38.1 C
Bhubaneswar
Friday, April 26, 2024
Homeଓଡିଶାବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବରଗଡ : ବରଗଡ଼ରେ କ୍ୟାନସର ହସ୍ପିଟାଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦୋହରାଇଲେ । ମଙ୍ଗଳବାର ବରଗଡ଼ ଖେଦାପାଲିଠାରେ ନବ ନିର୍ମିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସାଇନ୍ସ ପାର୍କ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ସହ ସମସ୍ତଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ । ସେ ତାଙ୍କ ଧାଡିକିଆ ଭାଷଣରେ ଉପସ୍ଥିତ ଜନସାଧାରଣଙ୍କୁ ଜୁହାର ବୋଲି ସମ୍ବୋଧନ କରିବା ସହ ସମସ୍ତଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଆଜି ବରଗଡ଼ରେ ଜିଲ୍ଲା ଡାକ୍ତରଖାନା ଉଦ୍‌ଘାଟନ ହୋଇଛି । ଆପଣମାନେ ଖୁସି ତ ବୋଲି କହିଥିଲେ । ସେହିପରି ବରଗଡ଼ରେ କ୍ୟାନସର ହସପିଟାଲ ହେବ ବୋଲି କହି ପୁଣି ଥରେ ଆପଣମାନେ ଖୁସି ତ ବୋଲି ଦୋହରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ୨୦୧୯ ଫେବୃୟାରୀ ୨୧ ତାରିଖରେ ସୋହେଲାଠାରେ ଅନୁଷ୍ଠିତ କାଳିଆ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନସର ହସପିଟାଲ କରାଯିବା ନେଇ ଘୋଷଣା କରିଥିଲେ । ଯାହାକି ଆଜି ପୁଣି ଥରେ ଖେଦାପାଲିରେ ଦୋହରାଇଛନ୍ତି । ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଏହି ନୂତନ ଡାକ୍ତରଖାନା ଉଦ୍‌ଘାଟନ ପରେ ବରଗଡ଼ ଜିଲ୍ଲା ବାସୀଙ୍କ ପାଇଁ କାର୍ଯ୍ୟରେ ଲାଗିପାରିଥିବା ବେଳେ ଆଜି ଏକ ଐତିହାସିକ ଦିନ ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିବା ସହ ବରଗଡ଼ ସମେତ ପଡୋଶୀ ଜିଲ୍ଲା ଏପରିକି ଛତିଶଗଡର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କହିଥିଲେ । ଜିଲ୍ଲା ଡାକ୍ତରଖାନାରେ ବରିଷ୍ଠ ନାଗରିକଙ୍କ ପାଇଁ ସୁବ୍ୟବସ୍ଥା ସହ ବୁର୍ଲା ବଡ଼ ମେଡିକାଲରେ ଗରିବ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନଙ୍କ ରହଣି ବ୍ୟବସ୍ଥା ଏବଂ ପଦ୍ମପୁରରେ ଉପଖଣ୍ଡସ୍ତରୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବାକୁ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଥିଲେ । ସେହିପରି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ରୁ ଖେଦାପାଲି ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ‘ମୋ ବସ’ ଯୋଜନାରେ ବସ ଚଳାଚଳ କରିବାକୁ ଦାବି କରିଥିଲେ ।
ସାଧାରଣ ସଭା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସାଇନ୍ସ ପାର୍କକୁ ଉଦ୍‌ଘାଟନ କରିବା ସହ ପ୍ରାୟ ୧୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭.୯୯ ଲକ୍ଷ ରେ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ପରିଚାଳକ ବିଶ୍ରାମ ଗୃହ, ୩୭.୩୬ ଲକ୍ଷର ରୋଷେଇ ଗୃହ ଓ କ୍ୟାଣ୍ଟିନ୍‌, ୩୪.୪୯ ଲକ୍ଷର ରାଜ୍ୟସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତଥା ବାସଗୃହ, ୧୦୩.୩୧ ଲକ୍ଷ ଟଙ୍କାର ୨୦୧ ନଂ ଜାତୀୟ ରାଜପଥ ବେହେରା ରାସ୍ତା, ୭୩.୯୭ ଲକ୍ଷର ଗଡଗଡ ଜଳ ପିଡବ୍ଲୁଡି ରାସ୍ତା, ୫୪.୬୮ ଲକ୍ଷର ପଦ୍ମପୁର ରାଜସ୍ୱ ବିଭାଗ ବିଶ୍ରାମ ଗୃହ, ୧ କୋଟିର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରଭୃତିର ଏକକାଳୀନ ଭାବେ ଆଠଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେପୁର ବିଧାୟିକା ରୀତା ସାହୁ , ୫-ଟି ସଚିବ ଭି କେ ପାଣ୍ଡିଆନ, ପୂର୍ବତନ ସାଂସଦ ଡ.ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚେକ୍ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking