29.1 C
Bhubaneswar
Saturday, April 27, 2024
Homeଓଡିଶାବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯାଇଛି । ୭୪ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୁନ୍‌ ପ୍ରଚାର କରାଯାଇଥିଲା । ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀଛକ ସ୍ଥିତ ଡ.ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀଭବନ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଜିଲ୍ଲାପାଳଙ୍କ ବାସଭବନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।
ପୂର୍ବାହ୍ନ ୯ଟା୧୫ମି. ସମୟରେ ମନୋହରପୁର ରିଭର୍ଜ ପୁଲିସ ପଡ଼ିଆ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଡାକୁଆ ତାଙ୍କ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗିନ ବିକାଶ ଦିଗରେ ନିଷ୍ଠା ଓ ଦୂରଦୃଷ୍ଟି ସହ ନୂତନ ଉତ୍ସାହରେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ ।
କୋଭିଡ ମହାମାରୀ ସାରା ମାନବ ଜାତି ପାଇଁ ଅଭୂତପୂର୍ବ ଆହ୍ୱାନ ସୃଷ୍ଟି କରିଛି ଏବଂ ଏଥି ସକାଶେ ଅନେକ ଦେଶ ଗମ୍ଭୀର ସ୍ଥିତିରେ ଅଛନ୍ତି। ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ବଲାଙ୍ଗିର ଜିଳ୍ଲାରେ କରୋନା ସଂକ୍ରମଣର ସ୍ଥିତି ଓ ଏହାକୁ ପ୍ରତିହତ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ କୋଭିଡ ଲଢେ଼ଇରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । କରୋନା ମୁକାବିଲା କ୍ଷେତ୍ରରେ କୋଭିଡ ଯୋଦ୍ଧାଙ୍କ ଯୋଗଦାନ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିବା ସଂଗେ ସଂଗେ କରୋନା ମହାମାରୀରେ ଆମେ ସମସ୍ତେ ସଚେତନତାର ସହ ଉଦ୍ୟମ ଜାରି ରଖିବାକୁ ସେ ଆହ୍ୱାନ କରିଥିଲେ ।
ତେବେ କରୋନା କଟକଣା ଯୋଗୁଁ କେବଳ ଏପିଆର୍‌ ଓ ହୋମ୍‌ଗାଡର଼୍ ଦୁଇଗୋଟି ପ୍ଲାଟୁନ୍‌ ଅଂଶଗ୍ରହଣ କରି ମୁଖ୍ୟଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ବାଦନ କରିଥିଲେ । ଅଭିବାଦନ ମଂଚରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ମାଡ଼କର ଉପସ୍ଥିତ ଥିବା ବେଳେ ସମାରୋହରେ କୋଭିଡ ଯୋଦ୍ଧା, ଯଥା ଡାକ୍ତର, ପୋଲିସ, ନର୍ସ, ଏଏନଏମ୍‌, ଆଶାକର୍ମୀ, ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସମାରୋହର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking