁ ଜିଏସ୍‌ଟିମୁକ୍ତ ରଖାଯାଇଛି । ରେମ୍‌ଡେସିଭିର୍ ଓ ହେପାରିନ୍‌, ଯାହା ଗତ ଜୁନ୍ ବୈଠକରେ ୫%କୁ ହ୍ରାସ କରାଯାଇଥିଲା ଏହାର ଅବଧିକୁ ୩୧ ଡିସେମ୍ବର ଯାଏ ବୃଦ୍ଧି କରାଯାଇଛି । ଅପରପକ୍ଷରେ କରୋନା ଅତିରିକ୍ତ ଅନ୍ୟ ଔଷଧ ଯାହା ଜୀବନରକ୍ଷାକାରୀ ସେପରି ଔଷଧ କ୍ଷେତ୍ରରେ ମଧ୍ୟ ରିହାତି ଦିଆଯାଇଛି । ଯେପରିକି ଜୋଲଗେନ୍ସାମା ଓ ଭିଲ୍‌ଟେପ୍ସୋ, ୧୬ କୋଟି ମୂଲ୍ୟର ଏହି ଦୁଇ ଔଷଧକୁ ଜିଏସ୍‌ଟିମୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଅପରପକ୍ଷରେ ମସ୍କୁଲାର ଆଟ୍ରୋଫି ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରେ ମଧ୍ୟ ରିହାତି ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ପରିଷଦ ଜୋତା, ଚପଲ ଓ କପଡ଼ା କ୍ଷେତ୍ରରେ ଓଲଟା ଶୁଳ୍କ ଢାଞ୍ଚାକୁ ଠିକ୍ କରିବାକୁ ସହମତି ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking