29.1 C
Bhubaneswar
Sunday, May 5, 2024
Homeଓଡିଶାସିଏଏକୁ ନେଇ କଂଗ୍ରେସ ତା’ର ଏଜେଣ୍ଡା ସ୍ପଷ୍ଟ କରିବା ଦରକାର:ବିଜେପି

ସିଏଏକୁ ନେଇ କଂଗ୍ରେସ ତା’ର ଏଜେଣ୍ଡା ସ୍ପଷ୍ଟ କରିବା ଦରକାର:ବିଜେପି

 
ନୟାଗଡ/ଭୁବନେଶ୍ୱର : ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ
ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ
ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି । ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି
ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି
ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର
ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି
ଆଇନରେ ରହିଛି ବୋଲି ନୟାଗଡଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ
କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ୩୧ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ
ଉତ୍ପୀଡନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ
ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର
ଅଧିକାର କ୍ଷୁଣ୍ଣ ହେବନି । ଏହି ଆଇନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ଦଳକୁ ଆହ୍ୱାନ
ଦେଇଥିଲେ । କିନ୍ତୁ ବିରୋଧୀ ତାହା ନକରି ରାଜରାସ୍ତାରେ ଜନତାଙ୍କୁ ବିଭ୍ରାନ୍ତି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି । ‘ସବକା ସାଥ – ସବକା ବିକାଶ
-ସବକା ବିଶ୍ୱାସ’ର ମୂଳମନ୍ତ୍ରକୁ ଆଧାର କରି ମୋଦି ସରକାର ଦେଶକୁ ବିକାଶର ପଥରେ ଆଗେଇ ନେଇ ଚାଲିଛନ୍ତି । ତିନ
ତଲାକ ଆଇନ ଆଣିବା, ୩୦୭ ଏବଂ ୩୫(କ) ଧାରା କାଶ୍ମିରୀରୁ ଉଠାଇବା, ରାମ ମନ୍ଦିର ନିର୍ମାଣ ଏବଂ ଏବେ
ନାଗରିକତା ସଂଶୋଧନ ଆଇନ ଆଣି ଦେଶ ସୁରକ୍ଷା ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ କଂଗ୍ରେସ ସରକାର
ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ରହି କେବଳ ସମସ୍ୟା ସୃଷ୍ଟି କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଓଡିଶାର ବିକାଶ ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ବିକାଶ ଦୂରର କଥା କାର୍ଯ୍ୟ କରିବାକୁ
ପ୍ରସ୍ତୁତ ନାହାଁନ୍ତି । ନୟାଗଡ ଠାରେ ଚିନି କଳକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୟାଗଡ ବିଧାୟକ
ଅରୁଣ ସାହୁଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିଲା । ବିଜେପି ସରକାର ଆସିଲେ
ନୟାଗଡ ଠାରେ ଚିନିକଳ ଚାଲୁ ହେବ ବୋଲି ଶ୍ରୀ ମହାନ୍ତି ଉପସ୍ଥିତ ଜନତାଙ୍କୁ ଆଶ୍ୱସନା ଦେଇଥିଲେ । ଏହା ସହ
‘୮୮୬୬୨-୮୮୬୬୨’ ନମ୍ବରରେ ମିସଡ କଲ ଦେଇ ସିଏଏ ସମର୍ଥନ ଦେବାକୁ ଶ୍ରୀ ମହାନ୍ତି ଉପସ୍ଥିତ ସଭାରେ ସମସ୍ତ
ଜନସାଧାରଣମାନଙ୍କୁ ଅନୁରୋଧ କରିଥିଲେ ।
ଶରଣାର୍ଥୀମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ନାଗରିକତା ପ୍ରଦାନ କରିବା ପାଇଁ ନାଗରିକତା ସଂଶୋଧନ ଆଇନ
ତିଆରି ହୋଇଛି । ଦିଲ୍ଲୀ ସାହିନବାଗଠାରେ କିଛି ଲୋକ ସିଏଏ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି । ଏହା କେବଳ ବିରୋଧୀଙ୍କ
ପୃଷ୍ଠପୋଷକତାରେ ଚାଲିଛି । ବିରୋଧୀ କେବଳ ସାଧାରଣଜନତାଙ୍କୁ ଉସକାଇ ବିଭ୍ରାନ୍ତି କରୁଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା
ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ଇଟାମାଟି ଛକଠାରୁ ବାହାରି ପୂରା
ସହର ପରିକ୍ରମା କରି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଶୋଭାଯାତ୍ରା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ
ନୟାଗଡ ଜିଲ୍ଲା ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମାବେଶରେ ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ
ରାୟ, ବିଧାୟିକା ପାର୍ଥୀନୀ ଇରାନୀ ରାୟ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ ମଙ୍ଗରାଜ, ପୂର୍ବତନ ଜିଲ୍ଲା ସଭାପତି ସନ୍ନ୍ୟାସୀ
ନାୟକ, ମନୋଜ ବେହେରା, ନିରୁପମା ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ଣ୍ଣ ନାୟକ, ଅନୁସୟା
ନାୟକଙ୍କ ସମେତ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସମାବେଶ ପରେ ରାଜ୍ୟ ସଭାପତି ଦଳର ବରିଷ୍ଠ
କାର୍ଯ୍ୟକର୍ତା ସଂସାରୀ ପଟ୍ଟନାୟକଙ୍କୁ ଭେଟି ସମ୍ବର୍ଦ୍ଧନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking