24.1 C
Bhubaneswar
Thursday, May 9, 2024
Homeଓଡିଶାର ପ୍ରସିଦ୍ଧ ଦୁର୍ଗା ପୂଜାମହାଭାରତର ବିରାଟ ମହଲରେ ବିରାଜିବେ ମା’ ,୧୨ ବର୍ଷରେ ପଦାର୍ପଣ କରିଛି ଡମଣା ଦୁର୍ଗା ପୂଜା

ମହାଭାରତର ବିରାଟ ମହଲରେ ବିରାଜିବେ ମା’ ,୧୨ ବର୍ଷରେ ପଦାର୍ପଣ କରିଛି ଡମଣା ଦୁର୍ଗା ପୂଜା

ଚନ୍ଦ୍ରଶେଖରପୁର : ୧୨ ବର୍ଷରେ ପଦାର୍ପଣ କରିଛି ଡମଣା ଦୁର୍ଗା ପୂଜା। ପ୍ରତିଥର ଭଳି ଏଥର ମଧ୍ୟ ଡମଣା ଦୁର୍ଗା ପୂଜା କମିଟି ମା’ଙ୍କ ପୂଜାରେ ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟିଦେବ। ଏଥର ମହାଭାରତର ବିରାଟ ରାଜାଙ୍କ ସୁଦୃଶ ଝଲମଲ ପ୍ରାସାଦରେ ବିରାଜିବେ ମା’ ଦୁର୍ଗା। ଫୋମ୍, ସନ୍‌ପ୍ୟାକ୍, କାଚ, ପ୍ଲାଏ, ପ୍ଳାଷ୍ଟର ଅଫ୍ ପ୍ୟାରିସ ଓ ସ୍ପଞ୍ଜରେ ତିଆରି ହେଉଛି ମହାଭାରତର ଚର୍ଚ୍ଚିତ ବିରାଟ ପ୍ରାସାଦ, ଯେଉଁଠି ଏକଦା ପାଣ୍ଡବମାନେ ଛଦ୍ମବେଶରେ ଆତ୍ମଗୋପନ କରିଥିଲେ ଏବଂ ଯେଉଁଠି ବାହୁବଳୀ କିଚକର ରଙ୍ଗଶାଳାରେ ଶୁଭୁଥିଲା ବୃହନଳା ଅର୍ଜୁନର ମୃଦଙ୍ଗର ତାନ। ପଶ୍ଚିମବଙ୍ଗର ୨୦ କୁଶଳୀ କାରିଗର ଏହି ମହଲର ଅବିକଳ ତୋରଣ ନିର୍ମାଣରେ ଦିନରାତି ଲାଗିପଡ଼ିଛନ୍ତି। ତୋରଣକୁ ଆହୁରି ଆକର୍ଷଣୀୟ କରିବାକୁ ସେଥିରେ ଶାମୁକା, କାଚ ଓ କଉଡ଼ିରେ ଖଞ୍ଜିଦିଆଯିବ। ପଶ୍ଚିମବଙ୍ଗରୁ ଆସିଥିବା ୧୭ଜଣ କାରିଗର ତୋରଣ ନିର୍ମାଣ କାମରେ ଲାଗିପଡ଼ିଛନ୍ତି। ଏହି ତୋରଣର ଉଚ୍ଚତା ୭୮ ଫୁଟ୍ ଓ ଚଉଡ଼ା ୧୦୦ ଫୁଟ୍‌ ହେବ ବୋଲି ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ନିଷ୍ପତ୍ତି ନେଇଛି। ବଡ଼ କଥା ହେଉଛି ପୂଜାକୁ ପ୍ରଦୂଷଣ ମୁକ୍ତ କରିବାକୁ ସବୁପ୍ରକାର ଉଦ୍ୟମ ଚାଲିଛି।ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏବର୍ଷ ରାସାୟନିକ ରଙ୍ଗ ବ୍ୟବହାର ହେଉ ନାହିଁ। ମଣ୍ଡପ ନିକଟରେ ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି। ଏଥରର ମୁଖ୍ୟ ଆକର୍ଷଣ ସାଜିବ ଇ-ରାବଣପୋଡ଼ି। ବିଜୟା ଦଶମୀରେ ୫୦ ଫୁଟ୍‌ ଉଚ୍ଚର ରାବଣ ପୋଡ଼ାଯିବ। କିନ୍ତୁ ଶବ୍ଦ ପ୍ରଦୂଷଣ କରିବା ଭଳି ବାଣ ବ୍ୟବହାର ହେବ ନାହିଁ। ଏଥର ପୂଜା ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବାକୁ ଯୋଜନା କରିଛି। ତୋରଣ ଓ ସାଜସଜ୍ଜା ବାବଦରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ରହିଛି। ମା’ଙ୍କର ୧୨ ଫୁଟ୍‌ ମୂର୍ତ୍ତି ସହ ୧୪ ଫୁଟ୍‌ର ମେଢ ତିଆରି କରାଯାଉଛି। ପୁରୁଣା ଭୁବନେଶ୍ୱରର ୪ ଜଣ ଦକ୍ଷ ମୂର୍ତ୍ତିକାର ନିୟୋଜିତ ହୋଇଛନ୍ତି। ତାରକସି କାମ ଓ କାରୁକାର୍ଯ୍ୟପୂର୍ଣ୍ଣ ଚାନ୍ଦି ମୁକୁଟରେ ମା’ ଝଟକିବେ। ତୋରଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ୫ଟି ଏଲ୍‌ଇଡି ଗେଟ୍ କରାଯିବ। ଷଷ୍ଠୀ ଦିନ ଭଜନ ସନ୍ଧ୍ୟା ଓ ସମ୍ବର୍ଦ୍ଧନା ହେବାକୁ ଥିବା ବେଳେ ସପ୍ତମୀରେ ନୃତ୍ୟ, ଅଷ୍ଟମୀରେ ମେଲୋଡି, ନବମୀରେ ନୃତ୍ୟ ଓ ଦଶମୀରେ ଡିଜେ ନାଇଟ୍‌ ଅନୁଷ୍ଠିତ ହେବ। ଷଷ୍ଠୀ ପୂଜାରେ ବିଲ୍ୱବରଣ, ସପ୍ତମୀରେ ୧୦୮ କଳସ ଯାତ୍ରା, ଅଷ୍ଟମୀରେ ସୂର୍ଯ୍ୟପୂଜା, ନବମୀରେ ୨୧ କୁମାରୀ ପୂଜା ସହ ୧୦୮ ଦୀପ ପ୍ରଜ୍ଜ୍ବଳନ ଓ ଚରୁଅନ୍ନ ଭୋଗଲାଗି କରାଯିବ। ଦଶମୀରେ ଦହି ପଖାଳ ଭୋଗଲାଗି ହେବା ପରେ ଭକ୍ତଙ୍କୁ ବଣ୍ଟାଯିବ। ଏଥର ମଧ୍ୟ ମୀନାବଜାର ଓ ରାମଦୋଳି ପଡ଼ିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking