28.1 C
Bhubaneswar
Friday, April 26, 2024
Homeଓଡିଶାଛାଡ଼ିଗଲା ବାତ୍ୟା ଦେଇଗଲା ଦୁଃଖ, ଏବେ ବି ଜଳବନ୍ଦୀରେ ଗାଁ’ଲୋକେ

ଛାଡ଼ିଗଲା ବାତ୍ୟା ଦେଇଗଲା ଦୁଃଖ, ଏବେ ବି ଜଳବନ୍ଦୀରେ ଗାଁ’ଲୋକେ

ବାଲେଶ୍ୱର : କରୋନା ଭାଇରସ ସହ ବାଲେଶ୍ୱରବାସୀ ସଂଗ୍ରାମ କରୁଥିବାବେଳେ ବାତ୍ୟା ୟାଶ୍ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ବାତ୍ୟା ଛାଡି ଯାଇଛି ସତ, ହେଲେ ପ୍ରବଳ ବର୍ଷାରେ ଜଳବନ୍ଦୀରେ ରହିଥିବା ଲୋକମାନେ ଘୋର ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି । ଭୋକ ଓପାସରେ ସେମାନେ ଦିନ କାଟୁଛନ୍ତି । ବାତ୍ୟା ଯୋଗୁଁ ଜିଲ୍ଲାର ବାହାନଗା, ରେମୁଣା, ଜଳେଶ୍ୱର, ବାଲିଆପାଳ, ଖଇରା ସମେତ ଚାନ୍ଦିପୁର ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ରର ପ୍ରାୟ ୯ ଫୁଟ ଜୁଆର ପାଣି ବିଭିନ୍ନ ଗାଁକୁ ପ୍ରବେଶ ବ୍ୟାପକ ଅଞ୍ଚଳ ଜଳ ପ୍ଳାବିତ ହୋଇଛି । ପବନ ମାଡରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ପଡ଼ିଛି । ଫଳରେ ଦୁଇ ଦିନ ହେବ ଲେକେ ଅନ୍ଧକାରରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିପନ୍ନ ଲୋକମାନଙ୍କୁ ରିଲିଫ ଯୋଗାଣ ପାଇଁ ଉଦ୍ୟମ ଜାରି ରହିଛି ।

ଗତକାଲି ବାଲେଶ୍ୱରରେ ପହଞ୍ôଚଥିବା ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟର ତଦାରଖ କରୁଛନ୍ତି । ଶ୍ରୀ ସ୍ୱାଇଁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରବା ସହ ଲୋକମାନଙ୍କୁ ଚୁଡା, ଚାଉଳ ଆଦି ଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଥିଲେ ଯେ ବାତ୍ୟା ପ୍ରଭାବରେ ଜିଲ୍ଲାର ୮୪ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ନେଇଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ପଡ଼ିଛି । ତେବେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଏକ ସପ୍ତାହ ମଧ୍ୟରେ ସ୍ଥିତି ସ୍ୱାଭାବିକ ସ୍ତରକୁ ଫେରି ଆସିବ । ବାତ୍ୟା ସମୟରେ ଉପୁଡ଼ି ଗଛ ଗୁଡ଼ିକ କଟାଯାଇ ରାସ୍ତା ପରିସ୍କାର କରାଯାଉଛି । ବିଶେଷ କରି ଜୁଆର ପାଣି ମାଡ଼ି ଆସିବାରୁ ଜିଲ୍ଲାକୁ ବଡ଼ ବିପଦ ସୃଷ୍ଟି ହୋଇଛି । ଲୋକମାନଙ୍କୁ ପିଇବା ପାଣି ଯୋଗାଇବାକୁ ଉଦ୍ୟମ କରାଯାଉଛି । ବାଲେଶ୍ୱରରେ ଚୁଡା ୯୮୪.୬୯ କ୍ୱିଣ୍ଟାଲ ଚୁଡ଼ା ମହଜୁଦ ଥିବା ବେଳେ ଗୁଡ଼ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଅଛି ।

ଏହାବ୍ୟତୀତ ଗହମ ୩୯,୨୬୩ କ୍ୱିଣ୍ଟାଲ, କିରୋସିନ ୧୩,୯୪,୮୯୪ ଲିଟର, ଏସଏଫଏସଏସ ଚାଉଳ ୭୯୬୭.୮ କ୍ୱିଣ୍ଟାଲ, ଏନଏଫଏସଏ ଚାଉଳ ୧,୭୪,୩୫୫ କ୍ୱିଣ୍ଟାଲ ଓ ଅନ୍ନପୂର୍ଣ୍ଣା ଚାଉଳ ୮୭୪ କ୍ୱିଣ୍ଟାଲ ମହଜୁଦ ରହିଛି । ବିଶେଷ କରି ଲୋକମାନଙ୍କୁ ଏହା ପ୍ରଦାନ କରାଯାଉଥିବା ବେଳେ ବାତ୍ୟା କ୍ଷତି ଗ୍ରସ୍ତ ଲୋକଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାଛଡା ମେ’ ଓ ଜୁନ ମାସର ଚାଉଳ କୋଟା ଲୋକଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି । ଏହାଛଡା ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ୭ ଦିନିଆ ରିଲିଫ ପ୍ରଦାନ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହା ମଧ୍ୟ ଠିକ ଭାବେ କରାଯାଉଛି । ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ଚାଷୀମାନଙ୍କୁ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ହଇରାଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୧୧ କୋଟି ଟଙ୍କା ଧାନ ବାବଦରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି ।

ବାତ୍ୟା କ୍ଷତିଗ୍ରସ୍ତ ଗାଁର ଯେଉଁ ଚାଷୀମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କର ୨୪ ଘଣ୍ଟା ମଧ୍ୟରେ ତାଲିକା ପ୍ରସ୍‌ୁତି କରି ସେମାନଙ୍କର ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି । ଚାଷୀଙ୍କୁ ଯେଉଁମାନେ ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍ ବିଶାଳ ଦେବ ସୂଚନା ଦେଇ କହିଛନ୍ତି ଯେ ବାତ୍ୟାକୁ ଜିଲ୍ଲା ପ୍ରଶାସନ ସଠିକ ଭାବେ ମୁକାବିଲା କରିଛନ୍ତି । ବାତ୍ୟା ପୁର୍ବରୁ ସଠିକ କାର୍ଯ୍ୟ କରାଯାଇଥିବା ବେଳେ ପ୍ରାଭାବିତ ହେବାକୁ ଥିବା ଲୋକମାନଙ୍କୁ ଠିକ ଠାରେ ଥଇଥାନ କରିଛନ୍ତି । ଏହାଛଡା ବର୍ତ୍ତମାନ ସ୍ଥିତିରେ ବିଦ୍ୟୁତ ସଂଯୋଗ ଓ ପିଇବା ପାଣି ଉପରେ ଗୁରୁତ୍ୱାରୋପ କରାଯାଉଛି । ବିଶେଷ କରି ପ୍ରଭାବିତ ହୋଇଥିବା ୮୪ଟି ଗାଁ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି ।

ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ଥଇଥାନ କରାଯାଉଛି । କ୍ଷୟକ୍ଷତିର ରିପୋର୍ଟ ଶିଘ୍ର ସରକାରଙ୍କୁ ପ୍ରଦାନ କରାଯିବ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅନନ୍ତ ଦାସ, ସଦର ବିଧାୟକ ସ୍ୱରୂପ ଦାସ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking