30.1 C
Bhubaneswar
Thursday, May 9, 2024
Homeଅପରାଧଘରୋଇ କଳିରୁ ଜଘନ୍ୟକାଣ୍ଡ; ସ୍ତ୍ରୀକୁ କଟୁରୀରେ ହାଣି ସ୍ୱାମୀ ଚମ୍ପଟ

ଘରୋଇ କଳିରୁ ଜଘନ୍ୟକାଣ୍ଡ; ସ୍ତ୍ରୀକୁ କଟୁରୀରେ ହାଣି ସ୍ୱାମୀ ଚମ୍ପଟ

ରାଇରଙ୍ଗପୁର: ଘରୋଇ କଳିକୁ ନେଇ ଅମାନବୀୟ ଘଟଣା । ସ୍ତ୍ରୀକୁ କଟୁରୀରେ ଆକ୍ରମଣ କଲା ସ୍ୱାମୀ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ଅଭିଯୁକ୍ତ ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସିଲଟିଆ ଗ୍ରାମରେ । ସୂଚନା ଅନୁଯାୟୀ, ଚନ୍ଦ୍ର ଗାଗରାଇ ଓ ସୋମବାରୀ ଗାଗରାଇ ଦୁହେଁ ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ସ୍ଥିତ ସିଲଟିଆ ଗ୍ରାମର ବାସିନ୍ଦା ଅଟନ୍ତି । ଗତକାଲି(ଶନିବାର) ସନ୍ଧ୍ୟା ସମୟରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ନିଜ ଘରେ ଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ସାଧାରଣ ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ଚନ୍ଦ୍ର ଗାଗରାଇ ଉତ୍ୟକ୍ତ ହୋଇ ଘରେ ଥିବା ଏକ ଧାରୁଆ କଟୁରୀ ସାହାଯ୍ୟରେ ସ୍ତ୍ରୀ ସୋମବାରୀକୁ ଆକ୍ରମଣ କରିଥିଲେ ।

ସୋମବାରୀର ବେକକୁ କଟୁରୀରେ ଆକ୍ରମଣ କରିବା ପରେ ସୋମବାରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେହିଠାରେ ହିଁ ପଡ଼ି ରହିଥିଲେ । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ସ୍ୱାମୀ ଚନ୍ଦ୍ର ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପରିବାରର ଅନ୍ୟ ସଦସ୍ୟମାନେ ସୋମବାରୀକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପାଖ ପଡୋଶୀଙ୍କୁ ଖବର ଦେଇଥିଲେ । ପଡୋଶୀଙ୍କ ସହାୟତାରେ ସୋମବାରୀଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାରୀଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking