30.1 C
Bhubaneswar
Thursday, May 9, 2024
Homeଓଡିଶାଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର୧୪ ରୁ ୧୮ ରାଜ୍ୟର ସମସ୍ତ ବ୍ଲକ ଘେରିବ...

ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର୧୪ ରୁ ୧୮ ରାଜ୍ୟର ସମସ୍ତ ବ୍ଲକ ଘେରିବ ବିଜେପି : ମନମୋହନ ସାମଲ

 ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି

 ଗ୍ରାମ ସଭା ହେଉନାହିଁ ଓ ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ମଧ୍ୟ ହଡପ କରିନିଆଯାଇଛି
 ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି

ଭୁବନେଶ୍ୱର, : ୨୩ ବର୍ଷର ଶାସନରେ ଓଡିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣ ରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଂଚାୟତରୁ ନେଇ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଛି । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଂଚିଛନ୍ତି ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଂଜି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଦୁଇ ମାସ ତଳେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ଦଳକୁ ମିଳିଥିବା ଅଭୂତପୂର୍ବ ଜନସମର୍ଥନ ଯାହା ପ୍ରମାଣିତ କରୁଛି ଯେ, ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୁର ହୋଇ ରହିଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ ଏହି ୫ ଦିନ ଧରି ରାଜ୍ୟର ସମସ୍ତ ବ୍ଲକ୍ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ ।
ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ଯେ, ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର । ଆମ ଓଡିଶା ନବୀନ ଓଡିଶାରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଂଚାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ୍‌ପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଘିଂଛି । କେବଳ ବଡ ବଡ କୋଠା ନିର୍ମାଣ ହେଉଛି ଓଡିଶା ବାହାରର ଠିକା ସଂସ୍ଥାକୁ ପୋଷିବା ପାଇଁ । ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି । ପାଣି ପାଇଁ ଲୋକେ ମୃତ୍ୟୁର ଶୀକାର ହେଉଛନ୍ତି । କେନ୍ଦୁଝରରେ ୧୧ ଜଣ ଜୁଆଙ୍ଗ ବିଷାକ୍ତ ପାଣି ପିଇ ମୃତ୍ୟୁ ବରଣ କରିବା ତାହାର ଏକ ଉଦାହରଣ । ସାମାନ୍ୟ ଭତା, ରେସନ କାର୍ଡ, ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଂଚ ଦେବାକୁ ପଡୁଛି । ୨୦ ହଜାର ଟଙ୍କା ଲାଂଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଂଚ ନଦେଲେ ଭତା ମିଳୁନି, ୫ହଜାର ଟଙ୍କା ନଦେଲେ ରେସନ କାର୍ଡ ମିଳୁନି । ସେହିପରି ପାଇଖାନାରେ ୨ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ଆଜି ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଧାୟକ, ସାଂସଦ, ମନ୍ତ୍ରୀମାନେ ଗୁମାସ୍ତାଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତି । ଓଡିଶାରେ କ’ଣ ହେବ ନହେବ ସବୁ ନିଷ୍ପତି ନେଉଛନ୍ତି କିଛି ମୁଷ୍ଟିମେୟ ଅଫିସରମାନେ ବୋଲି ଶ୍ରୀ ସାମଲ କହିଛନ୍ତି ।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଓଡ଼ିଶାକୁ ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ଓଡିଶା ପ୍ରତି ଭଲପାଇବା ପାଇଁ ହିଁ ମିଳିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡିଛି । କିଭଳି ମୋଦି ସରକାର ଦେଉଥିବା ଅର୍ଥକୁ ଲୁଟ କରାଯାଉଛି ତାହାର ପ୍ରମାଣ ସିଏଜି ଖୋଲିଛନ୍ତି । ଜନସାଧାରଣଙ୍କ ଅର୍ଥର ଦୁରୂପଯୋଗ ହୋଇଥିବାରୁ ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିଛନ୍ତି । ସିଏଜି ତଥ୍ୟ ଅନୁଯାୟୀ ଗ୍ରାମସଭା ଦ୍ୱାରା ଚୟନ କରାଯାଇଥିବା ୮ ଲକ୍ଷ ୫୯ ହଜାର ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରୁ ବେଆଇନଭାବେ ବାଦ୍ ଦିଆଯାଇଛି । ସମସ୍ତ ଯୋଗ୍ୟତା ସତ୍ୱେ ପ୍ରସ୍ତୁତ ତାଲିକାରୁ ୯୭.୫ ପ୍ରତିଶତ ଦିବ୍ୟାଙ୍ଗ ଓ ଭୂମିହୀନଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ପକ୍କାଘର ପାଇପାରିନାହାନ୍ତି । କେଉଁଠାରେ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଦର୍ଶାଯାଇଥିବା ଘର ଅସପୂର୍ଣ୍ଣ ରହିଛି ତ କେଉଁଠି ବାସଗୃହ ବଦଳରେ ଏହି ଯୋଜନାରେ ଦୋକାନ ଘର ନିର୍ମାଣ ହୋଇଛି, କେଉଁଠାରେ ଶୌଚାଳୟ, ସ୍ୱଚ୍ଛଜଳ ନାହିଁ ତ କେଉଁଠାରେ ବିଦ୍ୟୁତ ସଂଯୋଗ ନାହିଁ । ସେହିଭଳି ୫ ଲକ୍ଷ ୫୦ ହଜାର ଘର ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଫେରିଗଲା । ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
“ଆମ ଓଡିଶା – ନବୀନ ଓଡିଶା” ଯୋଜନା ନାମରେ ୩୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରାଯାଇଛି ସେଥିରେ ସିଧାସିଧା ୫୦ପ୍ରତିଶତ ପିସି କାରବାର ହେଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ଅଗଣତାନ୍ତ୍ରିକ ଭାବରେ ଜଣେ ବ୍ୟକ୍ତି ଆତ୍ମପ୍ରଚାର କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
୧୫ ଅଗଷ୍ଟ ୨୦୧୯ରେ ୭୫ ବର୍ଷ ଅମୃତ ମହୋତ୍ସବ ଅବକାଶରେ ମାନ୍ୟବର ପ୍ରଧାନମନ୍ତ୍ରୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ଏ ବାବଦରେ ୧୫ ହଜାର କୋଟିରୁ ଅଧିକ ଅର୍ଥ ମିଳିସାରିଛି । କିନ୍ତୁ ଦୁର୍ଭାଗ୍ୟ ଓ ପରିତାପ ର ବିଷୟ ରାଜ୍ୟ ସରକାର ଏହି ଅର୍ଥକୁ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ ନିର୍ମାଣରେ ମହାଦୁର୍ନୀତି ସ୍ପଷ୍ଟ ପ୍ରମାଣିତ । କେବଳ ଅଣଓଡିଆ ଠିକାଦାରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇଛି । କିନ୍ତୁ ନିମ୍ନମାନର କାମ ଯୋଗୁଁ ଲୋକେ ପାଣି ପାଉନାହାଁନ୍ତି । ପ୍ରତିଶ୍ରୁତି ଦେଇ ପାଳନ ନକରିବାରେ ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରତି ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବାରେ ରାଜ୍ୟ ସରକାର ବିଫଳତାର ସର୍ବଶ୍ରେଷ୍ଠ ରେକର୍ଡ କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking