ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଠାଇଛନ୍ତି ବିଶେଷ ଶୁଭେଚ୍ଛା ବାର୍ତ୍ତା। ପୁଟିନ ନିଜ ବାର୍ତ୍ତାରେ ମୋଦୀଙ୍କ ରାଜନୈତିକ ବୁଦ୍ଧିମତା, ଦୂରଦୃଷ୍ଟି ଏବଂ ଭାରତ-ରୁଷ ସମ୍ପର୍କକୁ ମଜବୁତ କରିବାରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। କ୍ରେମଲିନ୍ ପକ୍ଷରୁ ପ୍ରକାଶିତ ବାର୍ତ୍ତାରେ ପୁଟିନ କହିଛନ୍ତି, ମୋଦୀ ଦେଶବାସୀଙ୍କ ଗଭୀର ସମ୍ମାନ ପାଇବା ସହ ବିଶ୍ୱମଞ୍ଚରେ ମଧ୍ୟ ବଡ଼ ପ୍ରଭାବ ରଖିଛନ୍ତି।ପୁଟିନ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ ‘ସ୍ପେଶାଲ୍ ଆଣ୍ଡ ପ୍ରିଭିଲେଜ୍ଡ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ଶକ୍ତିଶାଳୀ କରିବାରେ ମୋଦୀଙ୍କ ବ୍ୟକ୍ତିଗତ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ସପ୍ତାହରେ ନୂଆଦିଲ୍ଲୀ ଗସ୍ତ ସମୟରେ ତାଙ୍କୁ ଏବଂ ରୁଷ ପ୍ରତିନିଧିମଣ୍ଡଳକୁ ମିଳିଥିବା ଆତିଥ୍ୟ ପାଇଁ ମଧ୍ୟ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସ୍ପଷ୍ଟ, ଗଠନମୂଳକ ଓ ଫଳପ୍ରଦ ଥିଲା ବୋଲି ପୁଟିନ କହିଛନ୍ତି।
ମୋଦୀଙ୍କ ସହ କଥାବାର୍ତ୍ତା କରିବା ସବୁବେଳେ ଆନନ୍ଦଦାୟକ ବୋଲି କହି ପୁଟିନ ତାଙ୍କ ‘ଅସାଧାରଣ ରାଜନୈତିକ ବୁଦ୍ଧିମତା ଓ ଦୂରଦୃଷ୍ଟି’ର ପ୍ରଶଂସା କରିଛନ୍ତି। ଏହାସହ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଗଠନମୂଳକ ସହଯୋଗ ଜାରି ରହିବ ବୋଲି ସେ କହିଛନ୍ତି।










