30.1 C
Bhubaneswar
Saturday, May 4, 2024
Homeଓଡିଶାଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡ଼ା ଘାଟି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘାଟିର ତିନୋଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ମୋଟର ସାଇକେଲ ଓ ଅଟୋରେ ଯାତାୟତ କରୁଛନ୍ତି । ଗତ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇ ଯାଇଥିଲା । ଚାରି ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ମରାମତି କାର‌୍ୟ୍ୟ ହୋଇପାରିନାହିଁ । ବ୍ଲକର ଚାରୋଟି ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ, ରଣବା, ବଡ଼ବାରବା ପଂଚାୟତର ପ୍ରାୟ ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପଡ଼ୋଶୀ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଏହି ଘାଟି ରାସ୍ତା ମରାମତି କାର‌୍ୟ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଇକିଆ ଠାରୁ କରଡ଼ା ପର‌୍ୟ୍ୟନ୍ତ ୨୦ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ ମସିହାରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏଯାବତ୍ ରାସ୍ତା ଓ ଘାଟିର ଉନ୍ନତୀକରଣ କାମ ହୋଇ ପାରିନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ଫୁଲବାଣୀ ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ଗଛ ପଡି ବହୁ କ୍ଷୟକ୍ଷତି ହୋଇଛି । ଅଗ୍ନିଶମବିଭାଗ ତରଫରୁ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ ହଟାଯାଇଛି । ଜିଲାର ତୂମୁଡିବନ୍ଧ , କୋଟଗଡ, ରାଇକିଆ , ଫିରିଙ୍ଗିଆ ଅଂଚଳରେ ଲଗାଣ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking