ଭଦ୍ରକ: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍ ସର୍ଭେ ବେଳେ ନଦୀରେ ଭାସିଯାଇଥିବା ଯୁବକଙ୍କ ମୃତଦେହ ଶୁକ୍ରବାର ନଦୀରୁ ଉଦ୍ଧାର ହୋଇଛି l ମୃତକ ହେଉଛନ୍ତି ବାଂଶଡ଼ା ଥାନା ଯଶିପୁର ଗ୍ରାମର ବିଜୟ ବେହେରା। ମନ୍ତେଇ ନଦୀ ଉପରେ ପ୍ରସ୍ତାବିତ ବ୍ରିଜ ନିର୍ମାଣ ପାଇଁ ଚାଲିଥିବା ରୋଡ଼ ସର୍ଭେ କାର୍ଯ୍ୟ ବେଳେ ଗୁରୁବାର ନଦୀ ମଝିରେ ଡଙ୍ଗାରୁ ୩ ଜଣ ଖସି ପଡ଼ିଥିଲେ।୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ବିଜୟ ନଦୀ ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ନ ଥିଲେ। ୨୪ ଘଣ୍ଟା ପରେ ଶୁକ୍ରବାର ମୃତଦେହ ମିଳିବା ପରେ ପରିବାର ସଦସ୍ୟମାନେ ମୃତଦେହକୁ ବିଜୟଙ୍କର ବୋଲି ଚିହ୍ନଟ କରିଥିଲେ। ଘଣ୍ଟେଶ୍ୱର ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା। ଏହି ଘଟଣା ପରେ ବ୍ରିଜ ନିର୍ମାଣ ଓ ସର୍ଭେ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରମିକ ଏବଂ ସର୍ଭେ କର୍ମଚାରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ସହ ଆବଶ୍ୟକ ସୁରକ୍ଷା ସାମଗ୍ରୀ ବ୍ୟବସ୍ଥା ଥିଲା କି ନାହିଁ, ତାହାର ତଦନ୍ତ ଦାବି କରାଯାଇଛି।










