ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳରେ ନିଖୋଜ ଯୁବକଙ୍କ ମୃତଦେହ ତିନି ଦିନ ପରେ ନଦୀରୁ ଉଦ୍ଧାର ହୋଇଛି । ବାଂଶଗ୍ରାମ ନିକଟ ଗୋବରୀ ନଦୀର ସାଧୁଗୋସ୍ୱାମୀ ନିକଟରୁ ଆଜି ସକାଳେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତ ଯୁବକ ହେଲେ ବାଂଶଗ୍ରାମର ସନାତନ ସ୍ୱାଇଁଙ୍କ ପୁଅ ସଞ୍ଜୟ ସ୍ୱାଇଁ। ସୂଚନା ଅନୁସାରେ, ସଞ୍ଜୟ ତିନି ଦିନ ତଳେ ଶୌଚ ପାଇଁ ଘରୁ ବାହାରକୁ ଯାଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା ।ଆଜି ସକାଳେ ଗାଁ ନିକଟ ଗୋବରୀ ନଦୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ନାଉଗାଁ ପୁଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ନାଉଗାଁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।









