40.1 C
Bhubaneswar
Friday, May 3, 2024
Homeଅପରାଧପୁଲିସ ପରିଚୟ ଦେଇ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌

ପୁଲିସ ପରିଚୟ ଦେଇ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌

କଟକ: ମାଲଗୋଦାମ ଓ ପୀଠାପୁର ଅଞ୍ଚଳରେ ଦୁଇ ଜଣ ବ୍ୟବସାୟୀଙ୍କ ନିକଟରୁ ୩ ଲକ୍ଷ ୩୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏହି ଲୁଟେରା ଦଳ ଏକ କଳା ରଙ୍ଗର ବାଇକରେ ଆସି ନିଜକୁ ପୁଲିସ ପରିଚୟ ଦେବା ସହିତ ନିର୍ବାଚନ ପାଇଁ ଯାଞ୍ଚ ଆଳରେ ଏଭଳି ଲୁଟିଥିବା ଉଭୟ ବାଦାମବାଡ଼ି ଓ ମାଲଗୋଦାମ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଶଙ୍କରପୁରରେ ରହୁଥିବା ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଶିବୁ ବିଶ୍ୱାସ ଇମିଟେସନ ଅଳଙ୍କାର ବ୍ୟବସାୟ କରନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ ପୀଠାପୁର ମୁନଲାଇଟ୍ ଲେନ ରାସ୍ତାରେ ଇମିଟେସନ୍ ଅଳଙ୍କାର କିଣିବାକୁ ଯାଉଥିଲେ । ଏହି ସମୟରେ ମୁନ ଲାଇଟ୍ ଲେନ୍ ନିକଟରେ ଦୁଇଜଣ ଯୁବକ ଏକ କଳାରଙ୍ଗର ବାଇକରେ ସେଠାରେ ପହଞ୍ଚିଥିଲେ । ନିଜକୁ ପୁଲିସ ପରିଚୟ ଦେଇଥିଲେ । ସାଧାରଣ ନିର୍ବାଚନ ପାଇଁ ପୁଲିସ ଚେକିଂ କରୁଥିବା ବେଳେ ବ୍ୟାଗରେ କଣ ରଖିଛନ୍ତି, ସେ ନେଇ ଶିବୁଙ୍କୁ ପଚାରିଥିଲେ । ଶିବୁ ତାଙ୍କ ବ୍ୟାଗରେ ଥିବା ୩୦ ହଜାର ଟଙ୍କା ଦେଖାଇଥିଲେ । ଏହି ଦୁଇ ନକଲି ପୁଲିସ ୩୦ ହଜାର ଟଙ୍କା ଧରି ଛତ୍ରବଜାର ଆଡ଼କୁ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଶିବୁ ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଦେମାଳ ଅଞ୍ଚଳର ଚନ୍ଦନ କୁମାର ପଣ୍ଡା ତେଜରାତି ସାମଗ୍ରୀ କିଣିବାକୁ ମାଲଗୋଦାମକୁ ଆସିଥିଲେ । ଓଏମପି ଛକରେ ଓହ୍ଲାଇ ଫ୍ଲାଏ ଓଭର ରାସ୍ତାରେ ମାଲଗୋଦାମ ଆସୁଥିଲେ । ଦିନ ପ୍ରାୟ ୧୨ଟା ୨୦ ବେଳେ ମାଲଗୋଦାମ ଓଭର ବ୍ରିଜ ନିକଟରେ ଦୁଇ ଜଣ ବ୍ୟକ୍ତି ଏକ କଳା ରଙ୍ଗର ବାଇକରେ ଆସି ସେଠାରେ ପହଞ୍ଚିଥିଲେ । ପୁଲିସ ପରିଚୟ ଦେବା ସହିତ ଏକ କାର୍ଡ ଦେଖାଇଥିଲେ । ନିର୍ବାଚନ ପାଇଁ ପୁଲିସ ଏବେ ଯାଞ୍ଚ କରୁଥିବାରୁ ତାଙ୍କୁ ଯାଞ୍ଚ କରିବା ପାଇଁ ରାସ୍ତାରେ ଅଟକାଇଥିଲେ । ସେ ତେଜରାତି ସାମଗ୍ରୀ କିଣିବା ପାଇଁ ଆଣିଥିବା ୩ ଲକ୍ଷ ଟଙ୍କା ଦୁଇ ନକଲି ପୁଲିସ ଛଡ଼ାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଚନ୍ଦନ ମାଲଗୋଦାମ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିିଛି । ତେବେ ଦୁଇଟି ଘଟଣାରେ ଗୋଟିଏ ଗ୍ୟାଙ୍ଗ ଲୁଟ୍ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଏମାନେ ରାଜ୍ୟ ବାହାର ଗ୍ୟାଙ୍ଗ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ମାଲଗୋଦାମ ଓଭର ବ୍ରିଜକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଓ ମୁନ ଲାଇଟ ଲେନର ସମସ୍ତ ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ପୁଲିସ ଏବେ ଅନୁଧ୍ୟାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking