29.1 C
Bhubaneswar
Sunday, May 19, 2024
Homeଓଡିଶାକ୍ୟାବିନେଟ୍ ମୋହର,  ଟିକା ପାଇଁ ନିୟମ କୋହଳ

କ୍ୟାବିନେଟ୍ ମୋହର,  ଟିକା ପାଇଁ ନିୟମ କୋହଳ

ଭୂବନେଶ୍ୱର : କୋଭିଡ୍ ଟିକା କିଣିବା ପାଇଁ ନିୟମ କୋହଳ କରାଯାଇଛି । ଏଥିପାଇଁ ଟେଣ୍ଡରର ସର୍ତ୍ତାବଳୀରେ କେତେକ ସଂଶୋଧନକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ମାଇନସ୍ ୨୦ ଡିଗ୍ରୀ ଯାଏ ତାପମାତ୍ରାରେ ରହୁଥିବା ଭ୍ୟାକ୍ସିନ୍ ବି କିଣାଯିବ । ପ୍ରତି ଭ୍ୟାକ୍ସିନ୍ ପାଇଁ ଭିନ୍ନ ଭିନ୍ନ ଦର ରହିବ । ଟିକା ଉତ୍ପାଦନକାରୀ ବା ଯୋଗାଣକାରୀ ସଂସ୍ଥା ଚାହିଁଲେ ରାଜ୍ୟ କିଣିବାକୁ ଚାହୁଁଥିବା ମୋଟ୍ ଟିକା ପାଇଁ ‘ବିଡ୍‌’ କରିପାରିବେ ।  ବିଡ୍ ଦାଖଲ ପରେ ଆସନ୍ତା ୨୮ରେ  ବିଡ୍ ଖୋଲାଯିବ । ଯଥାଶୀଘ୍ର ଟିକା ଆମଦାନୀ କରାଯିବ । ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ କୋଭିଡ୍‌-୧୯ ମହାମାରୀ ପାଇଁ ଟିକା କ୍ରୟ ନିମନ୍ତେ ‘ଗ୍ଲୋବାଲ ଟେଣ୍ଡର ଡକ୍ୟୁମେଣ୍ଟ ନିୟମାବଳୀ’କୁ ଅନୁମୋଦନ ମିଳିଥିଲା । ୪ଟି ପ୍ରସ୍ତାବରେ କ୍ୟାବିନେଟର ଅନୁମୋଦନ ମିଳିଛି ।

ବୈଠକ ପରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ପରୀକ୍ଷଣ, ଚିହ୍ନଟକରଣ ଓ ଟିକାକରଣ ଉପରେ ଅଧିକ ଗୁରତ୍ୱ ଦେଇଛନ୍ତି । ସେଥିପାଇଁ ବିଦେଶରୁ ଟିକା କିଣିବାକୁ ଗତ ୧୦ ତାରିଖରେ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା । ଏନେଇ ଗ୍ଲୋବାଲ୍ ଟେଣ୍ଡର ହେବା ସହ ବୈଷୟିକ କମିଟି ମଧ୍ୟ ଗଠନ ହୋଇଥିଲା । ହେଲେ ଏବେ ଟେଣ୍ଡରର କିଛି ନିୟମାବଳୀର ସଂଶୋଧନ ହୋଇଛି ।  ଓଡିଶା ସରକାର ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ଜନ ସାଧାରଣଙ୍କୁ ମାଗଣାରେ ଟିକା ଯୋଗାଇଦେବା ପାଇଁ ନୂତନ ଟିକାକରଣ ନୀତି ଘୋଷଣ କରିଛନ୍ତି । ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏମ୍‌ସିଏଲ୍‌) ଦ୍ୱାରା ବିଶ୍ୱସ୍ତରୀୟ ଟେଣ୍ଡର ମାଧ୍ୟମରେ ଖୋଲା ବଜାରରୁ ପ୍ରତିଷେଧକ ଟିକା କ୍ରୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି ।

ଏହି ଟେଣ୍ଡର ବିଜ୍ଞପ୍ତି ଗତ ୧୪ରେ ପ୍ରକାଶ ପାଇଥିଲା । ୧୯ରେ ‘ପ୍ରି-ବିଡ୍‌’ ହୋଇଥିଲା ।  ଟିକା ଉତ୍ପାଦନକାରୀ ଓ ଯୋଗାଣକାରୀ ସଂସ୍ଥାମାନଙ୍କର ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ପାଇଁ ସେମାନଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନ ଏବଂ ସମସ୍ୟାକୁ ଅନୁଧ୍ୟାନ କରି ଓଏମ୍‌ସିଏଲ୍ ଦ୍ୱାରା ନିଯୁକ୍ତ ବୈଷୟିକ କମିଟିର ପରାମର୍ଶକ୍ରମେ ଟେଣ୍ଡର ଦସ୍ତାବିଜ୍‌ର ସଂଶୋଧନ ପ୍ରସ୍ତାବ ରଖାଯାଇଛି ।
ମୁଖ୍ୟଶାସନ ସଚିବ କହିଥିଲେ, ରାଜ୍ୟ ସରକାର ଆସନ୍ତା ଚାରି ମାସ ମଧ୍ୟରେ ଟିକାକରଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ବିଶ୍ୱ ବଜାରରେ ଥିବା ସ୍ୱଳ୍ପ ସଂଖ୍ୟକ ଉତ୍ପାଦନକାରୀ, ଯୋଗାଣକାରୀଙ୍କୁ ଦୃଷ୍ଟିରେ ରଖି୍ ସେମାନଙ୍କୁ ଏକ ସକାରାତ୍ମକ ସଙ୍କେତ ଦେବା ପାଇଁ ଦସ୍ତାବିଜ୍‌ର ସର୍ଭାବଳୀରେ ବ୍ୟବସ୍ଥା କରାଯାଇଅଛି ।

ଟିକା ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କୁ ଆକର୍ଷିତ କରିବା ପାଇଁ ଇଏମ୍‌ଡି, ବିଡ୍ ସିକ୍ୟୁରିଟି ଏବଂ ଟିକା ଯୋଗାଣ ବେଳେ କ୍ଷୟକ୍ଷତି ସର୍ତ୍ତ ଆଦିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଏଥିପାଇଁ ପ୍ରଚଳିତ ଆଇନରେ ସଂଶୋଧନ କରାଯିବ । ଫଳରେ ଅଧିକ କମ୍ପାନୀ ବିଡିଂରେ ଅଂଶଗ୍ରହଣ କରିପାରିବେ । ରାଜ୍ୟ କ୍ୟାବିନେଟ୍ ଆଉ କିଛି ପୂର୍ବ ସର୍ତ୍ତାବଳୀର କୋହଳ ପ୍ରସ୍ତାବରେ ମଞ୍ଜୁରୀ ଦେଇଛନ୍ତି । ଶ୍ରୀ ମହାପାତ୍ର କହିଥିଲେ, ଟିକା ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ସୁଗମ କରାଯାଇଛି ।  ପୂର୍ବ ନିୟମ କୋହଳ ହୋଇଛି । ମାଇନସ୍ ୨୦ଡିଗ୍ରୀ ତାପମାତ୍ରାରେ ରହିପାରୁଥିବା ଟିକାଗୁଡ଼ିକୁ ଅନୁମୋଦନ ଦିଆଯାଇଛି । ଯଦି ଏହି ଟିକା ୨ ଡିଗ୍ରୀ ସେଲସିଅସ୍‌ରୁ ୮ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ତା’ର ଗୁଣବତ୍ତା ଅପରିବର୍ତ୍ତିତ ରଖିପାରୁଥିବ, ସେହି ଟିକା ଉତ୍ପାଦନକାରୀ ଓ ଯୋଗାଣକାରୀ ସଂସ୍ଥା ମଧ୍ୟ ଟେଣ୍ଡର ପକ୍ରିୟାରେ ଭାଗ ନେଇ ପାରିବେ ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ କ୍ୟାବିନେଟ୍ ମୋହର ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking