24.1 C
Bhubaneswar
Thursday, May 9, 2024
Homeଓଡିଶାଲୋକଙ୍କ ଭରଷା ଯୋଗ୍ୟ ହୋଇପାରିନି ବିଜେଡି: ଦାମ

ଲୋକଙ୍କ ଭରଷା ଯୋଗ୍ୟ ହୋଇପାରିନି ବିଜେଡି: ଦାମ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେଡିର ପ୍ରତିଷ୍ଠା ଦିବସ ଗୁରୁବାର ଶେଷ ହୋଇଛି । ବିଜେଡିର ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ଅଧସ୍ତନ ନେତା ତଥା ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଏହି ଅବସରରେ ଏକ କଡ଼ା ବାର୍ତ୍ତା ରଖିଛନ୍ତି । ବିଜେଡିକୁ ଏକ ବଡ଼ ଝଟକା ଦେବାକୁ ଉଦ୍ୟମ କରିଛନ୍ତି । ବିଜେଡି ସଫତଳର ଶୀର୍ଷରେ ପହଂଚିଥିବା ନେଇ ଦଳର ନେତା ଓ ମୁଖିଆ ଦାବି କରୁଥିଲା ବେଳେ ଡାକ୍ତର ରାଉତ ଏଥିରେ ସହମତ ନୁହଁନ୍ତି । ଲୋକେ ବିଜେଡି ଉପରେ ୨୨ ବର୍ଷ ଧରି ଭରଷା କରିଥିବା ବେଳେ ପ୍ରତିଦାନରେ ଉପଯୁକ୍ତ ମୂଲ୍ୟ ଦେଇପାରିନି ବୋଲି ଡାକ୍ତର ରାଉତଙ୍କ ମତ । ଡାକ୍ତର ରାଉତଙ୍କ ଏହି ମତ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଡାକ୍ତର ରାଉତ ତାଙ୍କ ଖବରକାଗଜ ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ବରପୁତ୍ର ବିକାଶ ପୁରୁଷ ଦୀବଙ୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ୧୯୯୭ ମସିହା ଡିସେମ୍ବର ୨୬ତାରିଖ ଦିନ ସୃଷ୍ଟି ହୋଇଥିଲା ବିଜୁ ଜନତା ଦଳ । ଏହି ୨୨ ବର୍ଷ ଭିତରୁ ଦଳ ଲଗାତର ଭାବେ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତାରେ ରହିଆସିଛି । ବିଜେଡିର ଏହି ୨୨ ବର୍ଷର ଯାତ୍ରା ଦଳର ଯାତ୍ରା ନୁହେଁ ବରଂ କୁହାଯାଇପାରେ ଓଡ଼ିଶାବାସୀଙ୍କ ଭରଷାର ଯାତ୍ରା । କାରଣ ବିଜୁ ବାବୁଙ୍କ ଆବର୍ତ୍ତମାନରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀ ଆଖିବୁଜି ଭରଷା କରିଛନ୍ତି । ତାଙ୍କ ଉପରେ ଅଜାଡ଼ି ଦେଇଛନ୍ତି ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା । ଯେଉଁଥିପାଇଁ ପାଞ୍ଚ ପାଞ୍ଚ ଥର ନବୀନ କ୍ଷମତାକୁ ଆସିବାକୁ ସଫଳ ହୋଇଛନ୍ତି । ତେବେ ଦୁର୍ଭାଗ୍ୟର ବିଷୟ ବିଜେଡି ଏହି ଭରଷାର ପ୍ରତିଦାନରେ ଏକ ଉପଯୁକ୍ତ ମୂଲ୍ୟ ଦେଇପାରିନି । ବିଜେଡି ଚାହିଁଥିଲେ ୨୨ ବର୍ଷରେ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇପାରିଥାନ୍ତା । ମାତ୍ର ଏହା ହୋଇନି । ଏହାର ଅନେକ କାରଣ ରହିଛି । ଦଳ ଭିତରେ ଅନୁଭବ ଓ ଅନୁଭୂତିକୁ ଅଣଦେଖା କରାଯାଇଛି । ଯେଉଁମାନେ ବିଜୁ ଅନୁଗତ ସେମାନେ ଆଜିର ଦଳରେ ଦେଖିବାକୁ ମିଳୁନାହାଁନ୍ତି । ଦଳ ସମ୍ପୂର୍ଣ୍ଣ କର୍ପୋରେଟ ଢ଼ାଞ୍ଚାରେ ପରିାଚଳିତ ହେଉଛି । ତେବେ ଏସବୁ ଆଲୋଚନାର କୌଣସି ପ୍ରାସଙ୍ଗିକତା ନଥା’ନ୍ତା ଯଦି, ରାଜ୍ୟବାସୀଙ୍କ ବିକାଶରେ ଦଳ ନିଜକୁ ଊତ୍ସର୍ଗୀକୃତ କରିଦେଇଥାନ୍ତା । ହେଲେ କାହିଁ?
ଡାକ୍ତର ରାଉତ କହିଛନ୍ତି, ଉପରକୁ ଚିକଚିକ ଦିଶୁଥିବା ରାଜ୍ୟ ଭିତରେ ଖୋଳ ହୋଇ ଚାଲିଛି । ଖଜୁରୀ ଗଛର ଗୁଣ ଗାଇବା ଭଳି ରାଜ୍ୟର ଅବସ୍ଥା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି । ବିଦ୍ୟାଳୟରେ ପରିବେଶ ଚିକମିକ ହୋଇଛି ହେଲେ ପାଠପଢ଼ା ନାହିଁ । ଶିକ୍ଷକ ନାହାଁନ୍ତି । ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନେ ବିଦ୍ୟାଳୟରେ କମ ରାଜଧାନୀର ରାଜମାର୍ଗରେ ହରତାଳରେ ଅଧିକ ସମୟ କାଟୁଛନ୍ତି । ଏବେ ବି ଗୁରୁତର ରୋଗୀ, ପ୍ରସୂତୀମାନେ ଦୋଳାରେ ବୁହାହୋଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି । ଚାଷୀର ଅବସ୍ଥା ଦିନକୁ ଦିନ ଖରାପ ହୋଇଚାଲିଛି । ଆଉ ଖୋଦ ଚାଷୀ ନିଜର ସ୍ୱାଭିମାନକୁ ବଳି ଦେଇ କଣ୍ଟ୍ରୋଲ ଦୋକାନ ସାମ୍ନାରେ ଟଙ୍କିକିଆ ଚାଉଳ ଆଣିବା ପାଇଁ ବ୍ୟାଗ ଓହଳାଇ ଛିଡ଼ା ହୋଇଛି । ଏହା ହେଉଛି ୨୨ ବର୍ଷ ବିକାଶର ଉପଲବ୍ଧି ।
ଡାକ୍ତର ରାଉତ କହିଛନ୍ତି, ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । ନିର୍ବାଚନ ଜିତିସାରିବା ପରେ ସେସବୁ ଯୋଜନାକୁ କେନ୍ଦ୍ର ସରକାରଙ୍କ ଉପରେ ଲଦି ଦେବାକୁ ଯାଉଛନ୍ତି । କାରଣ ରାଜ୍ୟର ଆର୍ôଥକ ସ୍ଥିତି ଅତ୍ୟନ୍ତ ଦୟନୀୟ । ଲକ୍ଷେ କୋଟି ଟଙ୍କାର ଋଣ ଉପହାର ଏହି ୨୦ ବର୍ଷର ସବୁଠାରୁ ବଡ଼ ଉପଲବ୍ଧି । ଜନ୍ମ ହେବାକୁ ଥିବା ପିଲାମୁଣ୍ଡରେ ୩୦ ହଜାର ଟଙ୍କାର ଋଣ ବୋଝ । ଏହା କଣ ଲୋକଙ୍କ ଭରଷାର ପ୍ରତିଦାନ ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଛନ୍ତି?
ସେ କହିଛନ୍ତି ଦଳରେ ନବୀନ ବାବୁଙ୍କ ଭଳି ନ ହେଲେ ବି ତାଙ୍କ ପାଖାପାଖି ଲୋକପ୍ରିୟତା ବୋଲାଉଥିବା ନେତା ସୃଷ୍ଟି ହେବା ଦରକାର । ମାତ୍ର ଦଳରେ ସେଭଳି ନେତା ନାହାଁନ୍ତି । ନବୀନ ବାବୁ ଓ ତାଙ୍କ ସହକର୍ମୀମାନଙ୍କ ଭିତରେ ବିରାଟ ଗ୍ୟାପ । ଡାକ୍ତର ରାଉତଙ୍କ ମତରେ ବିଜୁବାବୁଙ୍କ ନାମରେ ନାମିତ ଦଳରେ ବିଜୁଙ୍କ ଆଦର୍ଶ ଓ ନୀତି ହତ୍ୟା ହେଉଛି । ଦଳ କେତେକ ତୋସାମଦକାରୀ ଓ ଅମଲାଙ୍କ ହାତରେ କ୍ରୀଡ଼ନକ ସାଜିଛି । ସେ ଆଉ ଗୋଟିଏ ବଡ଼ କଥା ଉଲ୍ଲେଖ କରିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ପ୍ରଦାନ କରୁଛି ଏହା ନିଶ୍ଚିତ ରୂପେ କେନ୍ଦ୍ର- ରାଜ୍ୟ ସମ୍ପର୍କ ଦୃଷ୍ଟିରୁ ହୀତକର । ମାତ୍ର ଏହା ବଦଳରେ କେନ୍ଦ୍ର ନିକଟରୁ ଓଡ଼ିଶାର ଦାବି ହାସଲ କରିବାରେ ଦଳ ନିଜକୁ ଦୃଢ଼ କରି ନ ପାରିବା ଦଳର ଦୁର୍ବଳତା ବୋଲି ଦର୍ଶାଇଛନ୍ତି ।
ଡାକ୍ତର ରାଉତଙ୍କ ଏହି ଆକ୍ଷେପ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking