30 C
Bhubaneswar
Wednesday, June 17, 2026
Homeଓଡିଶାପାଠ୍ୟପୁସ୍ତକ ତ୍ରୁଟି ଶିକ୍ଷା ବିଭାଗ ତଥା ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ପାଇଁ ଷଡଯନ୍ତ୍ର : ଭକ୍ତ

ପାଠ୍ୟପୁସ୍ତକ ତ୍ରୁଟି ଶିକ୍ଷା ବିଭାଗ ତଥା ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ପାଇଁ ଷଡଯନ୍ତ୍ର : ଭକ୍ତ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନ ଠାରେ ଓଡ଼ିଶା ସ୍କୁଲ ପାଠ୍ୟକ୍ରମରେ ଗୁରୁତ୍ୱର ତ୍ରୁଟି ବିଷୟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। ଗଣମାଧ୍ୟମୁ ସମ୍ବୋଧିତ କରି ଶ୍ରୀ ଦାସ କହିଲେ ଶିକ୍ଷାରେ ପ୍ରାଇମେରୀ ସ୍ତର ହେଉଛି ମୂଳଦୁଆ। ଏହିଠାରୁ ଭବିଷ୍ୟତର ପିଣ୍ଡପଡ଼େ ଓ ଏହି ମୂଳଦୁଆରୁ ଶିକ୍ଷାପ୍ରାପ୍ତ କରି ଓଡ଼ିଶାରୁ ଅନେକ ସୁନାମଧନ୍ୟ ବିଦ୍ୱାନ ରାଜ୍ୟର ଟେ ରଖିଛନ୍ତି। କିନ୍ତୁ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ତାଙ୍କ ବିଚାରଧାରାକୁ ଏନସିଇଆରଟି ଏବଂ ଓଡ଼ିଶାର ପାଠ୍ୟକ୍ରମରେ ଛାପୁଛନ୍ତି। ଓଡ଼ିଶା ଅସ୍ମିତା ନାମରେ ସରକାରକୁ ଆସିଥିବା ଦଳ ଅସ୍ମିତାର ହତ୍ୟା କରୁଛନ୍ତି। ପ୍ରଥମେ ଜଳ, ଜଙ୍ଗଲ, ଜମି ଏବଂ ଏଠାରେ ବସବାସ କରୁଥିବା ନିରୀହ ଆଦିବାସୀଙ୍କୁ ଧ୍ୱଂସ କରି ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପଙ୍ଗୁ କରିବାପାଇଁ ଉଦ୍ୟମ କରିଛନ୍ତି। ପାଠ୍ୟଖସଡ଼ା ତିଆରିବେଳେ ଓଡ଼ିଶାର ଗୁଣି ଜ୍ଞାନି ମାନଙ୍କୁ ଅଣଦେଖା କରାଯାଉଛି। କଥାରେ ଅଛି ଗୋଟିଏ ଦେଶକୁ ନିପାତ କରିବାକୁ ହେଲେ ଶିକ୍ଷାକୁ ନିପାତ କରିଦେଲେ ପରମାଣୁ ବୋମାର ଆବଶ୍ୟକତା ମଧ୍ୟ ନଥାଏ। ଯାହା ଜଣାଯାଉଛି ମୂଡ଼ମାନେ ଶାସନ ଗାଦିରେ ବସିଛନ୍ତି। ଦେଶ ଜାତି ପାଇଁ କିଛି ବଳିଦାନ ନାହିଁ। ଶିକ୍ଷା ସଂସ୍କୃତି କିଛି ନାହିଁ। ଏମାନେ ଦେଶର ଶିକ୍ଷା ବିଷୟରେ କଣ ଜାଣିବେ। ରାଜ୍ୟରେ ବୁଦ୍ଧିହୀନ ସରକାର ଚାଲିଛି।

ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ୫୦ କୋଟି ଟଙ୍କା ପାଣିରେ ପଡ଼ିଗଲା। କୋର କମିଟିର ଅନୁଧ୍ୟାନ ବିନା ବହି ଛପା ହେଲା କେମିତି? ଯାହା ପ୍ରସ୍ତୁତ କରିବାକୁ ପ୍ରାୟ ତିନିବର୍ଷ ସମୟ ଲାଗେ ତାହା ୬ ମାସରେ ପ୍ରସ୍ତୁତ କଲେ କେମିତି? ଅପରାଧିଙ୍କୁ ଦଣ୍ଡିତ କରାଯାଉ, ଶିକ୍ଷାମନ୍ତ୍ରୀ କ୍ଷମା ମାଗନ୍ତୁ। ୧୬୭୮ ଗୋଟି ଭୂଲ ରାଜ୍ୟ ଶିକ୍ଷା ବିଭାଗ ପ୍ରତି ଉପହାସ। ଆଶ୍ଚର୍ଯ୍ୟର କଥା ଶିକ୍ଷାମନ୍ତ୍ରୀ ନିଜ ବିଧାନସଭା ମଧ୍ୟ ଚିହ୍ନିପାରିଲେ ନାହିଁ। ଡଙ୍ଗରିଆ ଆଦିବାସୀଙ୍କୁ ଡୋଙ୍ଗୋରିଆ ବନାନ ଭୁଲ। ପ୍ରଖ୍ୟାତ ନିୟମଗିରି ଲଢ଼େଇ ସାର ବିଶ୍ୱରେ ବିଦିତ। ଯେଉଁ ଲଢ଼େଇରେ ରାହୁଲ ଗାନ୍ଧୀ ନେତୃତ୍ୱ ନେଇଥିଲେ। ତାହା ଝାଡଖଣ୍ଡର ବୋଲି ଦର୍ଶାଯାଇଛି। ଏଭଳି ଶହ ଶହ ଭୁଲର ଲିଷ୍ଟ ସାମନାକୁ ଆସୁଛି। ସବୁଠାରୁ ପରିତାପର ବିଷୟ ଶିକ୍ଷାମନ୍ତ୍ରୀ ଏହି ଗୁରୁତ୍ୱର ଭୁଲକୁ ସ୍ୱୀକାର ନକରି ଓଲଟା ଶିକ୍ଷକମାନେ ସୁଧାରି ଶିକ୍ଷାଦାନ କରିବେ ବୋଲି ବକ୍ତବ୍ୟ ପ୍ରକାଶ କରୁଛନ୍ତି। ଏହାଠାରୁ ବଳି ଲଜ୍ୟାଜନକ କଥା କଣ ହୋଇଥାଇପାରେ। ଶିକ୍ଷକମାନେ ଜନଗଣନା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତ୍ୟେକ ଗଣନା କାର୍ଯ୍ୟ କରୁଛନ୍ତି। ଏମାନେ କେତେବେଳେ ପାଠ ପଢ଼ାଇବେ। ଶିକ୍ଷାରେ ଅଯୋଗ୍ୟଙ୍କୁ ଦାୟିତ୍ୱ ଦେଲେ ଶିକ୍ଷାର ହଜାରଗୁଣ କ୍ଷତି ହୁଏ। ବିଦ୍ୱାନ ଶିକ୍ଷକ, ଐତିହାସିକ, ଲେଖକ ଆଦିଙ୍କ ପରାମର୍ଶ ନେଇପାରିଥାନ୍ତେ। ଶାସକଙ୍କୁ ସଂସ୍କୃତି, ସଂହତି ବା ପରମ୍ପରା ବିଷୟରେ ଜଣାନାହିଁ। ପ୍ରକୃତରେ ଏମାନେ ଓଡ଼ିଶାର ମହାନ ସଂସ୍କୃତିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ମୁଖ୍ୟ ବିଷୟ ହେଲା ଏନସିଇଆରଟି ଓ ଓଡ଼ିଶା ଶିକ୍ଷା ବିଭାଗର ଛାପା ଦାୟିତ୍ୱ କେଉଁ ଏଜେନ୍ସି ଟେଣ୍ଡର ପାଇଛି। କେଉଁ ବିଜେପି ନେତାଙ୍କ ସହଯୋଗରେ ଏଜେନ୍ସି କାମ ପାଇଛି। ଏ ସବୁର ତଦନ୍ତ ହେଉ। ଏମାନେ କେବଳ ପଇସା ଉର୍ପାଜନରେ ବ୍ୟସ୍ତ। ତେଣୁ ଜନତାଙ୍କ ସେବା ପାଇଁ ସମୟ ନାହିଁ। ଏମାନେ ଚାହୁଁଛନ୍ତି ପିଲାଛୁଆ ମୁର୍ଖ ହୋଇ ବାହାରନ୍ତୁ। ମୁର୍ଖ ହୋଇ ବାହାରିଲେ ଚାକିରି ମାଗିବେ ନାହିଁ। ବିଜେପି ସରକାର ଶିକ୍ଷା ବିଭାଗକୁ ଏବଂ ପିଲାଛୁଆଙ୍କ ଭବିଷ୍ୟତକୁ ନଷ୍ଟ କରିବାପାଇଁ ଷଡଯନ୍ତ୍ର କରିଛି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ଓ ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କୌଣସି ଟାରେ ସରକାରଙ୍କ କୌଣସି ମନ୍ତ୍ରୀ ଉତ୍ତର ଦାୟିତ୍ୱ ନେଉନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ମଧୁବାବୁ, ଗୋପବନ୍ଧୁ ଆଦି ସମସ୍ତ ପ୍ରଥିତଯଶା ଗୁଣି ଜ୍ଞାନି ଓଡ଼ିଆ ସନ୍ତାନଙ୍କ ପ୍ରତି ଏକ ବଡ଼ ଅପମାନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିନିମନ୍ତେ କ୍ଷମା ମାଗିବା ଉଚିତ ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ର ନେତା ୟାସିର ନୱାଜ ଓ ଛାତ୍ରନେତା ବିଭୁତିଭୂଷଣ ମହାପାତ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଏହି ଅକ୍ଷମଣୀୟ ତ୍ରୁଟିପାଇଁ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ସମ୍ମିଳନୀରେ ଅନ୍ୟମାନଙ୍କ ସହ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking