28.1 C
Bhubaneswar
Friday, April 26, 2024
Homeଓଡିଶାପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ

ସମ୍ବଲପୁର : ରାଜ୍ୟରେ ଧାନ ସଂଗ୍ରହରେ ଟୋକନ୍ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ଏକର ପ୍ରତି ଧାନ ସଂଗ୍ରହ ପରିମାଣର ପୁନର୍ବିଚାର ଦାବିରେ ଶନିବାର ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଚାଷୀମାନେ ରାଜପଥ ଅବରୋଧ କରିଥିଲେ । ଫଳରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଏବଂ  ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ ରାୟପୁର-ଚଣ୍ଡିଖୋଲ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା ।
ବଲାଙ୍ଗିର ଜିଲ୍ଲାର କପାଣି ଛକରେ ଚାଷୀମାନେ ବଲାଙ୍ଗିର-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ଏବଂ ସୋନପୁର ଜିଲ୍ଲାର ଉଲୁଣ୍ଡାରେ ଚାଷୀମାନେ ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ।

ସେମାନଙ୍କ ଦାବି ଉପରେ ରାଜ୍ୟ ସରକାରଙ୍କ ଠୋସ୍ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ସମ୍ବଲପୁରରେ ସିନ୍ଦୁରପଙ୍କ ଚୌଧୁରୀ ଛକଠାରେ ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର ପୂର୍ବ ଘୋଷଣା ମୁତାବକ ପୂର୍ବାହ୍ନ ୧୧ଟାରୁ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାର ୪୦ଟି ଆଞ୍ଚଳିକ ଚାଷୀ ସଙ୍ଗଠନର ୭୦୦ରୁ ଅଧିକ ଚାଷୀ ୬୦ରୁ ଅଧିକ ଧାନ ବୋଝେଇ ଗାଡ଼ି ରଖି ରାଜପଥରେ ବସିଛନ୍ତି । ପଶ୍ଚିମଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଅନ୍ୟତମ ଆବାହକ ଅଶୋକ ପ୍ରଧାନ ଏବଂ ଜିଲ୍ଲା ସଙ୍ଗଠନ ସଭାପତି ମୁରାରୀ ପୁରୋହିତ ଏହାର ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଚାଷୀମାନେ ସମସ୍ତ ଆନ୍ଦୋଳନକାରୀ ଚାଷୀଙ୍କ ଖାଇବା ଏବଂ ମହିଳା ଚାଷୀଙ୍କ ପାଇଁ ରାତ୍ରିଯାପନ ବ୍ୟବସ୍ଥା କରିଥିବା ଜିଲ୍ଲା ସଙ୍ଗଠନ ସମ୍ପାଦକ ବ୍ୟୋମକେଶ ଠାକୁର କହିଛନ୍ତି । ଆନ୍ଦୋଳନସ୍ଥଳରେ ଚାଷୀନେତାମାନେ ବକ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତିର ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking