38.3 C
Bhubaneswar
Friday, June 19, 2026
Homeଓଡିଶାସିପେଟ ଓ ସିଟିଟିସି ପରିଦର୍ଶନ କଲେ ରାଜ୍ୟପାଳ

ସିପେଟ ଓ ସିଟିଟିସି ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଟ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CIPET) ଏବଂ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ଗସ୍ତ ଅବସରରେ ରାଜ୍ୟପାଳ ଉଭୟ ଅନୁଷ୍ଠାନର ଅଧ୍ୟାପକ, ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରି ସେମାନଙ୍କୁ ନବସୃଜନ, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଅବଦାନ ରଖିବାକୁ ଉତ୍ସାହିତ କରିଥିଲେ।

ରାଜ୍ଯପାଳ କହିଥିଲେ ଯେ, ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଆବଶ୍ୟକ। ଏଥିପାଇଁ ବିଭିନ୍ନ ଉତ୍ପାଦକୁ ନେଇ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର ସୂଚନା ସେଥିରେ ସାମିଲ କରିବାକୁ ରାଜ୍ଯପାଳ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଆଗ୍ରହୀ ଉଦ୍ୟୋଗୀମାନେ ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ଆର୍ଥିକ ଓ ବୈଷୟିକ ସହାୟତା ସମ୍ପର୍କରେ ସଚେତନ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଉତ୍ସାହ ବୃଦ୍ଧି ପାଇବ।

ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବୈଦ୍ୟୁତିକ ଯାନ (EV) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପର୍ଯ୍ୟାୟକ୍ରମେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଉପରେ ନିର୍ଭରଶୀଳତା କମାଇବାକୁ ଆହ୍ୱାନ ଜଣାଇଥିଲେ। ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ କ୍ୟାମ୍ପସ ପରିସରରେ ସୌର ପ୍ୟାନେଲ ସ୍ଥାପନ କରିବା ଉପରେ ମଧ୍ୟ ରାଜ୍ଯପାଳ ଗୁରୁତ୍ୱ ଦେଇଥିଲେ।

ଜନକଲ୍ୟାଣମୂଳକ ପଦକ୍ଷେପର ଗୁରୁତ୍ୱ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଏହା ଦ୍ୱାରା ସେମାନେ ଯୋଜନାଗୁଡ଼ିକର ସୁଫଳ ପାଇବା ସହ ରାଷ୍ଟ୍ର ଗଠନରେ ଅଧିକ ଫଳପ୍ରଦ ଭୂମିକା ନିର୍ବାହ କରିପାରିବେ।

ସିଆଇପିଇଟି(CIPET)ରେ ରାଜ୍ୟପାଳଙ୍କୁ ପ୍ରିନ୍ସିପାଲ ଡାଇରେକ୍ଟର ଏବଂ ହେଡ୍ ଶ୍ରୀ ପ୍ରମୋଦ କୁମାର ସାହୁ ସ୍ୱାଗତ କରିଥିଲେ। ସଂସ୍ଥାର ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା କାର୍ଯ୍ୟକ୍ରମ ଓ ଶିଳ୍ପ କ୍ଷେତ୍ରକୁ ମିଳୁଥିବା ସହାୟତା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ରାଜ୍ୟପାଳ ବିଭିନ୍ନ ପରୀକ୍ଷାଗାର ପରିଦର୍ଶନ କରି ଅଧ୍ୟାପକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚାଲିଥିବା ଗବେଷଣା ଓ ପରୀକ୍ଷଣ କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ଯପାଳ ଅବଗତ ହେବା ସହ ସମାଜର ଆବଶ୍ୟକତା ପୂରଣ କରୁଥିବା ଉତ୍ପାଦ ଓ ପ୍ରଯୁକ୍ତିର ବିକାଶ ପାଇଁ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରିଥିଲେ।

ସିଟିଟିସି(CTTC)ରେ ରାଜ୍ୟପାଳଙ୍କୁ ଇନ୍-ଚାର୍ଜ ଜେନେରାଲ ମ୍ୟାନେଜର ଡ. କେ. ଏମ. ରାଜନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ପ୍ରଶିକ୍ଷଣ, ଉତ୍ପାଦନ, ପରାମର୍ଶ ଏବଂ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଅନୁଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା। ରାଜ୍ୟପାଳ ବିଭିନ୍ନ ପରୀକ୍ଷାଗାର ଓ ୱର୍କସପ ପରିଦର୍ଶନ କରି ଦକ୍ଷତା ବିକାଶ ଏବଂ ଆଞ୍ଚଳିକ ଶିଳ୍ପ ବିକାଶ କ୍ଷେତ୍ରରେ ସିଟିଟିସିର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking