24.1 C
Bhubaneswar
Thursday, May 9, 2024
Homeଓଡିଶାବଢ଼ୁଛି ବିପଦ : ଜଳକା, ସୁବର୍ଣ୍ଣରେଖା, ବୈତରଣୀରେ ବନ୍ୟା

ବଢ଼ୁଛି ବିପଦ : ଜଳକା, ସୁବର୍ଣ୍ଣରେଖା, ବୈତରଣୀରେ ବନ୍ୟା

ଭୁବନେଶ୍ୱର:  ଉପରମୁଣ୍ଡରେ ଲାଗି ରହିଛି ବର୍ଷା ଲାଗି ରହିଥିବାରୁ ରାଜ୍ୟର କେତେକ ନଦୀରେ ବଢ଼ୁଛି ଜଳସ୍ତର । ବର୍ଷା ପରେ ଏବେ ରାଜ୍ୟବାସୀଙ୍କୁ ଘାରିଛି ବନ୍ୟା ଭୟ । ୩ ଦିନର ବର୍ଷା ବିତ୍ପାତ ପରେ ଏବେ ଜଳକା, ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିଛି । ଗତ ୧୧ ତାରିଖରୁ ଜଳକା ନଦୀର ଜଳସ୍ତର ବାଲେଶ୍ୱର ମଥାନୀଠାରେ ବିପଦ ସଙ୍କେତ ଉପରେ ଥିବାବେଳେ ଗୁରୁବାର ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଟପିଛି । ଝାଡ଼ଖଣ୍ଡର ଗାଲୁଡ଼ି ବ୍ୟାରେଜ୍‌ରେ ଏବେ ଏକାଧିକ ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଥିବାରୁ ସମ୍ପୃକ୍ତ ନଦୀଗୁଡ଼ିକର ଜଳସ୍ତର ଫୁଲିବାରେ ଲାଗିଛି ।

ଜଳକା ନଦୀବନ୍ଧର ୪ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ବାଲି ବସ୍ତା ପକାଯାଇ ସେଠାରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଜାରି ରହିଛି । ସୂଚନା ମୂତାବକ, ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି । ବିଶେଷ କରି ବାଲେଶ୍ୱର ଜିଲ୍ଲା ବାଲିଆପାଳ, ଭୋଗରାଇ ଓ ବସ୍ତା ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ୱ ଗାଁରେ ଜଳମଗ୍ନ ସ୍ଥିତି ଉପୁଜିଥିବାବେଳେ ଚତୁର୍ଦ୍ଦିଗ ଜଳମୟ ହୋଇଯାଇଥିବା ନଜରକୁ ଆସିଛି । ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ଲକ୍ଷ ଲକ୍ଷ ହେକ୍ଟରର ଚାଷ ଜମି ବନ୍ୟାପାଣି କବଳରେ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି ।

୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ତାନାନ୍ତର କରାଯାଇଥିବାବେଳେ ସ୍ଥିତିକୁ ଦେଖି ୪ ଓଡ୍ରାଫ୍‌, ୬ ଏସ୍‌ଆର୍‌ସି ଓ ୮ ଅଗ୍ନିଶମ ଟିମ୍‌କୁ ମୁତୟନ କରାଯାଇଛି । ଜରୁରୀ ଯାତାୟତ ପାଇଁ ୧୦ଟି ଡଙ୍ଗାକୁ ନିୟୋଜିତ କରାଯାଇଛି । ସେପଟେ ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀରେ ବନ୍ୟା ଆସିଛି । ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ଭଦ୍ରକ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ବଢିଯାଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୮.୦୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଅନ୍ୟପଟେ ବାଲିଆପାଳ ବ୍ଲକର ୫ ପଞ୍ଚାୟତର ୨୦ ଗାଁ ପାଣି ଘେରରେ ରହିଛି । ଗୁରୁବାର ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣି ଆସିବା ପରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି । ପୂର୍ବରୁ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟାପାଣି ଆସି ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇଛି । ସେପଟେ ଭୋଗରାଇ ବ୍ଲକର ଗବଗା, କୁସୁଡା, ନହରା, ନାଚିନ୍ଦ ପଞ୍ଚାୟତର ଲୋକମାନେ ପାଣି ଘେରରେ ରହିଛନ୍ତି। ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଅଛି । ସମ୍ପୃକ୍ତ ସ୍ଥାନରେ ଇଞ୍ଜିନିୟରମାନେ ଅଛନ୍ତି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧିରେନ ସାମଲ କହିଛନ୍ତି । ଜଳସ୍ତର ବଢ଼ିବା ପରେ ସୃଷ୍ଟି ହୋଇଥିବା ସମସ୍ତ ଘାଇ ଉପରେ ନଜର ରଖାଯାଇଛି । ଜଳକା ଯୋଗୁଁ ତଳମୁଣ୍ଡରେ ୪ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ ।

ଏଥିଲାଗି ସମସ୍ତ ଉପକରଣ ମହଜୁଦ ରହିଛି । ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ଅପରାହ୍ନ ପରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ପାର କରିଛି । ଏହାସତ୍ତ୍ୱେ କିଛି ଅସୁବିଧା ହେବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀ ଅବବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ଖସିବାରେ ଲାଗିଛି । ଉପରମୁଣ୍ଡରୁ ଇନ୍‌-ଫ୍ଲୋ କମିଥିବାବେଳେ ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରରେ ୬୨୯.୪୫ ଫୁଟ ଜଳ ରହିଛି । ଜଳସ୍ତରକୁ ଦେଖି ଇଂଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ ଖୋଲୁଛନ୍ତି ଓ ବନ୍ଦ କରୁଛନ୍ତି । ହୀରାକୁଦରେ ଏବେ ମଧ୍ୟ ୧୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ଶ୍ରୀ ସାମଲ କହିଛନ୍ତି । ଘଟଣା ଉପରେ ନଜର ରଖିବାକୁ ଏସ୍‌ଆର୍‌ସି ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଥିବାବେଳେ ପ୍ରତ୍ୟେକ ଦିନର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking