29.1 C
Bhubaneswar
Monday, May 6, 2024
Homeଓଡିଶାଅଙ୍ଗନୱାଡ଼ୀକର୍ମୀଙ୍କୁ ପ୍ରଶଂସାକଲେ ମୁଖ୍ୟମନ୍ତ୍ରୀ

ଅଙ୍ଗନୱାଡ଼ୀକର୍ମୀଙ୍କୁ ପ୍ରଶଂସାକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  କେବଳ ଛୋଟପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତିରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି । ଅସ୍ଥାୟୀ, ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରେଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି । ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଇସିଡିଏସ୍ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ।

କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆୟୋଜିତ ଭର୍ଚୁଆଲ ଦକ୍ଷତା ବୃଦ୍ଧି ୱେବିନାରରେ ମୁଖ୍ୟମନ୍ତ୍ରୀ ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ । ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଘରକୁ ଘର ସର୍ଭେ କାର୍ଯ୍ୟକ୍ରମରେ ରାଜ୍ୟର ୭୦ ହଜାର ଅଙ୍ଗନବାଡ଼ି  କର୍ମକର୍ତ୍ତା ଭାଗନେବେ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଗ୍ରାମାଞ୍ଚଳରେ କୋଭିଡ୍ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବାକୁ କହିଥିଲେ ।  ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏଥିରେ ଯୋଗ ଦେଇଥିଲେ ।

ଏହି ୱେବିନାରର ବୈଷୟିକ ଅଧିବେଶନରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍ ସଂପର୍କିତ ତିନୋଟି ମୁଖ୍ୟ ପ୍ରସଙ୍ଗ ଯଥା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉପରେ ବିଶେଷଜ୍ଞ ଓ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାର ନିର୍ଦ୍ଦେଶକ  ଅମରେନ୍ଦ୍ରନାଥ ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ୱାରା ଘରକୁ ଘର ତିନି ମାସିଆ ସର୍ଭେ ସମୟରେ କୋଭିଡ୍ ପ୍ରୋଟୋକଲର ଅନୁପାଳନ, ଲକ୍ଷଣଯୁକ୍ତ କୋଭିଡ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା, ଗୃହ ପୃଥକବାସର ନିୟମାବଳୀ, ସଙ୍ଗରୋଧ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବିବିଧ ପଦକ୍ଷେପ, କୋଭିଡ୍ ସଂକ୍ରମିତ ଗର୍ଭବତୀ ଓ ପ୍ରସୂତୀ ମା’ ଓ ସ୍ତନ୍ୟପାନ ସମୟରେ ସତର୍କତା, କୋଭିଡ୍ ରୋଗୀଙ୍କ ସାମାଜିକ ବାସନ୍ଦ ନିବାରଣ ଆଦି ଉପରେ ବିଶଦ ଆଲୋକପାତ କରିବା ସହ ଅଙ୍ଗନବାଡ଼ି କର୍ମୀମାନେ ସର୍ଭେ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଆଗଧାଡ଼ି କର୍ମକର୍ତ୍ତାମାନଙ୍କ ଦାୟିତ୍ୱ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking