ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା । ଜୁନ୍ ୨୮ ତାରିଖ ଗୋଟିଏ ଦିନରେ ଓଟିଇଟି ଏବଂ ଓଏସ୍ଏସ୍ଏସ୍ସି ପରୀକ୍ଷା ରହିଛି । ଯାହାକୁ ନେଇ ଦ୍ୱନ୍ଦ୍ୱରେ ହଜାର ହଜାର ପରୀକ୍ଷାର୍ଥୀ । ରାଜ୍ୟରେ ସରକାରୀ ଚାକିରି ଏବଂ ଶିକ୍ଷକତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରସ୍ତୁତି କରୁଥିବା ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର.ଆଇ, ଏ.ଆର.ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ଏବଂ ଏସ୍ଏଫ୍ଏସ୍ ପଦବୀ ପାଇଁ ନିଯୁକ୍ତି ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇ ଜୁନ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ସେହିଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ମଧ୍ୟ ଅନୁଷ୍ଠିତ ହେବ ।
ତେଣୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଏବେ ଦ୍ୱନ୍ଦ୍ୱରେ । ପୂର୍ବରୁ OSSSC ପରୀକ୍ଷା ଜୁନ ୨୦ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ତେବେ ପ୍ରାଶାସନିକ କାରଣରୁ ଏହାକୁ ସ୍ଥଗିତ କରାଯାଇ ଜୁନ ୨୮ ତାରିଖରେ ଆୟୋଜନ କରିବାକୁ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ଅନେକ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସେମାନେ ଦୀର୍ଘଦିନ ଧରି ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏବେ ଗୋଟିଏ ଦିନରେ ଦୁଇଟିଯାକ ପରୀକ୍ଷା ଥିବାରୁ ସେମାନଙ୍କ ମାନସିକ ଦୁଶ୍ଚିନ୍ତା ବଢ଼ିଯାଇଛି ।
ତେବେ ପିଲାଙ୍କର ଏହି ସମସ୍ୟା ନେଇ ପୁନଃ ଆଲୋଚନା କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, OSSSC RI ଅମିନ ପରୀକ୍ଷା କରେ । ନିଟ୍ ପାଇଁ ଏହି ପରୀକ୍ଷା ଜୁନ ୨୦ ପରିବର୍ତ୍ତେ ଜୁନ ୨୮ କୁ ଘୁଞ୍ଚାଯାଇଛି । ଆବେଦନକାରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଡ଼ିଲେ, ତାରିଖରେ ପରିବର୍ତ୍ତନ ହୋଇପାରେ । କେହି ପରୀକ୍ଷା ଦେବାରୁ ବଞ୍ଚିତ ନ ହୁଅନ୍ତୁ, ସରକାର ଏହା ଚାହାନ୍ତି । ଏହାର ପୁନଃ ବିଚାର କରିବାକୁ ଆଜି OSSSC ସହ ଆଲୋଚନା କରିବି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।










