33.1 C
Bhubaneswar
Thursday, April 25, 2024
Homeଓଡିଶାରାସ୍ତା ପାଶ୍ୱର୍କୁ ମାଡିଗଲା ଟ୍ରକ୍ : ୪ ମୃତ

ରାସ୍ତା ପାଶ୍ୱର୍କୁ ମାଡିଗଲା ଟ୍ରକ୍ : ୪ ମୃତ

ସମ୍ବଲପୁର : ପୁରୁଣା ରାଞ୍ଚି ରୋଡରେ ସମ୍ବଲପୁରରୁ ୩୦କିଲୋମିଟର ଦୂରବର୍ତ୍ତୀ ଶାସନ ଥାନା ଅନ୍ତର୍ଗତ ପରମାଣପୁରରେ ରାସ୍ତାପାଶ୍ୱର୍କୁ ଟ୍ରକ୍ ମାଡ଼ିଯାଇ ୪ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ବ୍ୟାଗ ପସରାର ମହମ୍ମଦ ସୟଦ(୪୦) ତାଙ୍କ ଭାଇ ମହମ୍ମଦ ତାୟବ(୩୫) ଓ ପୁତୁରା ୱାକର ଆଲମ(୨୭) ଏବଂ ମନୋହରି ପସରାର ମହମ୍ମଦ ଦାନିସ(୨୨) । ଗୁରୁତର ୩ଜଣ ଉଠା ଦୋକାନୀ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଆହତ ୩ଜଣ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାମ୍ପରସରାର ରାଜେଶ ମହାନନ୍ଦ ଏବଂ ସମ୍ବଲପୁର ଭୁତାପଡ଼ାର ମହମ୍ମଦ ଜାଲାଲୁଦ୍ଦିନ ଓ ମହମ୍ମତ ଇରଫାନ । ପରମାଣପୁରରେ ଧନୁଯାତ୍ରା ଚାଲିଥିବାବେଳେ ଆଜି ଭୋର ସାଢେ ୪ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତାର ଡାହାଣ ପାଶ୍ୱର୍କୁ ମାଡିଯିବାରୁ ୪ଜଣ ଉଠାଦୋକାନୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଗୋଟିଏ ପରିବାରର ଅଟନ୍ତି । ଏହି ଦୁଃଖଦ ଘଟଣାରେ ସମ୍ବଲପୁର ଏବଂ ପରମାଣପୁରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ପରମାଣପୁରରେ ଚାଲିଥିବା ଧନୁଯାତ୍ରା ଗତକାଲି ୫ମ ଦିନରେ ପହଞ୍ôଚଥିଲା । ଏହି ଯାତ୍ରା ପାଇଁ ସେଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ମୀନା ବଜାରରେ ସମ୍ବଲପୁର ଟାଉନ ଥାନା ସମ୍ମୁଖସ୍ଥ ଏକ ବ୍ୟାଗ ଦୋକାନୀ ଏବଂ ଏକ ମନୋହରି ଦୋକାନୀଙ୍କ ପରିବାର ପସରା କରିଥିଲେ । ଗତରାତି ଯାତ୍ରା ସରିବା ପରେ ଉଠାଦୋକନୀମାନେ ନିଜ ନିଜ ପସରା ନିକଟରେ ଶୋଇଥିଲେ । ଆଜି ଭୋର ସାଢେ ୪ଟା ସମୟରେ ସମ୍ବଲପୁର ପଟରୁ ଦ୍ରୁତ ଗତିରେ ଯାଉଥିବା ଉକ୍ତ ଟ୍ରକଟି ରାସ୍ତାର ଡାହାଣ ପାଶ୍ୱର୍କୁ ମାଡି ପସରା ଉପରେ ଚଢ଼ିଯାଇଥିଲା । ଶବ୍ଦ ଶୁଣି ଯାତ୍ରା କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସେଠାରେ ପହଞ୍ôଚ ଟ୍ରକ୍ ତଳ ପସରାରେ ଚାପି ହୋଇଥିବା ଦୋକାନୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳକୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଜିଲ୍ଲା ସଦର ଡାକ୍ତରଖାନାକୁ ଅଣାଯାଇଥିବାବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ୩ ଜଣ ବିବାହିତ ।
ସୟଦ ଓ ତାୟବଙ୍କ ୨ଟି ଲେଖାଁଏ ପିଲାଥିବାବେଳେ ଆଲମଙ୍କର ଗୋଟିଏ ୩ ମାସର ଏକ ଶିଶୁପୁତ୍ର ଅଛି । ବ୍ୟାଗ ପସରା କରିଥିବା ୩ଜଣ ବିହାରର ଦରଭଙ୍ଗା ଜିଲ୍ଲା ବାଁସଡିହହି ଗ୍ରାମରୁ ଆସି ବହୁଦିନ ହେଲା ସମ୍ବଲପୁର ପେନସନପଡ଼ାରେ ପରିବାର ସହ ରହୁଥିଲେ । ସେହିପରି ମହମ୍ମଦ କଲିମଙ୍କ ପୁଅ ମୃତ ଦାନିସ ଝାରଖଣ୍ଡ ରାଜ୍ୟର ଗିରଡ଼ିହ ମାକରଚୋର ମୂଳ ନିବାସୀ ହୋଇଥିବାବେଳେ ସୁନାପାଲି କ୍ଷେତିପଡାରେ ସପରିବାର ରହୁଥିଲେ । ଦୋକାନ ସରିବା ପରେ ଗତକାଲି ରାତିରେ କଲିମ ପୁଅକୁ ପସରାରେ ଛାଡି ଘରକୁ ଫେରିଥିଲେ । ଜେସିବି ମେସିନ ଜରିଆରେ ଟ୍ରକ୍‌କୁ ଘଟଣାସ୍ଥଳରୁ ହଟାଯାଇ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଇରଫାନଙ୍କ ମୁଣ୍ଡରେ ଗଭୀର କ୍ଷତ ସହ ଦୁଇ ଗୋଡ ଭାଙ୍ଗିଯାଇଛି । ସେମାନେ ଏବେ ବୁର୍ଲା ଭିମସାର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପରମାଣପୁର ଧନୁଯାତ୍ରା କମିଟି ପକ୍ଷରୁ ମୃତକ ଏବଂ ଆହତଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବାବେଳେ ମୃତକମାନଙ୍କ ଶବ ସେମାନଙ୍କ ନିଜ ଗାଁକୁ ନେବା ପାଇଁ ଗାଡିର ବନ୍ଦୋବସ୍ତ କରାଯାଇଥିବା ଯାତ୍ରା କମିଟିର କର୍ମକର୍ତ୍ତା ନରେନ୍ଦ୍ର ମିଶ୍ର କହିଛନ୍ତି । ପାରାଦୀପରୁ ରାଉରକେଲା ପଟକୁ ଯାଉଥିବା ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି । ଭୋର ସମୟରେ ଚାଳକ ଶୋଇପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking