39.1 C
Bhubaneswar
Wednesday, April 24, 2024
Homeଓଡିଶା୩ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ : ୮ଜଣ ସେବକ ପଜିଟିଭ ଚିହ୍ନଟ

୩ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ : ୮ଜଣ ସେବକ ପଜିଟିଭ ଚିହ୍ନଟ

ପୁରୀ : ରଥଖଳାରେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । କ୍ରମେ ଅଧିକ ଚଳଚଞ୍ଚଳ ହୋଇଉଠିଛି ଶ୍ରୀନଅର ସମ୍ମୁଖସ୍ଥ ରଥଖଳା। ଏବେ ଚାଲିଛି ତୁମ୍ବ ତିଆରି କାର୍ଯ୍ୟ । ଶୁକ୍ରବାର ଦିନ ରଥ ନିର୍ମାଣରେ ମୋଟ ୭୯ଜଣ ସେବକ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୩ରଥର ୩୦ଜଣ ମହାରଣା, ୩୦ଜଣ ଭୋଇ ସେବକ, ୪ଜଣ କରତି, ୧୨ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରୀଗର ଓ ପାଣି ଯୋଗାଣ ପାଇଁ ନିୟୋଜିତ ଜଣେ ସହାୟକ ଅନ୍ତର୍ଭୁକ୍ତ । ରଥଖଳାରେ ୩ରଥର ମୋଟ ୪୨ଟି ତୁମ୍ବ ମଧ୍ୟରୁ ୩୯ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।

ଏଥିସହିତ ଏହି ୩୯ଟି ତୁମ୍ବରେ ସୁତାରୀ ମହାରଣାଙ୍କ ଦ୍ୱାରା ସୁତାବାଡ଼ିଆ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ତୁମ୍ବ ବିନ୍ଧ ପାଇଁ ପ୍ରତି ରଥର ୨ଟି ଲେଖାଏଁ ତୁମ୍ବର ଘେରକଟା କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ତୁମ୍ବ ମଧ୍ୟରୁ ୧୧ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ତୁମ୍ବଗୁଡ଼ିକରେ ସୁତାରୀ ମହାରଣାଙ୍କ ଦ୍ୱାରା ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଏହା ପରେ ମାପ ଅନୁଯାୟୀ କରତି ସେବକମାନେ ବଳକା ଅଂଶ ବା ଘେରକାଟି ତୁମ୍ବ ବିନ୍ଧ ପାଇଁ ଯୋଗାଇବେ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମୋଟ ୧୨ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ପରେ ସମସ୍ତ ତୁମ୍ବଗୁୁଡ଼ିକରେ ସୁତାବାଡ଼ିଆ କାର୍ଯ୍ୟ ଶେଷ ହୋଇ ୨ଟି ତୁମ୍ବର ଘେରକଟା କାର୍ଯ୍ୟ କରତି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ମୋଟ ୧୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇ ସମସ୍ତ ତୁମ୍ବରେ ସୁତାରୀ ମହାରଣାଙ୍କ ଦ୍ୱାରା ସୁତା ବାଡ଼ିଆ କାର୍ଯ୍ୟ ସମାପ୍ତ ହୋଇଛି । କରତି ସେବକ ତୁମ୍ବ ବିନ୍ଧ ପାଇଁ ୨ଟି ତୁମ୍ବର ଘେରକାଟି ଯୋଗାଇଛନ୍ତି । ଦୋଳବେଦୀ ସଂଲଗ୍ନ ଅସ୍ଥାୟୀ କମାରଶାଳାରେ ୩ରଥ ପାଇଁ ଚାଲିଛି କଣ୍ଟା ଓ ପନ୍ଦାରୀ ଆଦି ଲୌହ ସରଞ୍ଜାମର ପ୍ରସ୍ତୁତି । ଓଝା ସେବକମାନେ ୩ରଥ ପାଇଁ ଶୁକ୍ରବାର ଦିନ ୨ହଳ ଲେଖାଏଁ ପନ୍ଦାରୀ ନିର୍ମାଣ କରିଛନ୍ତି ।

୮ଜଣ ପଜିଟିଭ ଚିହ୍ନଟ
ରଥ ନିର୍ମାଣ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ଯେ ସମ୍ପ୍ରତି ରଥଖଳାରେ ୭୯ଜଣ ସେବକ ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗିଛନ୍ତି । ଶରୀର ଅସୁସ୍ଥ ଥିବା ସେବକମାନଙ୍କୁ ବାଦ ଦିଆଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି । ତେବେ ୩୦ଜଣ ମହାରଣା, ୩୦ଜଣ ଭୋଇ, ୪ଜଣ କରତି, ୧୨ଜଣ କମାର ଓ ଅନ୍ୟ ୩ଜଣ କାମ କରୁଛନ୍ତି । ରଥଖଳାରେ କାମ କରୁଥିବା ସମସ୍ତଙ୍କର ପ୍ରଥମ ପର୍ଯ୍ୟାୟ ଟିକାକରଣ ହୋଇ ସାରିଛି । ଯେଉଁମାନେ କାମ କରିବାକୁ ଆସୁଛନ୍ତି ସେମାନଙ୍କୁ ପରୀକ୍ଷା କରାଯାଉଛି ଏବଂ ପଜିଟିଭ ବାହାରିଲେ ଚିକିତ୍ସା କରାଯାଉଛି । ନେଗେଟିଭ ବାହାରୁଥିବା ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ୮ଜଣ ସେବକ କୋଭିଡ଼ ପଜିଟିଭ ବାହାରିଥିବା ପ୍ରକାଶ କରି ଜିଲ୍ଲାପାଳ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କାହାରିକୁ କାମରେ ଲଗାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking