ଭୁବନେଶ୍ବର: ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR) ୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ୧୦ ଟି ବିଦ୍ୟାଳୟକୁ ଚୟନ କରାଯାଇଛି । ଓଡ଼ିଶାର ପ୍ରାୟ ୨୦ ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନୋମିନେଟ୍ କରାଯାଇଥିଲା, ଯେଉଁଥିରୁ ୧୦ ଟି ବିଦ୍ୟାଳୟକୁ SHVR ୨୦୨୫-୨୬ ଅନ୍ତର୍ଗତ ଜାତୀୟ ପୁରସ୍କାର ଏବଂ ସ୍ୱୀକୃତି ପାଇଁ ମନୋନୀତ କରାଯାଇଛି ।
ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ ବା SHVR ମୁଖ୍ୟତଃ ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡ ଉପରେ ବିଦ୍ୟାଳୟଗୁଡ଼ିକୁ ମୂଲ୍ୟାଙ୍କନ କରେ । ଏହି ପଦକ୍ଷେପ ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ ।
ଏହି ଜାତୀୟସ୍ତରୀୟ ମାନ୍ୟତା ଓଡ଼ିଶାର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ବୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ । ସୂଚନାଯୋଗ୍ୟ, ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୧ ସ୍କୁଲକୁ SHVR ୨୦୨୫-୨୬ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ତିନି ଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ।










