36.1 C
Bhubaneswar
Monday, May 6, 2024
Homeରାଜନୀତିରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ?

ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ?

ଭୁବନେଶ୍ୱର – ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ମହାନଗର ପୌରପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଥିବା ଗରୀବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ । ୨୦୧୮ ମସିହା ମେ ମାସରେ ଯାଗା ମିଶନ ଶୁଭାରମ୍ଭ ହେଲା । ଏହି ଯୋଜନା ସମସ୍ତ ବସ୍ତିର ରାସ୍ତା ଆଲୋକିକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉଦ୍ୟାନ ଏବଂ ଗୋଷ୍ଠୀ କେନ୍ଦ୍ର କରାଯିବା ସହିତ ବାସପୋଯୋଗୀ ଗୃହ ଯୋଗାଇବା ସହିତ ସହରାଂଚଳରେ ଆଉ ଅଧିକ ବସ୍ତି ବୃଦ୍ଧିକୁ ରୋକିବା ଏବଂ ବସ୍ତି ଅଂଚଳର ସଂପୂର୍ଣ୍ଣ ବିକାଶ ଏହାର ମୂଳଳକ୍ଷ ଥିଲା । ଢ଼ାଂଚାଗତ ପରିବର୍ତନ କରାଯିବ ବୋଲି ରାଜ୍ୟସରକାର ଓଡ଼ିଶାର ୧୮ଲକ୍ଷ ଗରୀବ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ । ଏହି ଯାଗା ମିଶନ ଯୋଜନାରେ ୨୦୨୨ ମସିହା ସୁଦ୍ଧା ରାଜ୍ୟର ୧୧୪ ଟି ଅର୍ବାନ ଲୋକାଲ ବଡିଜରେ ଥିବା ସମସ୍ତ ଗରୀବ ଲୋକଙ୍କ ଗୃହ ଯୋଗାଇବା ସହିତ ବିଶୁଦ୍ଧ ପାଣି, ରାସ୍ତା, କମ୍ୟୁନିଟି ସେଂଟର, ପାର୍କ ଏବଂ ଆଲୋକିକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଯାଗା ମିଶନ ଜରିଆରେ ୨୦୧୧ ମସିହା ଜନଗଣନା ଭିର୍ତିରେ ୧ଲକ୍ଷ ୬୫ ହଜାର ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବା କଥା । କିନ୍ତୁ ୨୦୧୮ ମସିହା ମେ ମାସରେ ଟାଟା ଟ୍ରଷ୍ଟ ଓ ନର୍ମାନ ପୋଷ୍ଟର ଭଳି ଦୁଇଟି  ସ୍ୱେଚ୍ଛାସେବୀ ବା ବଦାନ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେଲେ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬୦ ହଜାର  ପରିବାରଙ୍କୁ ଜମି ଅଧିକାରର ସାର୍ଟିଫିକେଟ ପ୍ରଦାନ କରିଛନ୍ତି (ଏଲ ଆରସି) କିନ୍ତୁ ୨୦୨୨ ପୁରିବାକୁ ମାତ୍ର ୧ ବର୍ଷ ପାଖାପାଖି ବାକି ରହିଲା । କିନ୍ତୁ ୧ଲକ୍ଷ ୫ ହଜାର ପରିବାରକୁ ବର୍ତମାନ ସୁଦ୍ଧା ବସ୍ତି ଅଂଚଳର ଜମିର ପଟ୍ଟା ଦାନ କରାଯାଇ ନାହିଁ । ଏହା କେବେ ସରିବ? ଆଉ କେତେବର୍ଷ ଲାଗିବ ଏହି ପରିବାରକୁ ଯାଗା ପ୍ରଦାନ କରିବାରେ ।  ଯାଗା ମିଶନ ତିନୋଟି ପର୍ଯ୍ୟାୟଭୁକ୍ତ ଥିଲା ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ଓ ହସ୍ତାନ୍ତର । ଦ୍ୱିତୀୟ ପର୍ଯ୍ୟାୟଟି ବସ୍ତି ଅଂଚଳର ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଗୃହ ଯୋଗାଇବା କଥା । ତୃତୀୟ ପର୍ଯ୍ୟାୟରେ ବସ୍ତି ଅଂଚଳର ଯୁବକଯୁବତୀ ମାନଙ୍କର ଦକ୍ଷତା ବିକାଶ କରିବା ସହିତ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବି କରିବା ଓ ମୁଖ୍ୟ ସ୍ରୋତରେ ସାମିଲି କରିବା ଉଦ୍ଦେଶ୍ୟ । କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାର ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସମସ୍ତ ସହରାଂଚଳର ବସ୍ତିବାସିନ୍ଦା ମାନେ ରହୁଥିବା ବସ୍ତିର ଆଲୋକିକରଣ କରାଯାଇ ନାହିଁ । ସମସ୍ତଙ୍କ ଘରକୁ ବିଶୁଦ୍ଧ ଜଳ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ବାସଗୃହ କଥା ଛାଡ଼ନ୍ତୁ । ଭୁବନେଶ୍ୱର ମହାନଗର ଉପକଣ୍ଠରେ ବହୁ ବସ୍ତିକୁ ଆଜି ମଧ୍ୟ ଏକ ପିଚୁ ରାସ୍ତା ନାହିଁ । ଏବେ ପର୍ଯ୍ୟନ୍ତ ମାତ୍ର ୧୯% ଅଂଚଳରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ବାକିତକ ଅଂଚଳରେ ଆଲୋକିକରଣ କରାଯାଇ ନାହିଁ ଏହା କେବେ କରାଯିବ । ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଏବଂ ପ୍ରତାରଣା କରିବାଛନା କୌଣସି ଏକ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରି କରିବାରେ ନଜିର ନାହିଁ । ସମସ୍ତ ଯୋଜନା କେବଳ ଭୋଟ ସର୍ବସ୍ୱ । ୨୦୦୫ ମସିହାରେ କଂଗ୍ରେସ ଉପା-୧ ସରକାରଙ୍କ ସମୟରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କ ଉନ୍ନ୍‌ତି ଏବଂ ତାଙ୍କୁ ବାସପୋଯୋଗୀ ଗୃହ ସହିତ ଉପରୋକ୍ତ ସମସ୍ତ ସୁବିଧା ନେବା ପାଇଁ ଯୋଜନା କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ରାଜ୍ୟସରକାର ସହରାଂଚଳରେ ଥିବା ବସ୍ତି ଅଂଚଳରେ କ’ଣ ବିକାଶ କରିଥିଲେ । ୨୦୧୧ ମସିହାରେ ରାଜୀବ ଅବାସ ଯୋଜନା ମାଧ୍ୟମରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କର କ’ଣ ବିକାଶ ହୋଇଥିଲା । ଯଦି ସହରାଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏସବୁ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ନିଜେ ପ୍ରଣୟନ କରୁଥିଲେ ତାହେଲେ କାହିଁକି ଆଉ ଏକ ନୂଆ ଯୋଜନା କରାଗଲା । ଏହି ନୂଆ ଯୋଜନା କରାଯିବାର ଉଦ୍ଦେଶ୍ୟ କଣ କେବଳ ୧୮ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଭୋଟ ହାତେଇବା ନା ତାଙ୍କୁ ଜମି ପ୍ରଦାନ କରିବା ଓ ଗୃହ ମଧ୍ୟ ପ୍ରଦାନ କରିବା । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ରାଜ୍ୟର ଗରୀବ ଜନସାଧାରଣ ଏପରିକି ସହରାଂଚଳରେ ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କର ବିକାଶ ପ୍ରତି ନିଷ୍ଠା ନାହିଁ । ରାଜ୍ୟରେ ଏପର୍ଯ୍ୟନ୍ତ ସମସ୍ତ ୧୧୪ଟି ଅର୍ବାନ ଲୋକାଲ ବଡିଜରେ ଥିବା ୨୫୧୯ଟି ବସ୍ତି ମଧ୍ୟରୁ ମାତ୍ର ୧୯% ବସ୍ତିରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ମୋଦି ସରକାର ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତନ କରିବାରେ ବ୍ୟସ୍ତ ଥିଲାବେଳେ ଏଠି ରାଜ୍ୟ ସରକାର ପ୍ରତିଦିନ ନୂଆ ଯୋଜନା ବନାନ୍ତି ।  ଏସବୁ ହୋଇଥିଲା ତାହେଲେ ଆବଶ୍ୟକତା କାହିଁକି ପଡ଼ିଲା । କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଆବାସ ଯୋଜନାର ନାମ ପରିବର୍ତନ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହୋଇଯାଇଛି ଏବଂ ଔଘଘଟଜଗ ନାମ ପରିବର୍ତନ ହୋଇ ଅମୃତ ଯୋଜନା କେବଳ ହୋଇଯାଇଛି ।  କେବଳ ନୂଆ ଯୋଜନା କରିବା ଏବଂ ପୂରୁଣା ଯୋଜନାର ନାମ ପରିବର୍ତନ କରିଦେଲେ କ’ଣ ବିକାଶ ହୋଇଯିବ । ଠିକ ସେହିଭଳି ଭାବରେ ୩୧୪ ବ୍ଲକ ମଧ୍ୟରୁ ୧୨୭ ବ୍ଲକରେ ୨୦୦୦ ମସିହା ସୁଦ୍ଧା ୩୭% ଜଳସେଚନର ସୁବିଧା ହୋଇଯାଇଥିଲା ବା ବ୍ୟବସ୍ଥା ହୋଇଥିଲା । ନବୀନ ସରକାର ୨୦୦୫ ମସିହାରେ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ ବ୍ଲକରେ ୩୫% ରୁ ଅଧିକ ଜଳସେଚନର ବ୍ୟବସ୍ଥା ୨୦୧୦ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ । କିନ୍ତୁ ଆଜି ସୁଦ୍ଧା ପାଖାପାଖି ୭୬ଟି ବ୍ଲକରେ ୩୫% ଜଳସେଚନ ସୁବିଧା ହୋଇପାରିନାହିଁ । ସାରା ରାଜ୍ୟରେ କୃଷକମାନେ ଅନାବୃଷ୍ଟି ହେତୁ ଚାଷ କରିପାରୁ ନାହାନ୍ତି । ଜଳସେଚନର ସୁବିଧାଥିଲେ ଏଭଳି ଏକ ସମସ୍ୟାକୁ ମୁକାବିଲା କରାଯାଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାର ନିଷ୍ଠାର ଅଭାବ ହେତୁ କୌଣସି ଏକ ଯୋଜନା ସଂପୂର୍ଣ୍ଣ ରୂପେ ରୂପାୟନ କରାଯାଇ ନାହିଁ ଏବଂ ତାହାର ଫଳ ମଧ୍ୟ ରାଜ୍ୟବାସୀଙ୍କୁ ମିଳିଲା ନାହିଁ । ଆଉ କେତେବର୍ଷ ଗଲାପରେ ରାଜ୍ୟର ସମସ୍ତ ବ୍ଲକରେ ୩୫% ଜଳସେଚନର ସୁବିଧା ହେବ । ୨୧ ବର୍ଷର ସରକାର ୨୧ଟି ଯୋଜନା ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରି କରିନାହାନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking