ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ କରିବାକୁ କଣ ଆଗୁଆ ପଦେକ୍ଷପ ନିଆଯାଇଛି, ବଜ୍ରପାତର ଅଝିକ ସଠିକ ଏବଂ ସମୟୋପଯୋଗୀ ପୂର୍ବାନୁମାନ ପାଇଁ ନୂତନ ପ୍ରଯୁକ୍ତି ଏଆଇ ଆଧାରିତ ପୂର୍ବାନୁମାନ ପ୍ରଣାଳୀ, ନେଟୱର୍କ ବିକାଶ ଓ ବିସ୍ତାର ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ଅଛି କି, ଏହି କ୍ଷେତ୍ରରେ ଇସ୍ରୋ, ଆଇଏମଡି, ଆଇଆଇଟି, ଏନଆରଏସସି ମିଳିତ ଭାବେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଛି କି , ଆସନ୍ତା ୫ ବର୍ଷ ଭିତରେ ବଜ୍ରପାତ ଜନିତ ମୃତ୍ୟୁ ଏବଂ କ୍ଷତିକୁ ହ୍ରାସ କରିବା ପାଇଁ ସରକାରଙ୍କର କାର୍ଯ୍ୟ ଯୋଜନା କଣ ଓ ବଜେଟ ବ୍ୟବସ୍ଥା କଣ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଗୃହରେ ଉତ୍ତର ରଖି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଚଳିତ ଆଗୁଆ ସତର୍କର ବ୍ୟବହାର ଦ୍ୱାରା ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କର ବଜ୍ରପାତ ଜନିତ ମୃତ୍ୟୁ ବହୁମାତ୍ରାରେ ରୋକାଯାଇପାରୁଛି । ୨୦୧୯ରୁ ୨୦ ଯାଏ ବଜ୍ରପାତରେ ୩୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୪-୨୫ରେ ୨୪୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୨୫-୨୬ ୨୫୭ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାର ବଜ୍ରପାତରେ ମୃତ୍ୟୁ ବରଣ କରୁଥିବା ପ୍ରତି ମୃତ ବ୍ୟକ୍ତି ପାଇଁ ୮ ଲକ୍ଷ ତାଙ୍କର ଅନୁକମ୍ପା ମୂଳକ ସହାୟତା ରାଶିର ପ୍ରାବଧାନ କରିଛନ୍ତି । ଏଥିସହ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ବିକଶିତ ସତର୍କ ମୋବାଇଲ ଆପ ମାଧ୍ୟମରେ ବଜ୍ରପାତ ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଜନସାଧାରଣଙ୍କୁ ଦିଆଯାଉଛି । ଭାରତ ସରକାରଙ୍କ ଏମପିଏଲଏସ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ସହଯୋଗରେ ରାଜ୍ୟର ୫ଟି ବଜ୍ରପାତ ପ୍ରବଣ ଜିଲ୍ଲା ଗଞ୍ଜାମ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କଟକରେ କାର୍ଯ୍ୟକାରୀ କରାଯାଉଛି । ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ପାଇଁ ରାଜ୍ୟ ସରକାର ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ୧୪.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାର ବହୁମୁଖୀ ବାତ୍ୟା, ପୋଲିସ ଷ୍ଟେସନ, ପାନ୍ଥ ନିବାସ ଇତ୍ୟାଦି ସ୍ଥାନମାନଙ୍କରେ ୧୨୨ଟି ଆଲର୍ଟ ସାଇରନ ଟାୱାର ସ୍ଥାପନ କରାଯାଇଛି । ଏହା ଛଡା ସରକାର ଆବଶ୍ୟକତାକୁ ବିଚାରକୁ ନେଇ ଏହି କ୍ଷେତ୍ରରେ ସମ୍ବଳ ଆଧାରରେ ବଜେଟ ବ୍ୟବସ୍ଥା କରିବେ ।









