ନୂଆଦିଲ୍ଲୀ : ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଫିଲ୍ମର ଟିମ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଫିଲ୍ମର ନିର୍ମାତାଙ୍କ ଅଫିସିଆଲ୍ ଏକ୍ସ ପେଜ୍ ‘ଦି ୱାର୍ଲ୍ଡ ଅଫ୍ ରାମାୟଣ’ରେ ଏହି ସାକ୍ଷାତର ଅନେକ ଫଟୋ ପୋଷ୍ଟ କରାଯାଇଛି । ଫଟୋଗୁଡ଼ିକରେ ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ, ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ସମେତ ଫିଲ୍ମ ସହ ଜଡ଼ିତ ଅନ୍ୟ ସଦସ୍ୟମାନେ ଅମିତ ଶାହଙ୍କ ସହ ବସି ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।
ଏହି ପୋଷ୍ଟର କ୍ୟାପସନରେ ଫିଲ୍ମ ଟିମ୍ ଲେଖିଛି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସେମାନେ ଖୁସି ଅନୁଭବ କରିଛନ୍ତି। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଫିଲ୍ମଟି ପ୍ରଶଂସା ସାଉଁଟୁଥିବା ନେଇ ମଧ୍ୟ ପୋଷ୍ଟରେ ଉଲ୍ଲେଖ କରାଯାଇଛି । ଏହି ସାକ୍ଷାତର ଫଟୋ ସାମ୍ନାକୁ ଆସିବା ପରେ ‘ରାମାୟଣ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଆହୁରି ବଢ଼ିଛି ।










