32.1 C
Bhubaneswar
Friday, April 26, 2024
Homeରାଜନୀତିଚେଲ୍ଲାଙ୍କ ତାଗିଦ୍ କାମ କଲାନି : ତାରାଙ୍କ ବିରୋଧରେ ବିଷ ଉଗାଳିଲେ କୁଳେଶିକା

ଚେଲ୍ଲାଙ୍କ ତାଗିଦ୍ କାମ କଲାନି : ତାରାଙ୍କ ବିରୋଧରେ ବିଷ ଉଗାଳିଲେ କୁଳେଶିକା

ଭୁବନେଶ୍ୱର (ବିପିନ ସିଂହ): କଂଗ୍ରେସରେ ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଥମୁ ନାହିଁ । ଦଳ ରସାତଳକୁ ଯାଇଥିଲେ ବି ନେତାଙ୍କୁ କିଛି ଫରକ ପଡ଼ୁ ନାହିଁ । ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଅସନ୍ତୁଷ୍ଟମାନେ ଦଳ ଛାଡ଼ି ଚାଲିଯିବାକୁ କଡ଼ା ଚେତବାନୀ ସତ୍ତ୍ୱେ ଏହାର ପ୍ରଭାବ ନେତାଙ୍କ ଉପରେ ପଡୁ ନଥିବା ଦେଖାଦେଉଛି । ଆଜି ଖୋଲା ଖୋଲି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଳେଶିକା ବିଷୋଦଗାର କରିଛନ୍ତି । ତାରା ବିଜେଡି ଏଜେଣ୍ଟ ବୋଲି ସେ ଗଣମାଧ୍ୟମରେ ମତ ରଖିଛନ୍ତି । ବିଷୋଦଗାର କରୁଥିବା ତାରା କିନ୍ତୁ ଏହି ଘଟଣାରେ ନିରବ ରହିବାକୁ ଉଚିତ ମନେ କରିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବିରୋଧରେ ବିଧାୟକ ତାରାପ୍ରସାଦ ବାହିନୀପତି ମତ ରଖିବା ପରେ ତାକୁ ନେଇ ଦଳ ଭିତରେ ଝଡ଼ ଦେଖାଦେଇଥିଲା । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ ତାରାଙ୍କ ବିରୋଧରେ ମତ ରଖିଥିଲେ । ତାରାଙ୍କୁ ଆଦିବାସୀ ବିରୋଧୀ ବୋଲି ଏକ ଧାରଣା ସୃଷ୍ଟି କରବା ପାଇଁ ମତ ମଧ୍ୟ ଦେଇଥିଲେ । ଏହାକୁ ନେଇ ତାରା ଓ ପ୍ରଦୀପଙ୍କ ମଧ୍ୟରେ ବିବାଦ ଜୋରଦାର ହୋଇଥିଲା । ବିବାଦ ଯାଇ ଏଆସିସିରେ ପହଞ୍ଚିଥିଲା । ଦଳୀୟ ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଓଡ଼ିଶା ଦାୟିତ୍ୱରେ ଥିବା ଦଳର ପ୍ରଭାରୀ ଚେଲ୍ଲା କୁମାର ଗତକାଲି ଆସି ଭୁବନେଶ୍ୱରେ ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସ୍ପଷ୍ଟ କରିଦେଇଥିଲେ ଯେ, ଦଳରେ ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନଙ୍କୁ ଦଳ ଛାଡ଼ିବାର ଅଛି ସେମାନେ ସିଧା ଚାଲି ଯା’ନ୍ତୁ । ବହୁ ନେତା ଦଳରୁ ଯାଇଛନ୍ତି । ତଥାବି କଂଗ୍ରେସ ମଜବୁତ୍ ହୋଇ ରହିଛି । ଏହି ଘଟଣା ପରେ ତାରା ନରମୀ ଥିଲେ । ପିସିସି ସଭାପତିଙ୍କ ବିରୋଧରେ ଯେଉଁ ବିଷୋଦଗାର କରିଥିଲେ ସେଥିପାଇଁ ସେ କୁଆଡ଼େ ଦୁଃଖ ପ୍ରକାଶ କରିଥିଲେ ବୋଲି କୁହାଯାଉଛି । କିନ୍ତୁ ନିରଞ୍ଜନଙ୍କୁ ବଡ଼ ଭାଇ ପରି ମାନନ୍ତି ଓ ତାଙ୍କର କୌଣସି ମତ ଭେଦ ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ । ବିଶୃଙ୍ଖଳା ଏଡ଼ାଇବା ପାଇଁ ଚେଲ୍ଲା କୁମାର ଆଜି କଂଗ୍ରେସ ଭବନରେ ଜିଲ୍ଲା ସଭାପତି ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସେଠି ସେ ସଫା ସଫା ସମସ୍ତଙ୍କୁ ଗଣମାଧ୍ୟମକୁୁ ଯାଇ ପରସ୍ପର ବିରୋଧରେ ମତ ନରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତେ ମିଳିମିଶି କାମ କରିବା ପାଇଁ ସେ କହିଥିଲେ । ହେଲେ ଚେଲ୍ଲା କୁମାରଙ୍କ ଏହି ତାଗିତ ବୋଧ ହୁଏ ସବୁ ନେତାଙ୍କ ଉପରେ ପ୍ରଭାବ ପକାଇଲା ନାହିଁ । ବୈଠକରୁ ବାହାରିବା ପରେ କୈଳାସ କୁଳେଶିକା ସିଧାସଳଖ ତାରା ବାହିନୀପତି ଓ କୋରାପୁଟ ଜିଲ୍ଲା ସଭାପତି ଥିବା ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ବିରୋଧରେ ମତ ରଖିଥିଲେ । କୁଳେଶିକା କହିଥିଲେ, ‘ ମୁଁ ଆଗରୁ କହିଛି କଂଗ୍ରେସ ଦଳରେ ରହି ବିଜେଡି ପାଇଁ କାମ କରୁଛନ୍ତି, କୋରାପୁଟ ଜିଲ୍ଲା ସଭାନେତ୍ରୀ ଓ ଜୟପୁର ବିଧାୟକ । ମୁଁ ଏହି କଥା ଦଳରେ କହିଲି, ହେଲେ ତା’ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ହେଲେ ମୋତେ କୁହାଗଲା ଦଳରେ ରହି କାମ କର । ଆପଣମାନଙ୍କ ଠାରୁ ଜାଣିବାକୁ ପାଉଛି ସେ (ତାରା) କୁଆଡ଼େ କ୍ଷମା ମାଗିଛନ୍ତି । ଯଦି ଜଣେ ଲୋକ ଭୂଲ କରିଦେବ ତାକୁ କ’ଣ ଛାଡ଼ି ଦିଆଯିବ ? ଆମେବି ସେମିତି କହିକି କ୍ଷମା ମାଗିବୁ ।’ ଏଥିରେ ସେ ସ୍ପଷ୍ଟ ଭାବରେ ବିଜେଡି ପାଇଁ ତାରାପ୍ରସାଦ ବାହିନୀପତି କାମ କରୁଛନ୍ତି ବୋଲି କହିଥିବାରୁ ତାଙ୍କ ବିରୋଧରେ ଦଳ କ’ଣ କାର୍ଯ୍ୟାନୁଷ୍ଟାନ ନେଉଛି ଦେଖିବାକୁ ବାକି ରହିଲା ।
ଏହା ଉପରେ ତାରାପ୍ରସାଦ କହିଛନ୍ତି, କୁଳେଶିକା କ’ଣ କହିଛନ୍ତି ସେ ବିଷୟରେ ମୋ ପାଖରେ ଖବର ଅଛି । ମୁଁ କାହା ବିରୋଧରେ କିଛି କହିବା ପାଇଁ ଚାହେଁନି । ମୋ ସମାଷ୍କନ୍ଦ ଲୋକ ହେଲେ ଯାଇ ଜବାବ ଦେବି । ଏହି କଥା କହି ତାରା ବିବାଦକୁ ଆଉ ନ ପସିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି ଏବଂ କୁଳେଶିକାଙ୍କୁ ତାରା ସୁଚାଇ ଦେଇଛନ୍ତି ଯେ, ସେ ତାଙ୍କ ସମାଷ୍କାନ୍ଦ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking