ନୂଆଦିଲ୍ଲୀ: ତୁର୍କୀକୁ ଏକ ବଡ଼ ଝଟକା ଦେଇଛି ଭାରତ, ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି ତୁର୍କୀ ବିମାନ ବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା ଚୁକ୍ତିକୁ ବାତିଲ କରିଦେଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ତୁର୍କୀ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବି ଏନ୍ଏଏସ୍ ଏୟାରପୋର୍ଟ ସର୍ଭିସେସ୍ର ଚୁକ୍ତି ରଦ୍ଦ କରିବାକୁ ୧୦ ଦିନିଆ ଅଲଟିମେଟମ୍ ଦେଇଥିଲା । ଶିବସେନା ନେତା ମୁର୍ଜି ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେ’ ୧୩ ରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଭେଟି ଏହି ଦାବି ରଖିଥିଲେ । ଅଭିଯୋଗ ଅନୁସାରେ, ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ଭାରତ ବିରୋଧୀ କାର୍ଯ୍ୟକୁ ସମର୍ଥନ କରୁଛି, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ । ସେଲେବି ତୁର୍କୀର ସଂସ୍ଥା, ଯାହା ମୁମ୍ବାଇ ବିମାନ ବନ୍ଦରରେ ପ୍ରାୟ ୭୦% ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କାର୍ଯ୍ୟ କରେ; ଯେଉଁଥିରେ ଯାତ୍ରୀ ସେବା, କାର୍ଗୋ ଓ ଫ୍ଲାଇଟ୍ ଅପରେସନ୍ ଅନ୍ତର୍ଭୁକ୍ତ । ସେଲେବି ୨୦୦୮ରେ ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ସମେତ ୯ଟି ବଡ଼ ବିମାନ ବନ୍ଦରରେ ସେବା ଯୋଗାଏ । ଏହି କମ୍ପାନୀ ଭାରତରେ ବାର୍ଷିକ ୫୮ ହଜାର ବିମାନ ପରିଚାଳନା କରେ ।