26.1 C
Bhubaneswar
Wednesday, May 8, 2024
Homeଖେଳଦୁଲୀପ ଟ୍ରଫି: ସାଇକିଶୋରଙ୍କୁ ୭ ୱିକେଟ, ସେଣ୍ଟ୍ରାଲ୍ ଜୋନ୍‌କୁ ୫୦୧ ଟାର୍ଗେଟ୍‌

ଦୁଲୀପ ଟ୍ରଫି: ସାଇକିଶୋରଙ୍କୁ ୭ ୱିକେଟ, ସେଣ୍ଟ୍ରାଲ୍ ଜୋନ୍‌କୁ ୫୦୧ ଟାର୍ଗେଟ୍‌

କୋଏମ୍ବାଟୁର୍‌: ଚଳିତ ଦୁଲୀପ ଟ୍ରଫିର ତୃତୀୟ ଦିନରେ ଶନିବାର ପ୍ରଥମ ସେମିଫାଇନାଲ୍‌ରେ ସେଣ୍ଟ୍ରାଲ୍ ଜୋନ୍‌କୁ ୱେଷ୍ଟ୍ ଜୋନ୍ ବିଶାଳ ୫୦୧ ରନ୍‌ର ଟାର୍ଗେଟ୍ ଦେଇଛି । ସେହିପରି ସାଉଥ୍ ଜୋନ୍ ବୋଲର୍ ଆର୍ ସାଇକିଶୋର କ୍ୟାରିୟର୍‌ରେ ପ୍ରଥମ ଥର ପାଇଁ ୭ ୱିକେଟ୍ ନେବା ଫଳରେ ନର୍ଥ ଜୋନ୍‌ର ପ୍ରଥମ ଇନିଂସ ମାତ୍ର ୨୦୭ ରନ୍‌ରେ ଶେଷ ହୋଇଛି । ଫଳରେ ସାଉଥ୍ ଜୋନ୍ ପ୍ରଥମ ଇନିଂସ ଭିତ୍ତିରେ ୪୨୩ ରନ୍‌ରେ ଅଗ୍ରଣୀ ଲାଭ କରିଥିଲା । ଶନିବାର ଦଳ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ଖେଳ ଶେଷ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୧୫୭ ରନ୍ କରି ଅଦ୍ୟାବଧି ମୋଟ ୫୮୦ ରନ୍‌ରେ ଆଗୁଆ ରହି ବେଶ୍ ଦୃଢ଼ ସ୍ଥିତିରେ ରହିଛି । ଓପନର ରୋହନ୍ କୁନୁମଲ୍ ୯ଟି ଚୌକା ଓ ୨ଟି ଛକା ସହ ୭୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ ୬ଟି ଚୌକା ସହାୟତାରେ ୫୩ ଏବଂ ଟି ରବି ତେଜା ୨ଟି ଚୌକା ଓ ଗୋଟିଏ ଛକା ସହ ୧୯ ରନ୍ କରି ଅପରାଜିତ ଅଛନ୍ତି ।
ଶନିବାର ପ୍ରଥମ ସେମିଫାଇନାଲ୍‌ର ତୃତୀୟ ଦିନର ଖେଳ ୱେଷ୍ଟ୍ ଜୋନ୍‌ର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଓପନର ପୃଥ୍ୱୀ ଶ’ (୧୦୪) ଓ ଅରମାନ୍ ଜାଫର୍ (୭) ଦଳୀୟ ସ୍କୋର୍ ୧୩୦/୩ରୁ ଖେଳ ଆରମ୍ଭ କରିଥିଲେ । ଉଭୟ ଚତୁର୍ଥ ୱିକେଟ୍‌ରେ ୧୧୪ ରନ୍ ଯୋଡ଼ିବା ପରେ ପୃଥ୍ୱୀ ଆଉଟ୍ ହୋଇଥିଲେ । ସେତେବେଳକୁ ଏହି ଡାହାଣହାତୀ ଓପନର ଜଣକ ୧୫ଟି ଚୌାକ ଓ ୪ଟି ଛକା ସହ ୧୪୨ ରନ୍ କରିସାରିଥିଲେ । ଏହାପରେ ଜାଫର୍ ୬ଟି ଚୌକା ଓ ଗୋଟିଏ ଛକା ସହ ୪୯ ରନ୍ କରିଥିବା ବେଳେ ହେତ୍ ପଟେଲ୍ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୭ ରନ୍‌ର ଇନିଂସ ଖେଳିଥିଲେ । ୱେଷ୍ଟ୍ ଜୋନ୍ ତା’ର ଦ୍ୱିତୀୟ ଇନିଂସରେ ୩୭୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଏଥିସହ ସେଣ୍ଟ୍ରାଲ୍ ଜୋନ୍ ସକାଶେ ୫୦୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାର ପିଛା କରିବାକୁ ଯାଇ ଦିନର ଖେଳ ଶେଷ ବେଳକୁ ଦଳ ୨ଟି ୱିକେଟ୍ ବିନିମୟରେ ୩୩ ରନ୍ କରିଛି । ଦୁଇ ଓପନର ହିମାଂଶୁ ମନ୍ତ୍ରୀ ୧୮ ଓ ୟଶ୍ ଦୁବେ ୧୪ ରନ୍ କରି ଆଉଟ୍ ହେବା ପରେ ନାଇଟ୍ ୱାଚ୍‌ମ୍ୟାନ୍ କୁମାର କାର୍ତ୍ତିକେୟ ୧ ଓ ଶୁଭମ୍ ଶର୍ମା ଶୂନ ରନ୍‌ରେ ଅପରାଜିତ ଅଛନ୍ତି । ସେହିପରି ୱେଷ୍ଟ୍ ଜୋନ୍‌ର ଦ୍ୱିତୀୟ ଇନିଂସରେ ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ କାର୍ତ୍ତିକେୟ ୩ଟି ଏବଂ ଅଙ୍କିତ ରାଜପୁତ, ଗୌରବ ଯାଦବ ଓ ଅଧିନାୟକ କର୍ଣ୍ଣ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଶନିବାର ନର୍ଥ ଜୋନ୍ ପକ୍ଷରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଓପନର ୟଶ୍ ଧୂଲ୍ (୮) ଓ ମନନ ବୋହରା (୧୧) ପୂର୍ବଦିନର ସ୍କୋର୍ ୧୯/୦ରୁ ଖେଳ ଆରମ୍ଭ କରିଥିଲେ । ୬୭ ରନ୍‌ରେ ପ୍ରଥମ ୱିକେଟର ପତନ ଘଟିବା ପରେ କୌଣସି ବଡ଼ ଭାଗୀଦାରୀ ହୋଇ ନପାରିବାରୁ ଦଳ ୬୭ ଓଭର୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନିଶାନ୍ତ ସିନ୍ଧୁ ୪ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରିଥିବା ବେଳେ ଧୂଲ୍ ୪ଟି ଚୌକା ଓ ଗୋଟିଏ ଛକା ସହ ୩୯ ରନ୍ କରିଥିଲେ । ସାଉଥ୍ ଜୋନ୍ ପକ୍ଷରୁ ସାଇକିଶୋର ୭୦ ରନ୍‌ରେ ୭ଟି ଓ କ୍ରିଷ୍ଣାପ୍ପା ଗୌତମ ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking